ଏ କେଉଁ ସହର… କେମିତି ସହର : ଅପରାଧୀଙ୍କ କବ୍‌ଜାରେ ରାସ୍ତା, ବଢ଼ୁଛି ଲୁଟ୍, ଗଡ଼ୁଛି ମୁଣ୍ଡ

ଭୁବନେଶ୍ବର : ରାଜଧାନୀ ରାଜରାସ୍ତା ଏବେ ଏକପ୍ରକାର ଅପରାଧୀଙ୍କ କବ୍‌ଜାକୁ ଚାଲି ଯାଇଛି। ଲୁଟେରାମାନେ ବେଫିକର ହୋଇ ଲଗାତାର୍ ଲୁଟ୍, ଛିନ୍‌ତାଇ କରୁଥିବା ବେଳେ ଗତ କିଛିଦିନ ହେଲା କାର୍‌ କାର ଭାଙ୍ଗି ଲୁଟ୍ କରୁଥିବା ଅପରାଧୀ ଆତଙ୍କ ଖେଳାଇଛନ୍ତି। ଆଉ ଶନିବାର ନୟାପଲ୍ଲୀ ଥାନା ଭିଆଇପି ଛକ ରାସ୍ତାରେ ଏକ ଗାଡ଼ି ଭିତରେ ବୀଭତ୍ସ ହତ୍ୟାକାଣ୍ଡ ପରେ କମିସନରେଟ୍ ପୁଲିସ ଉପରେ ଲୋକଙ୍କ କ୍ରୋଧ ଅଜାଡ଼ି ହୋଇ ପଡ଼ିଛି। ହତ୍ୟାକାଣ୍ଡ ପରେ ଉତ୍ତ୍ୟକ୍ତ ଲୋକେ ପିସିଆର ଭ୍ୟାନ୍ ଭିତରୁ ଅଭିଯୁକ୍ତ ଦୁଇ ଭାଇଙ୍କୁ ଛଡ଼ାଇ ଆଣି ମାଡ଼ମାରିବା ଘଟଣା ସୂଚାଇ ଦେଉଛି ଯେ ‌ଲୋକେ ଆଉ ପୁଲିସ ଉପରେ ଭରସା କରିବାକୁ ପ୍ରସ୍ତୁତ ନୁହନ୍ତି।

କେବଳ ଏହି ଘଟଣା ନୁହେଁ; ଗତବର୍ଷ ଅକ୍ଟୋବର ମାସରେ ବିଚ୍ ରାସ୍ତାରେ ଜନଗହଳିପୂର୍ଣ୍ଣ ସାମନ୍ତରାପୁର ଛକରେ ଜଣେ ମିଠା ଦୋକାନୀଙ୍କୁ ଜଣେ ଯୁବକ ଗୋଡ଼ାଇ ଗୋଡ଼ାଇ ହତ୍ୟା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଏହା ବାଦ୍ ଲୁଟେରା ରାଜରାସ୍ତାରେ ଆକ୍ରମଣ କରି ଲୁଟପାଟ କରିବା ଘଟଣା ମଧ୍ୟ ବଢ଼ିବଢ଼ି ଚାଲିଛି। ଯାହା ଏବେ କମିସନରେଟ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପୂର୍ବରୁ ମଧ୍ୟ ବିଚ୍ ରାସ୍ତାରେ ଅନେକ ଆକ୍ରମଣ ଘଟଣା ଘଟିଛି। ପୁଲିସ ଉପସ୍ଥିତିରେ ମଧ୍ୟ ଆକ୍ରମଣ ହୋଇଛି। କାଲିର ଅଘଟଣ କିନ୍ତୁ, ହିଂସା ଓ ବର୍ବରତାର ସବୁ ସୀମାକୁ ଅତିକ୍ରମ କରିଯାଇଛି। ରାଜଧାନୀ ରାସ୍ତାରେ ଘଟୁଥିବା ଏଭଳି ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ।

ରାଜଧାନୀ ରାସ୍ତାରେ କିଛି ପ୍ରମୁଖ ଅପରାଧ
୨୬ ଜୁନ୍ ୨୦୧୯: କାରଗିଲ ରୋଡରେ ମହିଳା ଓ ସହଯୋଗୀଙ୍କୁ ଆକ୍ରମଣ କରି ଚେନ୍, ଟଙ୍କା ଲୁଟ୍।
୩୧ ଜୁଲାଇ ୨୦୧୯: ରସୁଲଗଡ଼ରେ ତୃପ୍ତି ହୋଟେଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍।
୧୪ ଜାନୁଆରି ୨୦୨୦: ଗାଡ଼ି ପାର୍କିଂକୁ କେନ୍ଦ୍ରକରି ଲକ୍ଷ୍ମୀସାଗରରେ ପରବିନ୍ଦର ସିଂ ପାଲଙ୍କୁ ମରଣାନ୍ତକ ଆକ୍ରମଣ।
୫ ମେ ୨୦୨୦: ଛାତ୍ର ଅନନ୍ତ ମହାନ୍ତିଙ୍କୁ ନୟାପଲ୍ଲୀରେ ମରଣାନ୍ତକ ଆକ୍ରମଣ।
୫ ମେ ୨୦୨୦: କଟକରୋଡରେ ଜଣେ ହାଇଵା ଚାଳକଙ୍କୁ ସଂଘବଦ୍ଧ ଆକ୍ରମଣ।
୨୧ ଜୁଲାଇ ୨୦୨୦: ବାପୁଜୀନଗରରେ ଯୁବକଙ୍କୁ ରାସ୍ତାରେ ହାଣିଥିଲେ ଦୁର୍ବୃତ୍ତ।
୪ ଅକ୍ଟୋବର ୨୦୨୦: ସାମନ୍ତରାପୁର ଛକରେ ମିଠା ବ୍ୟବସାୟୀ ଜମ୍ବୁ ସାହୁଙ୍କୁ ଗୋଡ଼ାଇ ଗୋଡ଼ାଇ ବୀଭତ୍ସ ହତ୍ୟା।
୧୮ ଅକ୍ଟୋବର ୨୦୨୦: ଜାଗମରାରେ ଶୁଭମ୍ ସ୍ବାଇଁଙ୍କୁ ହାଣି ସୁନାଚେନ୍, ଟଙ୍କା, ମୋବାଇଲ ଫୋନ୍ ଲୁଟ୍।
୨୮ ଅକ୍ଟୋବର ୨୦୨୦: ଶୈଳଶ୍ରୀ ବିହାରରେ ଇଞ୍ଜିନିୟର ସତ୍ୟନାରାୟଣ ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ।
୨୩ ଫେବ୍ରୁଆରି ୨୦୨୧: ନୀଳାଦ୍ରିବିହାର ପ୍ରାଚୀ ଏନକ୍ଲେଭରେ ଫୁଲ ତୋଳୁଥିବା ବେଳେ ଶକୁନ୍ତଳାଙ୍କୁ ହାଣି ଚେନ୍ ଲୁଟ୍।
୭ ମାର୍ଚ୍ଚ, ୨୦୨୧: ନୟାପଲ୍ଲୀ ଭିଆଇପି ଛକ ରାସ୍ତାରେ ଯୁବକକୁ ଗାଡ଼ି ଭିତରେ ହତ୍ୟା। ଦୁଇ ହତ୍ୟାକାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ପ୍ରାଣାନ୍ତକ ଆକ୍ରମଣ।

ସମ୍ବନ୍ଧିତ ଖବର