ଆତ୍ମବିଶ୍ୱାସ ଆଗରେ ହାର୍‌ ମାନିଲା ଅକ୍ଷମତା

ଭୁବନେଶ୍ୱର: ଆଖିକୁ ଦେଖାଯାଏ ନାହିଁ, କିନ୍ତୁ ପାଦରେ ପାଦ ମିଶାଇ ନାଚି ଚାଲିଥିଲେ। କାନକୁ ଶୁଣାଯାଏ ନାହିଁ, କିନ୍ତୁ ଗୀତର ତାଳେ ତାଳେ ନୃତ୍ୟ ଅଙ୍ଗଭଙ୍ଗୀ ପରିବେଷଣ କରିଚାଲିଥିଲେ। ଆତ୍ମବିଶ୍ୱାସ ଆଗରେ ଯେ ଅକ୍ଷମତା ହାର୍‌ ମାନିଛିି, ଏହାକୁ ପ୍ରମାଣିତ କରୁଥିଲେ କୁନିକୁନି ଦିବ୍ୟାଙ୍ଗ ପିଲାମାନେ। ଆଜି ସ୍ଥାନୀୟ ବିପିନ ବିହାରୀ ଚୌଧୁରୀ ବଧିର ସ୍କୁଲ ପରିସରରେ ଆୟୋଜିତ ‘ଦିବ୍ୟାଙ୍ଗ ମହୋତ୍ସବ-୨୦୧୭’ରେ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ଦିବ୍ୟାଙ୍ଗ ପିଲାମାନେ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଜରିଆରେ ନିଜ ପ୍ରତିଭା ଦେଖାଇ ଉପସ୍ଥିତ ଦର୍ଶକଙ୍କୁ ଚକିତ କରି ଦେଇଥିଲେ।

‘ନନ୍ଦିନୀ’ ଓ ‘ବ୍ରିଙ୍ଗ୍‌ ସ୍ମାଇଲ୍‌’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଉଦ୍‌ଘାଟନ କରିଥିଲେ। ଏଥିରେ ପୋଲିଓ ଆକ୍ରାନ୍ତ କାମିନୀ ଖଟୁଆଙ୍କୁ ସିଲେଇ ମେସିନ୍‌ ପ୍ରଦାନ କରାଯାଇଛି। କାମିନୀ ଭିନ୍ନକ୍ଷମ ହେଲେ ମଧ୍ୟ ସ୍ୱାବଲମ୍ବୀ। ଭୁବନେଶ୍ୱରର ଏକ ସିଲେଇ ତାଲିମ ସଂସ୍ଥାରୁ ତାଲିମ ନେଇ ସେ ସିଲେଇ କରି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କର ଏହି ଆତ୍ମବିଶ୍ୱାସକୁ ସମ୍ମାନ ଜଣାଇ ଆଜି ତାଙ୍କୁ ସିଲେଇ ମେସିନ୍‌ ସହ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ତଥା ସମାଜ ସେବାରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା। ସାମ୍ବାଦିକତା କ୍ଷେତ୍ରରେ କୃତିତ୍ୱ ପାଇଁ ପପୁ ମହାନ୍ତି, ନିରଞ୍ଜନ ଓଝା, ସମର ପ୍ରଧାନ, ମାଧବାନନ୍ଦ ବେହୁରା, ହିମାଂଶୁ ସିଂହ, ହରପ୍ରସାଦ ଦାସ ଓ ଭୁବନେଶ୍ୱର ଫଟୋ ସାମ୍ବାଦିକ ମହାସଂଘକୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ୨୦୦୦ରୁ ଊର୍ଧ୍ୱ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହାକୁ ‘ନନ୍ଦିନୀ’ର ସମ୍ପାଦକ ହେମନ୍ତ ରଥ ଓ ‘ବ୍ରିଙ୍ଗ୍‌ ସ୍ମାଇଲ୍‌’ର ଅଧ୍ୟକ୍ଷ ସୁଚରିତା ମିଶ୍ର ପରିଚାଳନା କରିଥିଲେ। ଅଭୀସ୍ପା ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତାପ ମିଶ୍ର, ସିପୁ ନାଥ, ସୁଶାନ୍ତ ସାହୁ, ଜଗବନ୍ଧୁ ମହନ୍ତ ଓ କୁନି ପଣ୍ଡା ପ୍ରମୁଖ କାର୍ଯର୍୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର