ଜଳିଯିବ ଲୋକସେବା ଭବନ! ନିଆଁ ବ୍ୟାପିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିଛି ପୂର୍ତ୍ତ ବିଭାଗ, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନେଇ ତାଗିଦ୍ କରିପାରୁନି ଅଗ୍ନିଶମ ବିଭାଗ

ଭୁବନେଶ୍ବର : ଲୋକସେବା ଭବନରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହାର ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇପାରୁନି। ମଲ୍‌, ବ୍ୟାଙ୍କ୍, ଆପାର୍ଟମେଣ୍ଟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ବାଧ୍ୟତାମୂଳକ କରୁଥିବା ଅଗ୍ନିଶମ ବିଭାଗ ଆଜି ପର୍ଯ୍ୟନ୍ତ ଲୋକସେବା ଭବନ ନେଇ କିଛି ବି ପଦକ୍ଷେପ ନେଇପାରୁନି। ଲୋକସେବା ଭବନର ଭିତ୍ତିଭୂମି ଏପରି ଅଛି ଯେ କେତେବେଳେ ପୂରା ଲୋକସେବା ଭବନ ଜଳିଯିବ ତାହା କହି ହେବନି।

ମଲ୍‌, ବ୍ୟାଙ୍କ, ଆପାର୍ଟମେଣ୍ଟ, ବିଭିନ୍ନ ଅଟ୍ଟାଳିକା, ଦୋକାନରେ ସ୍ପ୍ରିଙ୍କଲର୍ ଲାଗି ଥିବାରୁ ନିଆଁ ଲାଗିଲେ ଏଥିରୁ ସ୍ବତଃସ୍ଫୂର୍ତ୍ତ ଭାବେ ପାଣି ସ୍ପ୍ରେ’ ହୋଇ ନିଆଁକୁ କିଛି ମାତ୍ରାରେ ଆୟତ୍ତ କରିଦିଏ। ଏପରିକି ଅଗ୍ନିଶମ କର୍ମଚାରୀମାନେ ଆ‌ସିବା ବେଳକୁ ବିଶେଷ କ୍ଷୟକ୍ଷତି ହୁଏନି। ହେଲେ ଲୋକସେବା ଭବନରେ ଏ ବ୍ୟବସ୍ଥା ନାହିଁ।

ଲୋକସେବା ଭବନରେ ନିଆଁ ଲାଗିଲେ ଯେପରି ପୂରା ବିଲଡିଂରେ ନିଆଁ ବ୍ୟାପିଯିବ, ସେଥିପାଇଁ ଇନ୍ଧନ ପ୍ରସ୍ତୁତ କରି ରଖିଛି ପୂର୍ତ୍ତ ବିଭାଗ। ନେତା, ମନ୍ତ୍ରୀ, ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ପ୍ରକୋଷ୍ଠକୁ ୱାଲ୍‌ ପ୍ୟାନେଲିଂ ମାଧ୍ୟମରେ ଏମିତି ସଜେଇ ଦିଆଯାଇଛି ଯେ ଥରେ ନିଆଁ ଲାଗିଲେ ସହଜରେ ନିଆଁ ଆୟତ୍ତ ହେବନି। ଏହା ସାଙ୍ଗକୁ ପୁରୁଣାକାଳିଆ ଇଲେକ୍ଟ୍ରି ୱେୟାରିଂ ଯୋଗୁଁ ବିଦ୍ୟୁତ ତାରଗୁଡ଼ିକ ବହୁ ସ୍ଥାନରେ ଝୁଲି ରହିଛି। ଫଳରେ ନିଆଁ ବ୍ୟାପିବାକୁ ଭିତ୍ତିଭୂମି ପୂରା ସଜାଡ଼ି ହୋଇ ରହିଛି।

ଲୋକସେବା ଭବନରେ କିଛି ବରିଷ୍ଠ ଅଧିକାରୀଙ୍କୁ ଖୁସି କରିବା ଏବଂ କିଛି ଠିକାଦାରଙ୍କୁ ପୋଷିବା ଲାଗି ପ୍ରକୋଷ୍ଠଗୁଡ଼ିକର ଭିତର ଓ ବାହାର ପାର୍ଶ୍ବକୁ ୱାଲ୍‌ ପ୍ୟାନେଲିଂ କରି ଦିଆଯାଇଛି। କାନ୍ଥରେ, ଚଟାଣରେ ପ୍ଲାଏ ଏବଂ ଭିନର୍ ଏମିତି ଲାଗିଛି ଯେ ‌ସେଠାରେ କାନ୍ଥ କି ସିମେଣ୍ଟ ଚଟାଣ ଅଛି ବୋଲି ଜଣାପଡ଼ୁନି। ଫଳରେ ଯେତେବେଳେ କୌଣସି କାରଣରୁ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହେଉଛି ନିଆଁ ପ୍ଲାଏ ଏବଂ ଭିନର୍‌କୁ ଧରି ଯାଉଛି। ଯାହା ଫଳରେ ମାତ୍ର କିଛି ସମୟରେ ନିଆଁ ବ୍ୟାପି ଯାଉଛି। ବାରମ୍ବାର ନିଆଁ ଲାଗିବା ସତ୍ତ୍ବେ ନିଆଁ କାହିଁକି ଜଲ୍‌ଦି ବ୍ୟାପୁଛି, ତାହା ଉପରେ କେହି ତର୍ଜମା‌ ନକରି କେବଳ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଲା କହି ଚୁପ୍‌ ବସି ପଡ଼ୁଛନ୍ତି।

ଲୋକସେବା ଭବନରେ ବସୁଥିବା ସଚିବ ଏବଂ ବରିଷ୍ଠ ଅଧିକାରୀମାନଙ୍କ ପ୍ରକୋଷ୍ଠ ବଦଳିଲେ ସେହି ଅନୁଯାୟୀ ପ୍ରକୋଷ୍ଠର ରୂପ ବଦଳୁଛି। ସିଲିଂରୁ ଆରମ୍ଭ କରି କାନ୍ଥ, ଚଟାଣ ସବୁକୁ ଏମିତି ସଜାଯାଉଛି ଯେ ଏହା ତାରକା ‌ହୋଟେଲ ଭଳି ଲାଗୁଛି। ହେଲେ ଏହାକୁ କିପରି ନିଆଁ ନ ଧରିବ, ସେନେଇ କିନ୍ତୁ କିଛି ବ୍ୟବସ୍ଥା କରାଯାଉନି। ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗ ପକ୍ଷରୁ ଏନେଇ ତନାଘନା ହେଉ ନ ଥିବା ବେଳେ ପୂର୍ତ୍ତ ବିଭାଗ ପୂରା ଲୋକସେବା ଭବନ ଜଳିବା ପାଇଁ ପ୍ଲାଏ, ଭିନର୍ ବିଛାଇ ଚାଲିଛି।

ଏହାବାଦ୍ ଲୋକସେବା ଭବନରେ ଆଜି ପର୍ଯ୍ୟନ୍ତ ଯେତେ ଥର ଅଗ୍ନିକାଣ୍ଡ ଘଟିଲାଣି, ସେଥିରୁ ଅଧିକାଂଶ ସମୟ ଛୁଟି ଦିନରେ ହିଁ ଘଟିଛି। ଏଠାକାର କିଛି କର୍ମଚାରୀଙ୍କ କହିବାନୁଯାୟୀ, କିଛି ଅଧିକାରୀମାନେ ସଂଧ୍ୟା ପରେ ନିଜ ପ୍ରକୋଷ୍ଠରେ ବସୁଥିଲେ ହେଁ ସେଠାରେ କାମ କରୁଥିବା ତଳିଆ କର୍ମଚାରୀମାନେ ସବୁଦିନ ଅଧିକାରୀ ରହିବା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ରହୁନାହାନ୍ତି। ଫଳରେ ବରିଷ୍ଠ ଅଧିକାରୀମାନେ କାମ ସାରି ଘରକୁ ଫେରିବା ପରେ ଅଫିସ୍‌ରେ ଲାଇଟ୍, ଫ୍ୟାନ୍, ଏସି ଅଧିକାଂଶ ସମୟରେ ବନ୍ଦ ହେଉନି। ଦୀର୍ଘ ସମୟ ଏହା ଚାଲୁ ହୋଇ ରହୁଥିବାରୁ ସର୍ଟସର୍କିଟ୍‌ରୁ ନିଆଁ ଲାଗି ଯାଉଛି।

ଏହାବାଦ୍ କେତେକ ବରିଷ୍ଠ ଅଧିକାରୀ ତାଙ୍କ ପ୍ରକୋଷ୍ଠକୁ ପୂରା ଥଣ୍ଡା କରି ରଖିବାକୁ କହୁଥିବାରୁ ତଳିଆ କର୍ମଚାରୀମାନେ ସକାଳୁ ଆସି ଏସି ଅନ୍ କରି ଦେଉଛନ୍ତି। ଯେଉଁଦିନ ଅଧିକାରୀ ଆସୁନାହାନ୍ତି ସେଦିନ ବି ଦିନତମାମ୍ ଏସି ଚାଲୁଛି। ମନ ହେଲେ ବନ୍ଦ ହେଉଛି ନହେଲେ ନାହିଁ। ଆବଶ୍ୟକତାଠାରୁ ଅଧିକାଂଶ ସମୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀଗୁଡ଼ିକ ଚାଲୁଥିବାରୁ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗି ଯାଉଛି। କିନ୍ତୁ ଏକଥା କିଏ ବାବୁମାନଙ୍କୁ ବୁଝାଇବ।

ସମ୍ବନ୍ଧିତ ଖବର