ନନ୍ଦନକାନନରେ ପୁରୁଷ ଜେବ୍ରାର ମୃତ୍ୟୁ, ବଂଶ ଲୋପ

ବାରଙ୍ଗ : ସୋମବାର ନନ୍ଦନକାନନରେ ଥିବା ଏକ ମାତ୍ର ପୁରୁଷ ଜେବ୍ରାର ଆକସ୍ମିକ ମୃତ୍ୟୁ ହୋଇ ଯାଇଛି। ଏଥି ସହିତ ନନ୍ଦନକାନନରେ ଜେବ୍ରା ବଂଶ ଲୋପ ପାଇଛି। ତାକୁ ଅଢ଼େଇ ବର୍ଷ ବୟସ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ଜେବ୍ରାଟି ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୋମବାର ସକାଳୁ ଜନ୍ତୁ ରକ୍ଷକ ଜେବ୍ରାଟି ରହୁଥିବା ୩୪ ‘କ’ ଖୁଆଡ଼ ମଧ୍ୟରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ନନ୍ଦନକାନନର ନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟ, ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ନନ୍ଦନକାନନ ବରିଷ୍ଠ ଚିକିତ୍ସକ ଡ. ଅନିଲ କୁମାର ଦାସ, ଡ. ଦେବଦତ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଓୟୁଏଟିର ପାଥୋଲୋଜି ବିଭାଗର ପ୍ରଫେସର ଡ.ସୁଶେଣ ପଣ୍ଡା ଓ ଆସିଷ୍ଟାଣ୍ଟ୍‌ ପ୍ରଫେସର ଜେବ୍ରାଟିର ଶବ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟରୁ  ସଂକ୍ରମଣ କାରଣରୁ ଜେବ୍ରାର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ଡାକ୍ତର ପଣ୍ଡା କହିଥିଲେ ଯେ,  ଖାଦ୍ୟ କିମ୍ବା ମାଟିରୁ ଖାଦ୍ୟ ସହିତ ଜେବ୍ରାର ପାଟି ଭିତରକୁ କ୍ଲଷ୍ଟିଡିଅମ୍‌ ବ୍ୟାକ୍ଟେରିଆ ଯାଇଛି। ଆଉ ଟ୍ୟାକ୍ସେମିଆ ଭିତରେ ଖାଦ୍ୟ ଓ ଲାଳ ସହିତ ମିଶି ବିଷାକ୍ତ ହେବା ପରେ ଏହା ପେଟ ଭିତରକୁ ଯାଇଛି ଏବଂ ପେଟରୁ ରକ୍ତ ସହ ମିଶି ସମଗ୍ର ଶରୀରକୁ ସଂକ୍ରମିତ ହୋଇଛି। ଏହା ଜେବ୍ରାଟିର ମାଂସପେଶୀଗୁଡିକୁ ନଷ୍ଟ କରିବା ସହିତ ହୃତ୍‌ପିଣ୍ଡକୁ ସଂକ୍ରମିତ କରି ନଷ୍ଟ କରିଦେବା କାରଣରୁ ତାର ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ଏତେ ମାରାତ୍ମକ ଥିଲା ଯେ ଜେବ୍ରାଟି ସଂକ୍ରମିତ ହେବାର ମାତ୍ର ୩ ଘଣ୍ଟା ମଧ୍ୟରେ ପ୍ରାଣ ହରାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ନନ୍ଦନକାନନରେ ଦୁଇଟି ଜେବ୍ରାଙ୍କର ମୃତ୍ୟୁ ହୋଇଥିଲା। ଗତ ମେ ମାସ ୩୦ ତାରିଖରେ ଏକ ପୁରୁଷ ଜେବ୍ରାର ମୃତ୍ୟୁ ପରେ ଏହି ପୁରୁଷ ଜେବ୍ରାଟି ଥିଲା। ତେଣୁ ଏହାର ମୃତ୍ୟୁ ନନ୍ଦନକାନନ କର୍ତୃପକ୍ଷଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ୨୦୧୫ ମସିହା ସେପ୍ଟେମ୍ବର ମାସରେ ଜେବ୍ରାଟିକୁ ଅନ୍ୟ ୩ ସାଥୀଙ୍କ ସହିତ ଇସ୍ରାଏଲର ତେଲଆବିଭରୁ ନନ୍ଦନକାନନକୁ ଅଣାଯାଇଥିଲା।
ତେବେ ଆଜିିର ଏହି ଜେବ୍ରା ମୃତ୍ୟୁ ପରେ ନନ୍ଦନକାନନରେ ଜେବ୍ରାମାନଙ୍କ ମୃତ୍ୟୁର ରହସ୍ୟ ପଦାକୁ ଆସିଛି।  ଆମ ଦେଶକୁ ଅଣାଯାଇଥିବା ଆଫ୍ରିକୀୟ ଜୀବମାନେ ଦେଶର କୌଣସି ଚିଡ଼ିଆଖାନାରେ ଉଧାଉ ନାହାନ୍ତି। ତେଣୁ ଏଣିକି ଆମ ଦେଶ ଭିତର ଚିଡ଼ିଆଖାନାର ଜୀବଜନ୍ତୁଙ୍କୁ ନନ୍ଦନକାନନକୁ ଆଣିବାକୁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି।
ସମ୍ବନ୍ଧିତ ଖବର