ଲୋକସେବା ଭବନରେ କର୍ମଚାରୀଙ୍କ ଅସନ୍ତୋଷ ତେଜୁଛି, ମହଙ୍ଗା ଭତ୍ତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ବର: ମହଙ୍ଗା ଭତ୍ତାକୁ ନେଇ ରାଜ୍ୟରେ ସରକାରୀ କର୍ମଚାରୀ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି। ଶନିବାର ଦିନ ଲୋକସେବା ଭବନରେ କର୍ମଚାରୀମାନେ ମେଳି ହୋଇ ସରକାରୀ ନିଷ୍ପତ୍ତିର ପ୍ରତିବାଦ ଜଣାଇଲା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି। ୭ ଦିନ ଭିତରେ ସରକାର ଉଚିତ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ଓଡ଼ିଶା ସଚିବାଳୟ କର୍ମଚାରୀ ମହାସଂଘର ଆବାହକ ଚିତ୍ତରଞ୍ଜନ ହୋତାଙ୍କ ନେତୃତ୍ବରେ ୭ଟି କର୍ମଚାରୀ ସଂଘର ପ୍ରତିନିଧି ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌ ବାଲକ୍ରିଷ୍ଣନ୍ ସ୍ମାରକପତ୍ରକୁ ଗ୍ରହଣ କରିଥିଲେ। ସରକାରଙ୍କ ଉପରେ ଭରସା ରଖନ୍ତୁ, ଏହାକୁ ବିଚାର କରାଯିବ ବୋଲି ଶ୍ରୀ ବାଲକ୍ରିଷ୍ଣନ୍ କହିଥିଲେ। ଓଡ଼ିଶା ସଚିବାଳୟ ସେବା ସଂଘ, ଓଡ଼ିଶା ସଚିବାଳୟ ଡାଟା ଏଣ୍ଟ୍ରି ଅପରେଟର୍ସ ଆସୋସିଏସନ୍, ଓଡ଼ିଶା ସଚିବାଳୟ ମୋଟର କର୍ମଚାରୀ ସଂଘ, ଓଡ଼ିଶା ସଚିବାଳୟ ପିଏ ଆଣ୍ଡ୍‌ ପିଏସ୍‌ ଆସୋସିଏସନ୍, ସଚିବାଳୟ ଅଡିଟର୍ସ ଆସୋସିଏସନ୍, ଓଡ଼ିଶା ସଚିବାଳୟ ଟାଇପିଷ୍ଟ୍‌ ଆସୋସିଏସନ୍ ଓ ଓଡ଼ିଶା ସଚିବାଳୟ ସ୍ବଳ୍ପ ବେତନଭୋଗୀ କର୍ମଚାରୀ ସଂଘର ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ। ସ୍ମାରକପତ୍ର ପ୍ରଦାନ ପରେ ପଞ୍ଚାୟତିରାଜ ବିଭାଗ ନିକଟରେ କର୍ମଚାରୀମାନେ ଏକାଠି ହୋଇଥିଲେ। ଆଜି ସ୍ମାରକପତ୍ର ଦିଆଯାଇଥିବାରୁ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ସାତ ଦିନ ସମୟ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସାତ ଦିନ ଭିତରେ କିଛି ସକରାତ୍ମକ ପଦକ୍ଷେପ ନିଆ ନ ଗଲେ, କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଥିଲା। ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ କହିଛନ୍ତି, ମହଙ୍ଗା ଭତ୍ତା କର୍ମଚାରୀଙ୍କ ପ୍ରାପ୍ୟ। ପିଛିଲା ଭାବେ ଲାଗୁ ନ ହେବାରୁ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି। ସରକାର ସହୃଦୟତାର ସହ ଏହାର ପୁନର୍ବିଚାର କରିବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ୨୦୧୯ ଜୁଲାଇରୁ ୫% ମହଙ୍ଗା ଭତ୍ତା ୨୦୧୯ ଅକ୍ଟୋବରରେ ଘୋଷଣା କରିଥିଷଲ। କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଗତ ବର୍ଷ ଜୁଲାଇ ମାସରୁ ଏହି ୫% ମହଙ୍ଗା ଭତ୍ତା ପାଉଛନ୍ତି। ଜାନୁଆରି ପହିଲାରୁ ଆଉ ୫% ମହଙ୍ଗା ଭତ୍ତା ଯେ କୌଣସି ମୂହୁର୍ତ୍ତରେ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି। ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅର୍ଥ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ୫% ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ୨୦୧୯ ଜୁଲାଇରୁ ନ ଦେଇ ଚଳିତ ବର୍ଷ ଜାନୁଆରି ମାସରୁ ଦେବାକୁ କୁହାଯାଇଛି। ଗତ ବର୍ଷର ୬ ମାସର ବକେୟା ଭତ୍ତା ସଂକ୍ରାନ୍ତରେ ଏହି ବିଜ୍ଞପ୍ତିରେ କିଛି କୁହାଯାଇ ନାହିଁ। ଫଳରେ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଜୋର୍‌ଦାର ହୋଇଛି।

ସମ୍ବନ୍ଧିତ ଖବର