ଭୁବନେଶ୍ବର: କିଛିଦିନ ବ୍ୟବଧାନ ପରେ ପୁଣି କମିସନରେଟ୍ ପୁଲିସକୁ ଚକ୍ମାଦେଇଛନ୍ତି ଲୁଟେରା ଗ୍ୟାଙ୍ଗ। ଭରତପୁର ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ଥିବା ପାତ୍ରପଡ଼ାର ଶ୍ରୀକ୍ଷେତ୍ର ରେସିଡେନ୍ସି ଆପାର୍ଟମେଣ୍ଟରୁ ଲୁଟିନେଇଛନ୍ତି ଦେଢ଼ଲକ୍ଷ ଟଙ୍କା ଓ ୫୦ଲକ୍ଷ ରୁ ଊର୍ଧ୍ବ ଟଙ୍କାର ଗହଣା। ଆଶ୍ଚର୍ଯ୍ୟର କଥା ଯେ, ଲୁଟେରା ଗ୍ୟାଙ୍ଗ ଆପାର୍ଟମେଣ୍ଟରେ ପଶିଲେ, ଗୋଟିଏ ପରେ ଗୋଟିଏ ଫ୍ଲାଟର ତାଲା ଓ କବାଟ ଭାଙ୍ଗିଲେ; କିନ୍ତୁ ନା ଜାଣିପାରିଥିଲେ ପଡ଼ୋଶୀ, ନା ସିକ୍ୟୁରିଟି ଗାର୍ଡ।
ଅନ୍ୟପଟେ ଏନେଇ ଭରତପୁର ଥାନାରେ ରାଜେଶ ପାହାଡ଼ିଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତନାଘନା ଆରମ୍ଭ କରିଛି। ସିକ୍ୟୁରିଟି ଗାର୍ଡ ଓ ସିସିଟିଭି ସତ୍ତ୍ବେ ଲୁଟେରା ଭିତରେ ଆପାର୍ଟମେଣ୍ଟ ଭିତରେ ପଶିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଲୁଟେରା ଗ୍ୟାଙ୍ଗ ଭିତରକୁ ପଶିଲେ, ସେଥିରେ କେଉଁମାନେ ସଂପୃକ୍ତ ଥାଇ ପାରନ୍ତି- ଆଦି ଦିଗକୁ ନେଇ ପୁଲିସ ତନାଘନା ଚଳାଇଛି। ସେହିପରି ଘଟଣାସ୍ଥଳରେ ସ୍ପେଶାଲସ୍କ୍ବାର୍ଡ, ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ସ୍କ୍ବାଡ୍ ପହଞ୍ଚି ଯାଞ୍ଚ କରିଛନ୍ତି।
ସୂଚନା ମୁତାବକ, ଆଜି, ଅର୍ଥାତ୍ ସୋମବାର ସକାଳୁ ଆପାର୍ଟମେଣ୍ଟର ଲୋକମାନେ ଉଠିବା ବେଳକୁ ସି ବ୍ଲକର ୩ଟି ଫ୍ଲାଟର କବାଟ ଭଙ୍ଗାହୋଇଥିବା ଦେଖି ତୁରନ୍ତ ପୁଲିସକୁ ଓ ସମ୍ପୃକ୍ତ ଘରମାଲିକଙ୍କୁ ଫୋନ୍କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଆପାର୍ଟମେଣ୍ଟର ସି ବ୍ଲକର ୩୦୨ ଫ୍ଲାଟରେ ରହୁଥିବା ରାଜେଶଙ୍କ ଘରର ଆଲ୍ମିରା, ଲକର୍ ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଓ ୫୦ଲକ୍ଷରୁ ଊର୍ଧ୍ବ ଟଙ୍କାର ଗହଣା ଲୁଟେରାମାନେ ନେଇଯାଇଥିଲେ। ସେହିପରି ଆଉ ଦୁଇଟି ଫ୍ଲାଟରୁ ମଧ୍ୟ ଲକ୍ଷାଧିକ ଟଙ୍କାର ଗହଣା ନେଇଯାଇଥିଲେ। ଏହି ଫ୍ଲାଟଗୁଡ଼ିକରେ ରହୁଥିବା ଲୋକମାନେ ପରିବାର ସହ ସହର ବାହାରକୁ ଯାଇଥିବାବେଳେ ଏହା ଘଟିଛି।
୧୦ରୁ ଊର୍ଧ୍ବଙ୍କୁ ପୁଲିସର ଜେରା
ଲୁଟେରାମାନେ କିଭଳି ଜାଣିଲେ ଯେ ଏହି ତିନିଟି ଫ୍ଲାଟର ଲୋକ ବାହାରକୁ ଯାଇଛନ୍ତି? ସେମାନଙ୍କ ଘରେ ସୁନାଗହଣା ରହିଛି ବୋଲି କିଏ ସେମାନଙ୍କୁ ଖବର ଦେଲା? ଏସବୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ବିନା ଖବରରେ ଆପାର୍ଟମେଣ୍ଟ ଭିତରକୁ ପଶି ଲୁଟ୍ କରିବା ଏତେଟା ସହଜ ନୁହେଁ। ତେଣୁ କାମ ଚାଲିଥିବା ନିକଟସ୍ଥ ଆପାର୍ଟମେଣ୍ଟର କେତେକ ଲୋକ, ରାଜବାଟିକାର ୫ଜଣ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମିଶାଇ ଏପର୍ଯ୍ୟନ୍ତ ପୁଲିସ ୧୦ଜଣଙ୍କୁ ପଚରାଉଚରା କରିଛି। ଜେରା ବେଳେ ସେମାନଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଥିବା ଜଣାପଡ଼ିଛି।
ସିସିଟିଭିରେ ଲୁଟେରା
ଚୋରିବେଳର ଦୃଶ୍ୟ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି। ସେଥିରୁ ଜଣା ପଡ଼ିଛି ଯେ ରାତି ପାଖାପାଖି ସାଢ଼ ୨ଟାରେ ୪-୫ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ଲୁହା ରଡ୍ ଧରି ଆପାର୍ଟମେଣ୍ଟ୍ ଭିତରେ ପଶିଥିଲେ। ପ୍ରଥମେ ସେମାନେ ଆପାର୍ଟମେଣ୍ଟର ଗୋଟିଏ ପରେ ଗୋଟିଏ ଫ୍ଲାଟକୁ ଯାଞ୍ଚ କରି ଦେଖିଥିଲେ ବାହାରେ ତାଲାପଡ଼ିଛି ନା ନାହିଁ, ନା ଭିତରପଟୁ ଘର କବାଟ ବନ୍ଦ ଅଛି! ଯାଞ୍ଚ ପରେ ବାହାରେ ତାଲାପଡ଼ିଥିବା ୩ଟି ଫ୍ଲାଟକୁ ଚିହ୍ନଟ କରି ମାରଣାସ୍ତ୍ରରେ ତାଲା ଭାଙ୍ଗି ଦୁଇଟି ଘରୁ ଲକ୍ଷାଧିକ ଟଙ୍କା ଓ ଗହଣା ନେଇ ଚମ୍ପଟ ମାରିଥିଲେ। ସିସିଟିଭର ଏ ଦୃଶ୍ୟରୁ ପୁଲିସ ସମ୍ପୃକ୍ତ ଲୁଟେରାଙ୍କୁ ଚିହ୍ନଟ କରି ଚଢ଼ଉ ଜାରି ରଖିଛି।