ପୁରୁଣା ଭୁବନେଶ୍ବର: ଧର୍ମ ମାସ କାର୍ତ୍ତିକ ଆସିଲେ, ସ୍ବତଃ ମନେ ପଡ଼ିଯାଏ ହବିଷାନ୍ନ କଥା। କାଠି ଅରୁଆ ଚାଉଳ ବା ସଫା ସରୁ ଅରୁଆ ଚାଉଳର ଅନ୍ନ ସାଙ୍ଗକୁ ହବିଷ ଡାଲମାର ସ୍ବାଦ ସବୁବେଳେ ନିଆରା। ହବିଷ ଡାଲମାର ପ୍ରସ୍ତୁତି ଯେମିତି ଭିନ୍ନ ସ୍ବାଦ ବି ସେମିତି ନିଆରା। ତେଣୁ କାର୍ତ୍ତିକ ମାସ ଆସୁ ଆସୁ ହବିଷ ଡାଲମା ପ୍ରତି ଆକର୍ଷଣ ବଢ଼ିଯାଏ। ବିଶେଷକରି ମନ୍ଦିର ପ୍ରସ୍ତୁତ ହବିଷ ଡାଲମାର ଚାହିଦା ବହୁତ। ଶ୍ରୀଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିରର ହବିଷ ଡାଲମା ପାଇଁ ସବୁବେଳେ ଭିଡ଼। ମାତ୍ର ଏଠାରେ କମ୍ ପରିମାଣର ହବିଷ ଡାଲମା ପ୍ରସ୍ତୁତ କରାଯାଉଥିବାରୁ ଶ୍ରଦ୍ଧାଳୁମାନଙ୍କୁ ହତାଶ ହେବାକୁ ପଡ଼ୁଛି। ଦୂରଦୁରାନ୍ତରୁ ଧାଇଁ ଆସୁଥିବା ଶ୍ରଦ୍ଧାଳୁଟିଏ ଏହି ଦୁଇ ମନ୍ଦିରରୁ ହବିଷ ଡାଲମା ନ ପାଇ ବ୍ୟଥିତ ହେଉଛି ଏବଂ ସାଧାରଣ ଡାଲମାରେ ମନ ବୁଝାଉଛି।
ମୁଗ ଖେଚୁଡ଼ି କିମ୍ବା ଅରୁଆ ଘୃତାନ୍ନ ସହ ହବିଷ ଡାଲ୍ମାର ସ୍ବତନ୍ତ୍ର ଚାହିଦା ରହିଛି। କାର୍ତ୍ତିକମାସ ଆରମ୍ଭରୁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିରକୁ ବହୁ ଶ୍ରଦ୍ଧାଳୁ କେବଳ ହବିଷ ଡାଲମା ଖାଇବାକୁ ଧାଇଁ ଆସୁଛନ୍ତି। କିନ୍ତୁ ବହୁ ଶ୍ରଦ୍ଧାଳୁ ଏଠାରୁ ହବିଷ ଡାଲମା ପାଇବାରୁ ବଞ୍ଚିତ ହେଉଛନ୍ତି। ବାସୁଦେବ ମନ୍ଦିରରେ ଅତି ବେଶିରେ ୧୦୦ ଲୋକଙ୍କ ପାଇଁ ହବିଷ ଡାଲମା ପ୍ରସ୍ତୁତ ହେଉଛି। ସେହିଭଳି ଲିଙ୍ଗରାଜ ମନ୍ଦିରରେ ମଧ୍ୟ ପାଖାପାଖି ୧୦୦ଜଣଙ୍କ ପାଇଁ ଏହି ଡାଲ୍ମା ପ୍ରସ୍ତୁତ କରାଯାଉଛି। ଏତେ କମ୍ ପରିମାଣର ହବିଷ ଡାଲମା ପ୍ରସ୍ତୁତ ହେଉଥିବାରୁ ବହୁ ସମୟରେ ନିଅଣ୍ଟ ହେଉଛି। ଯେଉଁଦିନ ଶ୍ରଦ୍ଧାଳୁ ସଂଖ୍ୟା ବଢ଼ିଯାଉଛି, ସେଦିନ ହିବଷ ଡାଲମା କାହା ଭାଗ୍ୟରେ ପଡ଼ିଲା ତ କାହା ଭାଗ୍ୟରେ ନାହିଁ। ଯିଏ ଆଗୁଆ ବରାଦ କରିଛି, ତା’ର ସୌଭାଗ୍ୟ। ଏନେଇ ହବିଷ ଡାଲମା ପ୍ରସ୍ତୁତ କରୁଥିବା ସେବାୟତମାନଙ୍କ କହିବା କଥା ଏହା ଏକ ସ୍ବତନ୍ତ୍ର ପ୍ରସ୍ତୁତି ଓ କିଛି ସ୍ବତନ୍ତ୍ର ଲୋକଙ୍କ ଚାହିଦାରେ ଥାଏ। ତେଣୁ ବରାଦ ବା ଅନୁମାନ ଅନୁସାରେ ପ୍ରସ୍ତୁତ ନ କଲେ, ତାହା ବଳିପଡ଼ିବ ଏବଂ ବିକ୍ରି ନହେଲେ, କ୍ଷତି ହେବ। ତେଣୁ ଅନୁମାନ କରି ରାନ୍ଧିବାକୁ ପଡ଼ୁଛି। ବେଳେବେଳେ ଅଧିକ ଗ୍ରାହକ ହୋଇଯାଉଛନ୍ତି ବୋଲି ନିଅଣ୍ଟ ହେଉଛି। କିନ୍ତୁ ପ୍ରାୟତଃ ସବୁବେଳେ ନିଅଣ୍ଟ ହେଉନାହିଁ।
ବିନା ହଳଦୀରେ ବି ସୁଆଦ
ଉପକୂଳ ଓଡ଼ିଶାର ବହୁ ଅଞ୍ଚଳରେ ଡାଲମା ଏକ ସାଧାରଣ ତରକାରୀ। ହରଡ଼, ମୁଗ ଡାଲି ସହ ବିଭିନ୍ନ ପରିବା ଓ ହଳଦୀ ଗୁଣ୍ଡ ମିଶାଇ ସିଝାଇବା ପରେ ସେଥିରେ ଘିଅ ବା ତେଲ, ଶୁଖିଲା ଲଙ୍କା, ପଞ୍ଚଫୁଟଣ ବଘରା ଯାଏ। ପରେ ଭଜା ଜିରା ଓ ଲଙ୍କା ଗୁଣ୍ଡ ମିଶାଯାଏ। କିନ୍ତୁ ହବିଷ ଡାଲମାର ପ୍ରସ୍ତୁତି ଭିନ୍ନ। ବଡ଼ କଥା ହେଉଛି ଏହି ଡାଲମାରେ ହଳଦୀ ପଡ଼େ ନାହିଁ। ପୁଣି ହରଡ଼ ଡାଲି ଓ ଆଳୁ, ବାଇଗଣ ଭଳି କିଛି ପରିବା ମିଶାଇବା ବାରଣ ରହିଛି। ମୁଗ ଡାଲି ସହିତ କଞ୍ଚା କଦଳୀ, ସାରୁ, ବୋଇତାଳୁ, କନ୍ଦମୂଳ, ଓଉ, ନଡ଼ିଆ, ପାଳୁଅ ହେଉଛି ଏହି ଡାଲମା ପାଇଁ ମୁଖ୍ୟ ଉପାଦାନ। କେହି କେହି ଦେଶୀଆଳୁ ବା ଖମ୍ବ ଆଳୁ ପକାନ୍ତି। ବିନା ହଳଦୀରେ ଏହି ଡାଲମାର ରଙ୍ଗ ଭଲ ଦେଖାଯାଏ ନାହିଁ। ସେହିଭଳି ବଘାରିବା ବେଳେ ଘିଅ ସହ କେବଳ ଜିରା ପଡ଼େ। ପଞ୍ଚ ଫୁଟଣ ପକାଇ ବଘରା ଯାଏ ନାହିଁ। ତଥାପି ଏହାର ମହକ ମନ କିଣିନିଏ ଏବଂ ଭୋକ ବଢ଼ାଇଥାଏ।
ସାମାଜିକ ଗଣମାଧ୍ୟମରେ ହବିଷ ଡାଲମା
ଓଡ଼ିଆଙ୍କ ହବିଷାନ୍ନ ଓ ଡାଲମା ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ପ୍ରସଙ୍ଗ। ବହୁ ୟୁଟ୍ୟୁବର୍ ନିଜ ଚ୍ୟାନେଲ୍ରେ ହବିଷ ଡାଲମା ପ୍ରସ୍ତୁତି ପ୍ରଣାଳୀ ଶିଖାଉଛନ୍ତି। ଫୁଡ୍ ବ୍ଲଗର୍ମାନେ ଓଡ଼ିଶାର ଏହି ପ୍ରସିଦ୍ଧ ପାରମ୍ପରିକ ଖାଦ୍ୟର ପ୍ରଚାରପ୍ରସାର କରୁଛନ୍ତି। ବଡ଼ କଥା ହେଉଛି, ହବିଷ ଡାଲମାକୁ ନେଇ ପ୍ରସ୍ତୁତ ପୋଷ୍ଟ ବା ବ୍ଲଗ୍କୁ ଦେଖିବାକୁ ଲକ୍ଷଲକ୍ଷ ଲୋକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
ଅଗସ୍ତି ଶାଗ
ହବିଷ ଡାଲମାରେ ଅଗସ୍ତି ଶାଗ ମଧ୍ୟ ମିଶାଯାଏ। କେହି କେହି ଅଗସ୍ତି ଶାଗକୁ ଅଲଗା ପ୍ରସ୍ତୁତ କରିଥାଆନ୍ତି। ଏବେ ଏହି ଶାଗ କ୍ବଚିତ୍ ମିଳୁଛି। କାର୍ତ୍ତିକ ମାସରେ ଅଗସ୍ତି ଶାଗ ଖାଇବା ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ। ମାତ୍ର ଆଜିକାଲି ଏହି ଶାଗ ବିଲୁପ୍ତପ୍ରାୟ। ଏମିତିକି ଆଜିକାଲିର ଯୁବପିଢ଼ି ଏହି ଶାଗ ବିଷୟରେ ଜାଣନ୍ତି ନାହିଁ।
ସ୍ବତନ୍ତ୍ର ଶକ୍ତିର ଆଧାର
ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି କୁହନ୍ତି ଯେ କେବଳ କାର୍ତ୍ତିକ ମାସରେ ହବିଷ ଡାଲମାର ଚାହିଦା ରହିଛି। ହବିଷ ଡାଲମା ସହ ଅବଢ଼ା ଖାଇବାକୁ ହବିଷ୍ୟାଳି ଓ ଶ୍ରଦ୍ଧାଳୁମାନେ ପସନ୍ଦ କରନ୍ତି। ଲିଙ୍ଗରାଜ ମନ୍ଦିର ସୁଆର ସେବାୟତ ଜଗତ୍ଜ୍ୟୋତି ଗରାବଡ଼ୁ କୁହନ୍ତି ଯେ ହବିଷ ଡାଲମାର ଚାହିଦା ଅଧିକ ହେଲେ ହେଁ ବରାଦ ଅନୁଯାୟୀ ପ୍ରସ୍ତୁତ କରାଯାଉଛି। ବରାଦ ଅନୁସାରେ ପାଳୁଅ ଓ କନ୍ଦମୂଳ ପକାଇ ତିଆରି କରାଯାଉଛି। ହବିଷ ଡାଲମା ସମ୍ପର୍କରେ ଡା. ଚିତ୍ତରଞ୍ଜନ ବେହେରା କୁହନ୍ତି ଯେ ମୁଗଡାଲି ସବୁ ଡାଲି ମଧ୍ୟରେ ଶ୍ରେଷ୍ଠ। ଏହା ସହଜରେ ହଜମ ହୋଇଥାଏ ଏବଂ ଶରୀରକୁ ଯଥେଷ୍ଟ ଶକ୍ତି ଓ ପୁଷ୍ଟି ପ୍ରଦାନ କରିଥାଏ। ସେହିଭଳି କଞ୍ଚାକଦଳୀରେ ବହୁ ଔଷଧୀୟ ଗୁଣ ରହିଛି। ଏଥିରେ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ଓ ଖଣିଜଲବଣମାନ ରହିଛି। ତେଣୁ ହିବଷ ଡାଲମା ଶରୀର ପାଇଁ ବେଶ୍ ଉପଯୋଗୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/untitled-3-2025-10-29-06-57-01.jpg)