କାର୍ ବିକ୍ରି ବିଜ୍ଞାପନ ଦେଇ ଲୁଟିଲା ୩୫ ହଜାର

ଭୁବନେଶ୍ବର : କାର୍ ବିକିବାକୁ ବିଜ୍ଞାପନ ଦେଇ ସାଇବର ଠକ ଜଣେ ବ୍ୟବସାୟୀଙ୍କୁ ଚୁନ ଲଗାଇଛି। ମାତ୍ର ୫୫ ହଜାର ଟଙ୍କାରେ ଇଣ୍ଡିଗୋ କାର୍‌ ବିକିବା ନାଁରେ ବ୍ୟବସାୟୀଙ୍କଠାରୁ ୩୫ ହଜାର ଟଙ୍କା‌ ଠକି ନେଇଛି ଧୂର୍ତ୍ତ। ତେବେ ଧୂର୍ତ୍ତ ଜଣକ ମିଛ କଥାରେ ଫୁସୁଲାଇ ଚାରି ପର୍ଯ୍ୟାୟରେ ୩୫ ହଜାର ଟଙ୍କା ଉଡ଼ାଇ ନେଇଥିଲେ ବି ବ୍ୟବସାୟୀ ତାକୁ ବୁଝିପାରିନଥିଲେ। ଠକାମିର ଶିକାର ହୋଇଥିବା ବ୍ୟବସାୟୀ ହେଲେ ନୂଆପଲ୍ଲୀ ଅଞ୍ଚଳର ପ୍ରଫୁଲ୍ଲ। ଏ ନେଇ ସେ ଭୁବନେଶ୍ବର ସାଇବର ହେଲ୍ପ ଡେସ୍କ୍‌ରେ ଅଭିଯୋଗ କରିଛନ୍ତି।

ପ୍ରଫୁଲ୍ଲଙ୍କ ଅଭିଯୋଗ ମୁତାବକ, ଗତ କିଛିଦିନ ତଳେ ଓଏଲ୍‌ଏକ୍ସରେ ଏକ ବିଜ୍ଞାପନ ଆସିଥିଲା। ନିଜକୁ ଆର୍ମି ଅଧିକାରୀ ବୋଲି ପରିଚୟ ଦେଇ ଦୀପକ କୁମାର ଏହି ବିଜ୍ଞାପନ ଦେଇଥିଲା। ସେଥିରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ପ୍ରଫୁଲ୍ଲ ଯୋଗାଯୋଗ କରିଥିଲେ ଓ କାର୍‌ର ଦାମ୍‌ ୫୦ ହଜାରରେ କଥା ଛିଡ଼ିଥିଲା। ଦର ଛିଡ଼ିବା ପରେ ପ୍ରଫୁଲ୍ଲ କାର୍‌ର ଅବସ୍ଥା ବିଷୟରେ ଜାଣିବା ପାଇଁ ଦୀପକକୁ କହିଥିଲେ। କାର୍‌ଟି ଗୋପାଳପୁର ଆର୍ମି କ୍ୟାମ୍ପ୍‌ରେ ଥିବାରୁ ବାହାରକୁ ଆଣିବାକୁ ଆର୍ମି ଟୋକନ୍ ଦରକାର ଓ ଏଥିପାଇଁ ୨ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଠକ ଦୀପକ ବୁଝାଇଥିଲା। ଏହି ୨ ହଜାର ଟଙ୍କା ପ୍ରଫୁଲ୍ଲଙ୍କୁ ଦେବାକୁ ପଡ଼ିବ ବୋଲି ସେ କହିଥିଲା। ଭଲ କାର୍‌ଟିକୁ କମ୍ ଦାମ୍‌ରେ ପାଇବା ଲୋଭରେ ପ୍ରଫୁଲ୍ଲ ୨ହଜାର ଟଙ୍କା ଅନ୍‌ଲାଇନ୍‌ରେ ପଠାଇଦେଲେ। ଏହା ପରେ ବିଭିନ୍ନ ଆଳ ଦେଖାଇ ଠକ ଦୀପକ ୪ଟି ପର୍ଯ୍ୟାୟରେ ୩୫ ହଜାର ଟଙ୍କା ଲୁଟିନେଲା। ଶେଷରେ ଯାଇ ପ୍ରଫୁଲ୍ଲ ବୁଝିଲେ ଯେ ସେ ଜଣେ ଠକ ହାବୁଡ଼ରେ ପଡ଼ିଛନ୍ତି। ସନ୍ଦେହ କରି ସେ ଦୀପକକୁ ଫୋନ୍‌ କଲା ବେଳେ ଫୋନ୍‌ ସୁଇଚ୍‌ ଅଫ୍ ହୋଇଯାଇଥିଲା ଓ ବାରମ୍ବାର ଯୋଗାଯୋଗ କରିବା ପରେ ଦୀପକର ପତ୍ତା ମିଳିନଥିଲା।

ସମ୍ବନ୍ଧିତ ଖବର