ଭୁବନେଶ୍ବର : ବର୍ଷକରେ ଜମା ରାଶିକୁ ଦୁଇ ଗୁଣା କରାଇବାର ଲୋଭ ଦେଖାଇ ଲୋକଙ୍କୁ ଚୂନ ଲଗାଉଥିବା ଜଣେ ଧୂର୍ତ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି। କିଛି ଲୋକଙ୍କଠାରୁ ପ୍ରାୟ ଦେଢ଼ କୋଟି ଟଙ୍କା ଚଳୁ କରିଥିବା ଅଭିଯୁକ୍ତ ହେଲା ଶିଶୁପାଳଗଡ଼ ଗାୟତ୍ରୀବିହାର ଅଞ୍ଚଳର ଦେବାଶିଷ ମହାପାତ୍ର ଓରଫ ବୁବୁ(୨୧)।

Advertisment

ସୂଚନା ମୁତାବକ, ୨୦୧୮-୧୯ ମସିହାରୁ ଦେବାଶିଷ ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ଓ ଆଚାର୍ଯ୍ୟବିହାର ଆଦି ଅଞ୍ଚଳରେ ତା’ର ଅଫିସ ଖୋଲିଥିଲା। ବର୍ଷକରେ ଜମାପୁଞ୍ଜିକୁ ବିଭିନ୍ନ ଲାଭଦାୟକ ସଂସ୍ଥାରେ ନିବେଶ କରି ସେ ଦୁଇ ଗୁଣ ଟଙ୍କା ଫେରସ୍ତ ଦେବ ବୋଲି ଲୋଭ ଦେଖାଉଥିଲା। ଏହାଛଡ଼ା ନିବେଶ ଟଙ୍କାର ମାସକୁ ମାସ ୯ ପ୍ରତିଶତ ସୁଧ ବି ଦେବାକୁ ଜମାକାରୀମାନଙ୍କୁ କହିଥିଲା। ଏଥିପାଇଁ ସେ ନିବେଶକାରୀଙ୍କ ସହ ଚୁକ୍ତିପତ୍ର କରୁଥିଲା। ବର୍ଷେ ତଳେ ବୁଦ୍ଧେଶ୍ବରୀ କଲୋନିର ସନ୍ୟାସୀ ପାତ୍ରଙ୍କଠାରୁ ସେ ଏହି ପ୍ରତିଶ୍ରୁତିରେ ଏକ ଲକ୍ଷ ଟଙ୍କା ନେଇଥିଲା। କିଛି ମାସ ସୁଧ ଦେବା ପରେ ଆଉ ଟଙ୍କା ଦେଇନଥିଲା। ଟଙ୍କା ଫେରାଇବା ପାଇଁ ଦିନ ଗଡ଼ାଇ ଚାଲିଥିଲା। ଏମିତିକି ଟଙ୍କା ଫେରସ୍ତ ମାଗିଲେ ପାଲଟା ଧମକଚମକ ଦେଉଥିଲା। ଏନେଇ ସନ୍ୟାସୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ସନ୍ୟାସୀଙ୍କ ଅଭିଯୋଗରେ ଆହୁରି ୧୫ ଜଣ ଯୋଡ଼ି ହୋଇଥିଲେ ଓ ଦେବାଶିଷ ପାଖାପାଖି ଦେଢ଼ କୋଟି ଟଙ୍କା ଚଳୁ କରିଥିବା ଆକଳନ କରାଯାଇଥିଲା। ପୁଲିସ ତାକୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଅଧିକ ଖୋଳତାଡ୍‌ କରିବ ବୋଲି ସୂଚନା ଦେଇଛି।