ରାଜଧାନୀରେ ଲୋମଟାଙ୍କୁରା ଡବଲ୍ ମର୍ଡର୍: ପତ୍ନୀ, ପୁଅଙ୍କ ତଣ୍ଟି ଚିପିଦେଲା ସୈତାନ ସ୍ବାମୀ
ସେୟାର ମାର୍କେଟରେ କ୍ଷତି ସହି ମାନସିକ ଭାରସାମ୍ୟ ହରାଇଥିଲା, ଶଳାଙ୍କୁ ମେସେଜ୍ କରି ଜଣାଇଲା, ଶୁଦ୍ଧିକ୍ରିୟା ପାଇଁ ଟଙ୍କା ବି ପଠାଇଥିଲା
ଭୁବନେଶ୍ବର: ଦୀପାବଳିର ଦିନକ ପୂର୍ବରୁ ଆଜି ରାଜଧାନୀରେ ଘଟିଛି ଏକ ଲୋମଟାଙ୍କୁରା ଡବଲ୍ ମର୍ଡର। ସେୟାର୍ ମାର୍କେଟ୍ରେ ଟଙ୍କା ଲଗାଇ କ୍ଷତିଗ୍ରସ୍ତ ହେବା ସହ ଋଣଭାର ବଢ଼ିବା ଯୋଗୁଁ ଆଜି ଜଣେ ଯୁବକ ନିଜ ସ୍ତ୍ରୀ ଓ ୧୦ ବର୍ଷର କୋମଳମତି ପୁଅକୁ ତଣ୍ଟି ଚିପି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ମା’ ଓ ପୁଅ ହେଉଛନ୍ତି, ସୁନ୍ଦରପଦା ଓରକଳାର ସ୍ବର୍ଣ୍ଣଲତା ମଙ୍ଗରାଜ ଓ ଧୃତିଦୀପ୍ତି ମଙ୍ଗରାଜ। ଆଉ ହତ୍ୟାକାରୀ ହେଉଛି ଖୋର୍ଦ୍ଧା ରାଇପୁରର ଅବନ୍ତି ବିଜୟ ମଙ୍ଗରାଜ ଓରଫ ବାବି। ଦୁହିଁଙ୍କୁ ମାରିବା ପରେ ବାବି ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇ ଫେରାର ହୋଇ ଯାଇଥିଲା। ତେବେ ଆଜି ଆଇଜି ପାର୍କରୁ ଶୋଇଥିବା ଅବସ୍ଥାରେ ପୁଲିସ ତାକୁ ଗିରଫ କରିଛି।
ସୂଚନା ଅନୁଯାୟୀ, କଳିଙ୍ଗବିହାର କେ-୪ରେ ବାବି ପତ୍ନୀ ସ୍ବର୍ଣ୍ଣଲତା ଓ ପୁଅଙ୍କ ଧୃତିଙ୍କ ସହ ରହୁଥିଲା। ଆଜି ଅପରାହ୍ଣ ପ୍ରାୟ ୩ଟା ୧୭ରେ ବାବି ତା’ର ବଡ଼ଶଳା ସୁମନ୍ତ ପ୍ରଧାନଙ୍କ ପାଖକୁ ଏକ ହ୍ବାଟ୍ସଆପ୍ ମେସେଜ୍ ପଠାଇ ଲେଖିଥିଲା ଯେ ସ୍ବର୍ଣ୍ଣଲତା ଓ ଧୃତିକୁ ସେ ମାରି ଦେଇଛି। ଏହି ମେସେଜ୍ ପଢ଼ି ସୁମନ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେ ତୁରନ୍ତ ତାଙ୍କ ଭଉଣୀ-ଭିଣୋଇ ରହୁଥିବା କେ-୪ ଭଡ଼ାଘରକୁ ଚାଲି ଆସିଥିଲେ। ସେ ଶୋଇବା ଘରେ ପଶି ଦେଖିବା ବେଳକୁ ତାଙ୍କ ଭଉଣୀ ସ୍ବର୍ଣ୍ଣଲତା ଚଟାଣରେ ଓ ଭଣଜା ଧୃତି ଖଟ ଉପରେ ନିସ୍ତେଜ ହୋଇ ପଡ଼ିଛନ୍ତି। ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ପୁଲିସକୁ ଖବର ଦେବାରୁ ତମାଣ୍ଡୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଜଣେ ସ୍ବାମୀ ଓ ବାପା ହୋଇ ସେ କିପରି ସୈତାନ ପାଲଟିଗଲା ଏବଂ ନିଜ ପତ୍ନୀ ଓ ପୁଅକୁ ମାରିପାରିଲା, ତାହା ଜାଣିବା ଲାଗି ଶତାଧିକ ଲୋକ ତାଙ୍କ ଘର ଆଗରେ ଜମା ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନାନୁଯାୟୀ, ବାବି ଜମିବାଡ଼ି ବେପାର କରିବା ସହ ଅନ୍ୟ ଜଣଙ୍କ ପାଖରେ ଚାକିରି ମଧ୍ୟ କରୁଥିଲା। କିଛିଦିନ ତଳେ ସେ ତାଙ୍କ ପରିବାର ଲୋକଙ୍କ ବିରୋଧ ସତ୍ତ୍ବେ ଜିଦ୍ କରି ଏକ ଜମି ବିକିଥିଲା। ଜମିକୁ ପ୍ରାୟ କୋଟିଏ ୬୦ଲକ୍ଷ ଟଙ୍କା ବିକ୍ରି କରିବା ପରେ ସେ ଏହି ଅର୍ଥ ତାଙ୍କ ବ୍ୟବସାୟରେ ଲଗାଇବେ ବୋଲି କହିଥିଲା। ଆଉ ଧୀରେ ଧୀରେ ସମସ୍ତ ଟଙ୍କା ଫେରାଇବେ ବୋଲି ପରିବାର ଲୋକଙ୍କୁ ଭରସା ଦେଇଥିଲା। ମାତ୍ର ଟଙ୍କା ନିଜ ବ୍ୟବସାୟରେ ଲଗାଇବା ବଦଳରେ ବାବି ସେୟାର୍ ମାର୍କେଟ୍ରେ ଲଗାଇଥିଲା। ଆଉ ସେୟାର ମାର୍କେଟ୍ରେ ଲଗାଇଥିବା ଟଙ୍କା ବୁଡ଼ିଯିବା ଯୋଗୁଁ ସେ ଘରଲୋକଙ୍କୁ ଏତେ ଟଙ୍କା କେମିତି ଫେରାଇବେ ସେ ନେଇ ଗତ କିଛି ମାସ ହେଲା ଦୁଶ୍ଚିନ୍ତାରେ ଥିଲା। ଏହା ସହ ବାବି ଜଣେ ଅଭ୍ୟାସଗତ ନିଶାଡ଼ି ହୋଇଥିବାରୁ ସେ ଅନେକ ସମୟରେ ମଦ ପିଇ ନିଶାସକ୍ତ ମଧ୍ୟ ରହୁଥିଲା। ଯାହାକୁ ନେଇ ସ୍ବର୍ଣ୍ଣଲତା ଓ ବାବି ଭିତରେ ବାରମ୍ବାର କଳହ ହେଉଥିଲା। ଏସବୁକୁ ନେଇ ମାନସିକ ଭାରସାମ୍ୟ ହରାଇଥିବା ବାବି ସୈତାନ ପାଲଟି ଯାଇଥିଲା ଏବଂ ପତ୍ନୀ ଓ ପୁଅଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଦେବାକୁ ଚରମ ନିଷ୍ପତ୍ତି ନେଇଥିଲା।
ହତ୍ୟା ଯୋଜନାକୁ ଏମିତି ରୂପ ଦେଇଥିଲା ବାବି
ସୋମବାର ରାତିରେ ମା’ପୁଅଙ୍କ ଖାଦ୍ୟରେ ନିଦ ବଟିକା ମିଶାଇ ଦେଇଥିଲା। ବାବି ଭାବିଥିଲା ଏହି ଏହା ଖାଇ ଉଭୟ ଅଚେତ ହୋଇଯିବା ପରେ ସେ ସେମାନଙ୍କ ତଣ୍ଟି କାଟି ହତ୍ୟା କରିବ। ଏଥିପାଇଁ ସେ ରାତିରେ ନଶୋଇ ଭୋର୍ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ରାତି ପ୍ରାୟ ୩ଟା ବେଳେ ସେ ଏକ ଛୁରି ନେଇ ପ୍ରଥମେ ପତ୍ନୀ ସ୍ବର୍ଣ୍ଣଲତାକୁ ତଣ୍ଟି କାଟି ହତ୍ୟା କରିବାକୁ ଉଦ୍ୟତ ହୋଇଥିଲା। ତେବେ ନିଶାଯୁକ୍ତ ଖାଦ୍ୟ ଖାଇ ସ୍ବର୍ଣ୍ଣଲତା ସଂପୂର୍ଣ୍ଣ ଅଚେତ ହୋଇ ନଥିଲେ। ତେଣୁ ବାବି ନିଜ ଯୋଜନା ବଦଳାଇ ଏକ ଓଢ଼ଣିରେ ତାଙ୍କ ତଣ୍ଟିକୁ ଚାପି ଧରିବା ସହ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା। ଏହାପରେ ସେ ପୁଅ ଧୃତିକୁ ମଧ୍ୟ ସମାନ ଉପାୟରେ ହତ୍ୟା କରି ନିଜେ ହାତର ଶିରା କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ମାତ୍ର ଯେତେ ଚେଷ୍ଟା କଲେ ମଧ୍ୟ ସେ ନିଜ ହାତ କାଟି ନ ପାରିବାରୁ ଘରୁ ପଳାଇ ଯାଇଥିଲା ଏବଂ ଘରେ ଥିବା କିଛି ସୁନା ବନ୍ଧକ ରଖି କିଛି ଅର୍ଥ ଯୋଗାଡ଼ କରିଥିଲା। ଏହାପରେ ଅପରାହ୍ଣ ୩ଟା୧୭ରେ ନିଜ ଶଳାଙ୍କ ପାଖକୁ ହ୍ବାଟ୍ସଆପ୍ରେ ମେସେଜ୍ କରି ମା’ପୁଅଙ୍କୁ ହତ୍ୟା କରିଥିବା କଥା ଜଣାଇବା ସହ ସେମାନଙ୍କ ଶୁଦ୍ଧିକ୍ରିୟା ପାଇଁ କିଛି ଟଙ୍କା ମଧ୍ୟ ପଠାଇଥିଲା। ତେବେ ପୁଲିସ ଏ ନେଇ ତନାଘନା କରିବା ପରେ ତା’କୁ ଅାଇଜି ପାର୍କରୁ ଗିରଫ କରିଥିଲା।
ହତ୍ୟାର ୧୨ ଘଣ୍ଟା ପରେ ବଡ଼ ଶଳା ଓ ମଳାଶୁରଙ୍କୁ ହ୍ବାଟ୍ସଆପ୍ ମେସେଜ୍
‘ଛବି ୭୩୨୭୦….. ଗଜି ୯୮୫୩୮…..। ମା’ ଛୁଆ କୁ ମାରି ଦେଇଛି। କେ୪-୩୩୪। ନନାକୁ ପଇସା ପଠାଇଛି।’ ସୋମବାର ରାତି ପ୍ରାୟ ୩ଟାରେ ବାବି ନିଜ ପତ୍ନୀ ଓ ପୁଅକୁ ହତ୍ୟା କରିଥିଲା। ଏହାର ୧୨ଘଣ୍ଟା ପରେ ଅର୍ଥାତ୍ ମଙ୍ଗଳବାର ଅପରାହ୍ଣ ୩ଟା ୧୭ରେ ବଡ଼ ଶଳା ସୁମନ୍ତ ପ୍ରଧାନ ଓ ମଳାଶୁର ନାରାୟଣ ପ୍ରଧାନଙ୍କୁ ହ୍ବାଟ୍ସଆପ୍ରେ ଏହିଭଳି କିଛି ମେସେଜ୍ ପଠାଇଥିଲା ବାବି। ଏହି ମେସେଜ୍ରୁ ସ୍ପଷ୍ଟ ଜଣାପଡ଼ିଛି, ସେ ହିଁ ହତ୍ୟାକାରୀ। ପତ୍ନୀ ଓ ପୁଅକୁ ସେ ରହୁଥିବା ଭଡ଼ାଘରେ ଅର୍ଥାତ୍ କେ୪-୩୩୪ରେ ହତ୍ୟା କରିଛି। ମାତ୍ର ହତ୍ୟା ପରେ ବଡ଼ଶଳା ଓ ମଳାଶୁରକୁ ବାବି କାହିଁକି ହତ୍ୟା ସଂପର୍କରେ ଜଣାଇଥିଲା? ମେସେଜ୍ରେ ଉଲ୍ଲେଖ ଥିବା ଛବି ଓ ଗାଜିଙ୍କ ସହିତ ବାବିର ସଂପର୍କ କ’ଣ? ନନାକୁ ବାବି କାହିଁକି ଓ କେତେ ଟଙ୍କା ପଠାଇଛି? ଗୋଟିଏ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବାବି ସ୍ତ୍ରୀ ଓ ପୁଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥାନ୍ତା। ମାତ୍ର ହାତ କାଟି ଆତ୍ମହତ୍ୟା କରିବାରେ ବିଫଳ ହେବାରୁ ସେ ଆଜି ଭୋର୍ରୁ ଘରୁ ବାହାରି ସ୍ଥାନୀୟ ଅଞ୍ଚଳରେ ଘୂରି ବୁଲିଥିଲା। ଏହା ପରେ ଘରେ ଥିବା ସୁନା ନେଇ ଏକ ଘରୋଇ ବ୍ୟାଙ୍କ୍ରେ ବନ୍ଧା ପକାଇ କିଛି ଟଙ୍କା ଋଣ ଆଣିଥିଲା। ଏହା ପରେ ଉକ୍ତ ଟଙ୍କାକୁ ସ୍ବର୍ଣ୍ଣଲତାଙ୍କ ବଡ଼ଭାଇଙ୍କ ଆକାଉଣ୍ଟକୁ ଶେଷକୃତ୍ୟ ଓ ଶୁଦ୍ଧିକ୍ରିୟା ନିମନ୍ତେ ପଠାଇଥିଲା। ଆଉ ଏହି ମେସେଜ୍ ପଠାଇବାର କେଇ ଘଣ୍ଟା ପରେ ଉଭୟ ଘଟଣାସ୍ଥଳରେ ପହଞ୍ଚି ହତବାକ୍ ହୋଇ ଯାଇଥିଲେ। ଅନ୍ୟପକ୍ଷରେ ଖବର ପାଇ ପୁଲିସ ହତ୍ୟାସ୍ଥଳକୁ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ହତ୍ୟାସ୍ଥଳରୁ ଜବତ ହେଲା ଓଢ଼ଣି, ଛୁରି, ରକ୍ତଭିଜା ଗଂଜି
ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାରର କେ-୪ସ୍ଥିତ ପ୍ଲଟ୍ ନଂ ୩୩୪ରେ ଡବଲ୍ ମର୍ଡର ଘଟଣା ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଡିସିପି ଉମାଶଙ୍କର ଦାଶଙ୍କ ସମେତ ସ୍ଥାନୀୟ ଥାନାଗୁଡ଼ିକର ଥାନାଧିକାରୀମାନେ ପହଞ୍ଚିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହା ପରେ ଜଣେ ମହିଳାଙ୍କ ସମେତ ୪ଜଣିଆ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ପାଇଁ ବ୍ୟବହୃତ ଓଢ଼ଣି, ଛୁରି, ଖଟରେ ପଡ଼ିଥିବା ରକ୍ତ ଓ ରକ୍ତରେ ଭିଜିଥିବା ଏକ ଗଂଜି ଜବତ କରିଥିଲେ। ସୂତ୍ର ମୁତାବକ, ମୃତ ମା’ ପୁଅଙ୍କ ଶରୀରର ବାହାର ପଟରେ କୌଣସି ଆଘାତ ଚିହ୍ନ ନ ଥିବାରୁ ଖଟରେ ପଡ଼ିଥିବା ରକ୍ତ ବାବିର ବୋଲି ପୁଲିସ ସନ୍ଦେହ କରୁଛି। ଅପରପକ୍ଷରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଆବଶ୍ୟକ ନମୁନା ସଂଗ୍ରହ କରିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠା ଯାଇଥିଲା। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହା ସହିତ ହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ଭିସେରା ପରୀକ୍ଷା କରାଯିବ।