କୋଭିଡ ନେଗେଟିଭ୍ ରିପୋର୍ଟ ନେବାକୁ ହସ୍ପିଟାଲ୍‌ରେ ଲମ୍ବା ଲାଇନ୍‌

ଭୁବନେଶ୍ବର : ଗୋଟିଏ ପଟେ କୋଭିଡ ପରୀକ୍ଷା କରାଇବାକୁ ଅପେକ୍ଷା। ଅନ୍ୟପଟରେ ନେଗେଟିଭ୍ ରିପୋର୍ଟ ନେବାକୁ ଭିଡ଼। ରାଜ୍ୟରେ ଦ୍ରୁତ କରୋନା ସଂକ୍ରମଣ ସମୟରେ କ୍ୟାପିଟାଲ ହସ୍ପିଟାଲରେ ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଲୋକମାନେ ଯେଉଁଭଳି ଭାବେ ନେଗେଟିଭ୍ ରିପୋର୍ଟ ନେବା ଲାଗି ଭିଡ଼ ଜମାଉଛନ୍ତି ଏଥିରେ ପୂର୍ବରୁ ନେଗେଟିଭ୍ ଥିବା ଲୋକ ମଧ୍ୟ ପଜିଟିଭ୍ ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।

ରାଜଧାନୀ ସମେତ ରାଜ୍ୟରେ କରୋନା ଏବେ ଉପରମୁହାଁ ହୋଇଛି। ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି ହୋଇଛି। ତେଣୁ କୋଭିଡ ପରୀକ୍ଷା ପାଇଁ ମଧ୍ୟ ଲୋକଙ୍କ ଗହଳି ହେଉଛି। ଯଦିଓ କ୍ୟାପିଟାଲ ହସ୍ପିଟାଲରେ କୋ‌ଭିଡ ପରୀକ୍ଷା ହେଉନାହିଁ, କେବଳ ନମୁନା ସଂଗ୍ରହ ହେଉଛି। ଯେଉଁମାନେ ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଉଛି। ମାତ୍ର ଅନେକ ସ୍ଥାନରେ ଲୋକମାନଙ୍କୁ କୋଭିଡ ରିପୋର୍ଟ ମଗାଯାଉଥିବାରୁ ଲୋକମାନେ ନେଗେଟିଭ୍ ରିପୋର୍ଟ ନେବା ପାଇଁ ହସ୍ପିଟାଲରେ ଭିଡ଼ ଜମାଉଛନ୍ତି। ରାଜ୍ୟ ସରକାର ସବୁ ସ୍ଥାନରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ କହୁଥିବା ବେଳେ ଏଠାରେ କିନ୍ତୁ ଲୋକମ‌ାନେ ଏହାକୁ ଫୁ କରି ଦେଇଛନ୍ତି। ହସ୍ପିଟାଲ କର୍ତୃପକ୍ଷ ମଧ୍ୟ ସାମାଜିକ ଦୂରତ୍ବକୁ ବଜାୟ ରଖିବା ଲାଗି ଆଦୌ ଗୁରୁତ୍ବ ଦେଉ ନ ଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର