ଖଣ୍ଡଗିରି : ଦିନ ଦି’ପହରେ ଭୁଜାଲି ମୁନରେ ଲୁଟ୍‌

ନାବାଳିକାଙ୍କୁ ଅସଦାଚରଣ, ଯୁବକ ଗିରଫ

ଖଣ୍ଡଗିରି : ବୁଧବାର ଅପରାହ୍‌ଣ ପ୍ରାୟ ୨ଟା ବେଳେ ପିତାପଲ୍ଲୀ-ବାରଙ୍ଗ ରାସ୍ତାରେ ଭୁଜାଲିରେ ଆକ୍ରମଣ କରି ଦୁଇଜଣ ଯୁବକଙ୍କଠାରୁ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ଯୁବକଦ୍ବୟ ହେଲେ, ଚନ୍ଦକା ଥାନା ଗମେଇ ଗାଁର ସୁମନ୍ତ କବାଟ ଓ ମହେଶ୍ବର ଜେନା। ସେମାନଙ୍କଠାରୁ ପ୍ରାୟ ୩ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ମେଣ୍ଢାଶାଳ ଫାଣ୍ଡି ଓ ଚନ୍ଦକା ଥାନା ପୁଲିସ ଦୁଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚଢ଼ଉ ଆରମ୍ଭ କରିଛନ୍ତି।

ସୂଚନାନୁସାରେ, ସୁମନ୍ତ ଓ ମହେଶ୍ବର ଗିରିଙ୍ଗାପୁଟରୁ ଘରକୁ ଫେରୁଥିଲେ। ସେମାନେ ଛତାବର ଓ ପାଣିଓରା ବଜାର ପାର୍ ହେବା ପରେ ଏକ ନିଛାଟିଆ ସ୍ଥାନ ଦେଖି ସ୍ଥାନୀୟ ଅଞ୍ଚଳର ଦୁଇ ଭାଇ ଲିପୁ ଓ ଦୀପୁ ସେମାନଙ୍କୁ ଅଟକାଇଥିଲେ। ସୁମନ୍ତ ବାଇକ୍‌ ଅଟକାଇବା ମାତ୍ରେ ଲିପୁ ତାଙ୍କ ବେକରେ ଭୁଜାଲି ଲଗାଇ ଦେଇଥିଲା ଓ ଦୀପୁ ତାଙ୍କୁ ମାଡ଼ ମାରିଥିଲା। ପ୍ରତିରୋଧ କରିବାରୁ ସେମାନେ ସୁମନ୍ତଙ୍କୁ ମାଡ଼ ମାରି ଖଣ୍ଡିଆ ଖାବରା କରି ଦେଇଥିଲେ। ଦୁଇଜଣଙ୍କୁ ହାଣିଦେବେ ବୋଲି ସେମାନେ ଧମକ ଦେବା ପରେ ଭୟ କରି ସୁମନ୍ତ ଓ ମହେଶ୍ବର ଚୁପ୍‌ଚାପ ଠିଆ ହୋଇଗଲେ। ଏହା ପରେ ସେମାନେ ଦୁଇ ଜଣଙ୍କ ପକେଟ୍‌ରୁ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଲିପୁ ଓ ଦୀପୁ ପୂର୍ବରୁ ଲୁଟ୍‌ପାଟ୍‌ ଅଭିଯୋଗରେ ଗିରଫ ହୋଇଛନ୍ତି।

ନାବାଳିକାଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ବର : ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ‌ ହେଲା ସତ୍ୟନଗର କାଳୀମନ୍ଦିର ଅଞ୍ଚଳର ଶିବୁ ପାଶୱାନ୍‌(୨୫)। କିଛି ଦିନ ହେବ ଶିବୁ ସ୍ଥାନୀୟ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଏକତରଫା ଭାବେ ଭଲ ପାଉଥିଲା। ତାଙ୍କୁ ବିଭିନ୍ନ ସମୟରେ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲା। ହେଲେ ନାବାଳିକା ଜଣକ ଶିବୁର ଏପରି ବ୍ୟବହାରକୁ ବୁଝିପାରି ନ ଥିଲା। ତେବେ ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ନାବାଳିକା ଜଣକ ବାଥ୍‌ରୁମ୍‌ରୁ ବାହାରୁ ଥିବା ସମୟରେ ଏକୁଟିଆ ସୁଯୋଗ ପାଇ ଶିବୁ ବାଥ୍‌ରୁମ୍‌ ଭିତରକୁ ପଶି ଯାଇଥିଲା। ଆଉ ତାଙ୍କ ସହ ଅସଦାଚରଣ ଉଦ୍ୟମ କରିଥିଲା। ନାବାଳିକା ଜଣକ ପାଟି କରିବାରୁ ଶିବୁ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ଏନେଇ ନାବାଳିକାଙ୍କ ପରିବାର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର