ପୁରୁଣା ଭୁବନେଶ୍ୱର: ଲଣ୍ଡନଠାରେ ଚାରି ଏକର ପରିମିତ ଜମିରେ ଖୁବ୍‌ଶୀଘ୍ର ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ୟୁକେସ୍ଥିତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ମନ୍ଦିର ସଂପର୍କରେ ଏକ ଆନ୍ତର୍ଜାତିକ ୱେବିନାରରେ ବିଷଦ ଆଲୋଚନା ହୋଇଛି। ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ପ୍ରସିଦ୍ଧ ଚିକିତ୍ସାବିତ ଡ. ସହଦେବ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଡ. ପ୍ରକାଶ ଦେ, ପ୍ରସ୍ତାବିତ ମନ୍ଦିରର ରୋଡମ୍ୟାପ ସଂପର୍କରେ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ଉପସ୍ଥାପନ କରିଥିଲେ। ମନ୍ଦିର ନିର୍ମାଣ ସଂପର୍କରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ଏବଂ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିବା ଅଧ୍ୟକ୍ଷ ଡ. ସ୍ୱାଇଁ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଭେନ୍‌ସା ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ସଂଜୟ ଶତପଥୀ ଭୁବନେଶ୍ୱରସ୍ଥିତ ତାଙ୍କର ସରକାରୀ ବାସଭବନରେ ଥିବା ନିମ୍ୱବୃକ୍ଷର ଆଧ୍ୟାତ୍ମିକ ମହିମା ସଂପର୍କରେ ବାଖ୍ୟାନ କରିଥିଲେ।

Advertisment

ଭଗବାନଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ ଥିବା ଏହି ପବିତ୍ର ଦାରୁକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଆଦି ଚତୁର୍ଦ୍ଧା ଠାକୁରଙ୍କର ପ୍ରତିମୂର୍ତ୍ତି ଗଠନ କରାଯିବା ପାଇଁ ଖୋଦନ କରାଯିବାକୁ ଶ୍ରୀ ଶତପଥୀ ପରାମର୍ଶ ଦେଇଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ, ଲଣ୍ଡନରେ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ ଓ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ। ବେଙ୍ଗାଲୁରୁରୁ ଏହି ୱେବିନାରରେ ସାମିଲ ହୋଇ, ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋତ୍ସାହକ ନୀହାର ସାମନ୍ତରାୟ, ବିଚାରପତି ଜଗନ୍ନାଥ ପ୍ରସାଦ ଉଦଗାତା ପ୍ରମୁଖ ମତ ରଖିଥିଲେ। ୱେବିନାରକୁ ଟ୍ରଷ୍ଟି ସୁକାନ୍ତ ସାହୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଜିଟାଲ ମଞ୍ଚରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଭକ୍ତ ପଣ୍ଡା, ବିଜୟ ସାହୁ, ଇଂଜିନିୟର ରଶ୍ମି ନନ୍ଦ ଓ ଡ. ଚେତନ ଶତପଥୀ ପ୍ରମୁଖ ସାମିଲ ହୋଇଥିଲେ।