ରାଜଧାନୀ ଛାଡ଼ିବାକୁ ଲମ୍ବାଧାଡ଼ି

ଭୁବନେଶ୍ବର: ଭାଇ ଫୁଲବାଣୀକୁ ବସ୍‌ ଅଛି? ‌କଣ୍ଡକ୍ଟର ବାବୁ ଗାଡ଼ି ବାରିପଦା ଯିବ ତ? କେତେବେଳେ ଗାଡ଼ି ଛାଡ଼ିବ? ବାତ୍ୟା‘ଫନି’ ଯୋଗୁଁ ରାଜଧାନୀରେ ପାଣି ଓ ବିଦ୍ୟୁତ୍‌ ବିନା ଜୀବନ ଦୁର୍ବିସହ ହୋଇପଡ଼ିବା ପରେ ବସ୍‌ ଓ ଟ୍ରେନ୍‌ରେ ଘରକୁ ଯିବା ପାଇଁ ଯାତ୍ରୀଙ୍କ ମୁହଁରୁ ଏଭଳି ସ୍ବର ଶୁଣିବାକୁ ମିଳୁଥିଲା। ଘଣ୍ଟାଘଣ୍ଟା ଅପେକ୍ଷା ପରେ ବି ବସ୍‌ କି ଟ୍ରେନ୍‌ ମିଳୁ ନଥିଲା। ଯଦି ବା ମିଳୁଥିଲା ଅନେକଙ୍କୁ ଛିଡ଼ା ହୋଇଯିବାକୁ ପଡ଼ୁଥିଲା। ‌ଦୀର୍ଘ ସମୟ ଧରି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଏ ଅସମୟରେ ମୌଳିକ ସୁବିଧା ଟିକେ ଯୋଗାଇବାକୁ ଏଯାଏଁ ସକ୍ଷମ ହୋଇପାରିନି ପ୍ରଶାସନ।

ପିଇବାକୁ ପାଣି ନାହିଁ। ବସିବାକୁ ଜାଗା ନାହିଁ। ବିଶ୍ରାମ କକ୍ଷରେ ତାଲା ଝୁଲୁଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ଟିକେଟ୍‌ କାଉଣ୍ଟର ବନ୍ଦ ପଡ଼ିଛି। ନା ଖାଇବାକୁ ‘ଆହାର’ ମିଳୁଛି ନା ହୋଟେଲ୍‌ ଖୋଲୁଛି। ଶୌଚାଳୟ ବି ବନ୍ଦ। ହଜାର ହଜାର ଲୋକ ସହର ଛାଡ଼ି ଗାଁ ମୁହାଁ ହେବାକୁ ବସ୍‌ଷ୍ଟାଣ୍ଡ୍‌ରେ ରୁଣ୍ଡ ହୋଇଛନ୍ତି। ମାତ୍ର ବସ୍‌ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିବା‌ରେ ଲାଗିଥିବାରୁ ସମସ୍ତଙ୍କୁ ଗାଡ଼ିରେ ନେବା ସମ୍ଭବ ହେଉନି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ମୌଳିକ ସୁବିଧାକୁ ବ୍ୟବସ୍ଥିତ କରିବା ପାଇଁ ଏଯାଏଁ ସେଠାରେ ପ୍ରଶାସନ ପହଞ୍ଚିପାରିନି। ଏନେଇ ରାଜଧାନୀ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ତୁଷାରକାନ୍ତ ଆଚାର୍ଯ୍ୟ କହିଛନ୍ତି ଯେ, କିଛି ଆଭ୍ୟନ୍ତରୀଣ ଅଞ୍ଚଳକୁ ଛାଡ଼ି ଦେଲେ ୮୦ ପ୍ରତିଶତ ରୁଟ୍‌ରେ ଗାଡ଼ି ଚଳାଚଳ କଲାଣି। ୪୦୦ରୁ ଅଧିକ ବସ୍‌ ଚାଲିଲାଣି। ଫଳରେ ଲୋକଙ୍କୁ ନେବାରେ ସମସ୍ୟା ହେଉନାହିଁ। ଅର୍ଥାତ ଦୈନିକ ୨୦ ହଜାରରୁ ଅଧିକ ଲୋକଙ୍କୁ ପରିବହନ ସୁବିଧା ମିଳୁଛି। କିନ୍ତୁ ଲୋକ ଅଧିକ ଯିବାକୁ ଚାହୁଁଥିବାରୁ ବସ୍‌ରେ ଅସମ୍ଭାଳ ଭିଡ଼ ଜମୁଛି।

ବାସ୍ତବରେ ଓଏସ୍‌ଆର୍‌ଟିସିର ବସ୍‌ ଆଜି ବନ୍ଦ ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଷ୍ଟାଣ୍ଡ୍‌ରେ ବସ୍‌ ରହିଥିଲେ ବି ଓଏସ୍ଆର୍‌ଟିସି ଟିକେଟ୍‌ କାଉଣ୍ଟର ବନ୍ଦ ରହିଥିଲା। କାଳେ କିଛି ସମୟ ପରେ ଖୋଲିବ ବୋଲି ଅନେକ ଆଶା ବାନ୍ଧି ଧାଡ଼ି ଲଗେଇଥିଲେ। କିନ୍ତୁ ନିରାଶ ହୋଇଥିଲେ। ଖାଲି ଏତିକି ନୁହେଁ ବେଶି ବାଧୁଥିଲା ଓଭର୍‌ଲୋଡ୍‌ ଓ ଟିକେଟ୍‌ର ଦର। ଏନେଇ ‌ଜଣେ ବସ୍‌ କଣ୍ଡକ୍ଟର କହିଥିଲେ, ଆମେ ଏଠୁ ଲୋଡ୍‌ କରି ଯାତ୍ରୀ ନେଉଥିଲେ ହେଁ ଆସିବା ବେଳେ ଖାଲି ଗାଡ଼ି ଆସୁଛି। କାଁ ଭାଁ ଲୋକେ ଭୁବନେଶ୍ବର ଆସୁଛନ୍ତି। ଆସିବା ବେଳେ ଟୋଲ୍‌ ଗେଟ୍‌ ଦେୟ ଖର୍ଚ ବି ଉଠୁନାହିଁ। ତେଣୁ ବାଧ୍ୟ ହୋଇ ଯିବା ବେଳେ ଅଧିକ ଦର ନେବାକୁ ପଡ଼ୁଛି।

ବରମୁଣ୍ଡା ବସଷ୍ଟାଣ୍ଡରେ ପାଣି ଟୋପେ ନମିଳିବା କଷ୍ଟକୁ ଦ୍ବିଗୁଣିତ କରୁଛି। ବସ୍‌ଷ୍ଟାଣ୍ଡ୍‌ରେ ହଜାର ହଜାର ଲୋକେ ରୁଣ୍ଡ ହୋଇଥିଲେ ମଧ୍ୟ ପ୍ରଶାସନ ଗୋଟିଏ ହେଲେ ପାଣି ଟାଙ୍କି ବସ୍‌ଷ୍ଟାଣ୍ଡ୍‌ ପରିସର‌କୁ ଯୋଗାଇ ନାହିଁ। ଏଣେ ଯେଉଁ ସ୍ଥାୟୀ ପାଣିଟାଙ୍କି ଥିଲା ତାହା ବି ଶୁଖିଲା ପଡ଼ିଥିବାରୁ ଲୋକେ ଚଢ଼ା ଦରରେ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି। ପାଣି ନଥିବାରୁ ବସ୍‌ଷ୍ଟାଣ୍ଡ୍‌ ପରିସରରେ ଶୌଚାଳୟ ବନ୍ଦ ପଡ଼ିଥିବା ବେଳେ ବସ୍‌ଷ୍ଟାଣ୍ଡ୍‌ରେ ଗାଡ଼ିକୁ ଅପେକ୍ଷା କରିଥିବା ଯାତ୍ରୀମାନେ ପରିସ୍ରା ଯିବାକୁ ହନ୍ତସନ୍ତ ହେଉଛନ୍ତି। ବାଧ୍ୟ ହୋଇ ବାହାରେ ପରିସ୍ରା ଓ ଆବଶ୍ୟକସ୍ଥଳେ ଶୌଚ ବି ହେଉଛନ୍ତି। ଫଳରେ ବସ୍‌ଷ୍ଟାଣ୍ଡ୍‌ ପରିସର ଗନ୍ଧରେ ଫାଟିପଡ଼ୁଛି। ଭିତରକୁ ପ୍ରବେଶ କରୁଥିବା ଯାତ୍ରୀମାନଙ୍କୁ ନାକରେ ହାତ ଦେଇ ଯିବାକୁ ପଡ଼ୁଛି। ବିଶେଷକରି ମହିଳାମାନଙ୍କୁ ଅକଥନୀୟ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ଅନ୍ତତଃ ବସ୍‌ଷ୍ଟାଣ୍ଡ୍‌ ପରିସରରେ ଥିବା ମହିଳା ପ୍ରତୀକ୍ଷାଳୟ ଖୋଲିଥିଲେ ତା ମଧ୍ୟରେ ମହିଳାମାନେ ଶୌଚ ହୋଇପାରନ୍ତେ, କିନ୍ତୁ ସେଠାରେ ବି ତାଲା ଝୁଲୁଛି।

ସମ୍ବନ୍ଧିତ ଖବର