ମାର୍ଚ୍ଚ ୧ରେ ଲୋକସେବା ଭବନ ଘେରାଉ

ଭୁବନେଶ୍ବର: ଜଟଣୀ ଅଞ୍ଚଳରେ ୨୦୧୨ ମସିହାରେ ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ ହୋଇଥିବା ଜମିକୁ ତୁରନ୍ତ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଫେରାଇବା ଦାବିରେ ଆସନ୍ତା ମାର୍ଚ୍ଚ ୧ତାରିଖରେ ଲୋକସେବା ଭବନ ଘେରାଉ ହେବ। ଏଥିରେ ଜଟଣୀ ଅଞ୍ଚଳର ବିଭିନ୍ନ ଗ୍ରାମର ହଜାର ହଜାର ଲୋକ ସାମିଲ୍‌ ହେବେ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ଆଜି ଗୁଆଝରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ଯେ, ୨୦୧୨ ମସିହାରେ ଜଣେ ସେ‌ଟେଲମେଣ୍ଟ ଅଫିସରଙ୍କ ଭୁଲ୍‌ ଯୋଗୁଁ ଜଟଣୀ ମ୍ୟୁନିସିପାଲଟି ଓ ଏହା ପାର୍ଶ୍ବବର୍ତ୍ତୀ ୧୩ଟି ଗ୍ରାମର ଶହ ଶହ ଏକର ଜମି ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ ହୋଇଯାଇଛି। ବେରୁଆଁ, ଭଁସର, ବାଇରଙ୍ଗ, ହରିରାଜପୁର, ବୁଢ଼ାପଡ଼ା, ନିରଞ୍ଜନପୁର, କନ୍ତିଆ, ରଥିପୁର, କୁଶମାଟି, ଛଣଘର, କୁଦିଆରି, ରାମଚନ୍ଦ୍ରପୁରର ୧ଲକ୍ଷ ୭୨ହଜାର ଲୋକ ୯ବର୍ଷ ହେଲା ନିଜର ଭିଟାମାଟି, ଘରଡିହ ଓ ଅନ୍ୟ ଜମିକୁ ନିଜ ନାମକୁ ଫେରାଇ ଆଣିବାକୁ ସଂଘର୍ଷ କରୁଛନ୍ତି। ‌ଏନେଇ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ଉନ୍ନୟନ କମିସନରଙ୍କୁ ଭେଟି ଜଣାଯାଇଛି। ସେଟେଲମେଣ୍ଟରେ ହୋଇଥିବା ତ୍ରୁଟି ସମ୍ପର୍କରେ ଅବଗତ କରାଯାଇଛି। ରାଜ୍ୟ ସରକାର ମଧ୍ୟ ଏ ସମସ୍ୟାର ସମାଧାନ ପାଇଁ ଏକ ଅସ୍ଥାୟୀ କୋର୍ଟ ପ୍ରତିଷ୍ଠା କରିଥିଲେ। କିନ୍ତୁ ଅସ୍ଥାୟୀ କୋର୍ଟ କହୁଛନ୍ତି ଯେ, କ୍ଷତିଗ୍ରସ୍ତ ସମସ୍ତ ବ୍ୟକ୍ତି ଜଣଜଣ କରି ଦରଖାସ୍ତ ଦେବେ। କିନ୍ତୁ ଆମର ଦାବି ଯେ, ଯେପରି ଗୋଟିଏ ଅର୍ଡର ଆମ ଜମି ଜଗନ୍ନାଥଙ୍କ ନାମରେ ହୋଇଗଲା, ସେହିପରି ଗୋଟିଏ ଅର୍ଡରରେ ଜମି ଲୋକଙ୍କ ନାମରେ ହୋଇଯାଉ। ଯଦି ରାଜ୍ୟ ସରକାର ମାସକ ମଧ୍ୟରେ କିଛି ପଦକ୍ଷେପ ନନ‌େ‌ବେ ‌ତେବେ ଆମେ ଲୋକସେବା ଭବନ ଘେରାଉ କରିବୁ।

ସେହିପରି ଭୁବନେଶ୍ବର/ଖୋର୍ଦ୍ଧାରେ ହୋଇଥିବା ୧୦ହଜାର କୋଟିର ଜମି ଦୁର୍ନୀତିକୁ ନେଇ ଆମେ ସରକାରଙ୍କୁ ଘେରିବୁ ବୋଲି ଶ୍ରୀ ରାଉତରାୟ କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ, ରଶ୍ମି ମହାପାତ୍ର, ମନୋରଂଜନ ଦାଶ, ମନ୍ମଥ ରାଉତରାୟ, ଅଶୋକ ମଙ୍ଗରାଜ, ସଂଗ୍ରାମ ରାଉତରାୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର