ବନ୍ଧୁକ‌ ଦେଖାଇ ସାମ୍ବାଦିକଙ୍କୁ ଲୁଟିଲେ

ଭୁବନେଶ୍ବର: ଅପରାଧୀ ଉପରମୁହାଁ ହେଲେଣି। ପ୍ରତ୍ୟେକ ଦିନ ଛିନ୍‌ତାଇ ରାଜଧାନୀର ଏକ ସାଧାରଣ କଥା ହେଲାଣି। ଗତକାଲି ବିଳମ୍ବିତ ରାତିରେ ୟୁନିଟ୍‌-୮ସ୍ଥିତ ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ସାମ୍ବାଦିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟେରାମାନେ ସବୁ ଲୁଟି ନେଇଛନ୍ତି। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ହେଲେ ଲୁଟେରାଙ୍କ ପତ୍ତା ମିଳି ନାହିଁ। ଲୁଟ୍‌ର ଶିକାର ହୋଇଥିବା ବୈଦ୍ୟୁତିକ ଗଣମାଧ୍ୟମ(ନ୍ୟୁଜ୍‌-୧୮ ଓଡ଼ିଆ)ର ସାମ୍ବାଦିକ ହେଉଛନ୍ତି ରାକେଶ ମହାନ୍ତି।

ରାକେଶ ଲୁଇସ୍‌ ରୋଡ୍‌ସ୍ଥିତ କାର୍ଯ୍ୟାଳୟରୁ ଡ୍ୟୁଟି ସାରି ୟୁନିଟ୍‌-୮ରେ ଥିବା ତାଙ୍କ ଘରକୁ ଫେରୁଥିଲେ। ଡିଏଭି ସ୍କୁଲ ଛକରୁ ତାଙ୍କୁ ତିନି ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ବାଇକ୍‌ରେ ପିଛା କରିଥିଲେ। ଜି‌ଓଲୋଜିକାଲ୍‌ ସର୍ଭେ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ତାଙ୍କୁ ଅତିକ୍ରମ କରିବା ସହ ତାଙ୍କ ଗାଡ଼ି ସାମ୍ନାରେ ବାଇକ୍‌ ରଖି ଦେଇଥିଲେ। ଏଣୁ ରାକେଶ ବ୍ରେକ୍‌ ମାରି ଅଟକିବାକୁ ବାଧ୍ୟ ହୋଇଥିଲେ। ସେମାନେ ବାଇକ୍‌ରୁ ଓହ୍ଲାଇ ପକେଟ୍‌ରୁ ବନ୍ଧୁକ ବାହାର କରି ରାକେଶଙ୍କ ମୁଣ୍ଡରେ ଲଗାଇଥିଲେ। ରାକେଶ କିଛି କହିବା ପୂର୍ବରୁ ସେମାନେ ତାଙ୍କ ପକେଟ୍‌ରେ ଥିବା ୫ ହଜାର ଟଙ୍କା, କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଓ ସୁନାଚେନ୍‌ ଲୁଟି ନେଇଥିଲେ। ଅଭିଯୋଗ କଲେ ହତ୍ୟା କରିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଖୋଦ୍‌ ରାଜଧାନୀରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଯଦି ଲୁଟ୍‌ପାଟ୍‌ ହୋଇପାରୁଛି, ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି। ତେବେ ସିସିଟିଭି କ୍ୟାମେରା ଫୁଟେଜ୍‌ ଆଧାରରେ ଲୁଟେରାଙ୍କୁ ଚିହ୍ନଟ କରାଯାଉଛି ବୋଲି ପୁଲିସ କହିଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର