ଛିନ୍‌ତାଇ ଅଭିଯୋଗରେ ବନ୍ଧାହେ‌ଲେ ୪ କିନ୍ନର

ଭୁବନେଶ୍ବର, ୧୮/୧୧(ଇମିସ): ରାଜଧାନୀରେ ପୁଣି କିନ୍ନରମାନଙ୍କ ଆତଙ୍କ ଦେଖିବାକୁ ମିଳିଛି। ଛିନ୍‌ତାଇ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ୪ କିନ୍ନରଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ବଡ଼ଗଡ଼ ଉପରସାହି ଅଞ୍ଚଳରେ ରହୁଥିବା ନିମାପଡ଼ାର ଋତୁ କିନ୍ନର(୨୭), ଭରତପୁର ହନୁମାନ ମନ୍ଦିର ଅଞ୍ଚଳର ଖୁସି କିନ୍ନର(୨୧), ଭରତପୁର ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ସୋନି କିନ୍ନର(୨୫) ଓ ସନ୍ଧ୍ୟାରାଣୀ କିନ୍ନର(୨୩)।
ପୁଲିସ ସୂଚନାନୁଯାୟୀ, ଗତ ରାତିରେ ବ୍ରହ୍ମେଶ୍ବରପାଟଣା ଅଞ୍ଚଳର ପାର୍ଥ ମହାନ୍ତି ସାଇମନ୍ଦିର ଛକରୁ ରବି ଟକିଜ୍‌ ଆଡ଼କୁ ଯାଉଥିଲେ। ସେ ମେଘେଶ୍ବର ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ରାସ୍ତା କଡ଼ରେ ଥିବା ଜଣେ କିନ୍ନର ହଠାତ୍‌ ଆସି ତାଙ୍କୁ ଅଟକାଇଥିଲେ। ପ୍ରତିବାଦ କରିବାରୁ କିନ୍ନରଜଣକ ପାର୍ଥଙ୍କୁ ଆକ୍ରମଣ କରିଥିଲା। ପରେ ପରେ ଅନ୍ୟ କିନ୍ନରମାନେ ଆସି ତାଙ୍କୁ ମାଡ଼ ମାରିବା ସହ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ଏନେଇ ପାର୍ଥ ବଡ଼ଗଡ଼ ଥାନାରେ ଅଭିଯୋଗ କରିବାରୁ ପୁଲିସ ମେଘେଶ୍ବର ମନ୍ଦିର ନିକଟରେ ଆଡ଼ା ଜମାଇଥିବା କିନ୍ନରମାନଙ୍କୁ ଖୋଜିଥିଲା। ବଡ଼ଗଡ଼ ଅଞ୍ଚଳରୁ ଋତୁ କିନ୍ନରକୁ ଗିରଫ କରିବା ପରେ ପୁଲିସ ଅନ୍ୟମାନଙ୍କୁ ଠାବ କରିବା ସହଜ ହୋଇଥିଲା। ପୁଲିସ ଋତୁଠାରୁ ପାର୍ଥଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ପାହାଳ ଓ କ୍ୟାପିଟାଲ ଥାନା ପୁଲିସ ଏଭଳି ଛିନ୍‌ତାଇ ମାମଲାରେ କିନ୍ନରମାନଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର