କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ରରେ ଲମ୍ବାଧାଡ଼ି

କ୍ୟାପିଟାଲ ହସ୍ପିଟାଲ ଭିତରେ ଥିବା ଆହାର କେନ୍ଦ୍ରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ବାହା‌ରେ ପ୍ରାୟ ସବୁ ହୋଟେଲ ବନ୍ଦ ଥିବାରୁ ଆଜି ଏଠାରେ ଲୋକେ ଭୋକ ମେଣ୍ଟାଇବା ଲାଗି ଲମ୍ବା ଲାଇନ୍‌ରେ ଅପେକ୍ଷା କରିଥିଲେ। ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ବାହାରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ଖାଇବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ। ପ୍ରତିଦିନ ଏଠାରେ ୭୦୦ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ କରୋନା ସଂକ୍ରମଣ ବଢ଼ୁଥିବାରୁ ଗହଳିକୁ ଏଡ଼ାଇବା ପାଇଁ ଗତ ୧୫ ଦିନ ହେଲା ଏଠାରେ ବେଶି ଲୋକଙ୍କ ଭିଡ଼ ଜମୁନଥିଲା। ତେଣୁ ରନ୍ଧାଖାଦ୍ୟର ପରିମାଣ କମାଇ ଦିଆଯାଇଥିଲା।

ତେବେ ଶନିବାର ସଟଡାଉନ୍‌ ଯୋଗୁଁ ସବୁ ବନ୍ଦବାନ୍ଦ ଥିବାରୁ ଲୋକେ ଅନ୍ୟ ଉପାୟ ନ ପାଇ ଏଠାରେ ଭିଡ଼ ଜମାଇଥିଲେ। ରୋଗୀ ସଂପର୍କୀୟଙ୍କଠୁ ଆରମ୍ଭ କରି ଗାଡ଼ି ଚାଳକଯାଏ ସମସ୍ତେ ଆହାର କେନ୍ଦ୍ରକୁ ହିଁ ଭରସା କରିଥିଲେ। କିଛିଦିନ ହେଲା ଦିନକୁ ୩୦୦ରୁ ୩୫୦ ଭିତରେ ଲୋକ ଖାଇବାକୁ ଆସୁଥିବାବେଳେ ଆଜି କିନ୍ତୁ ୪୫୦ରୁ ଊର୍ଦ୍ଧ୍ବ ଲୋକ ଖାଇଥିଲେ। ତେବେ ଆହାର କେନ୍ଦ୍ର ପକ୍ଷରୁ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରାଯାଇଥିଲା। ଥରକୁ ୩୫ଜଣଙ୍କୁ ଭିତରକୁ ଛଡ଼ା ଯାଉଥିଲା ବୋଲି କହିଥିଲେ ଆହାର କେନ୍ଦ୍ର ଦାୟିତ୍ବରେ ଥିବା ମେଘି ନାୟକ।

ସମ୍ବନ୍ଧିତ ଖବର