ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟ୍ ଆତଙ୍କ ଦେଖାଯାଇଛି। ଆଜି ଅପରାହ୍ନରେ ୨ଟି ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଆଚାର୍ଯ୍ୟ ବିହାର ଛକ ନିକଟରେ ଜଣେ ଯୁବତୀଙ୍କ ବେକରୁ ଲୁଟେରାମାନେ ସୁନା ଚେନ୍ ଛିଡ଼ାଇ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ବାଲିପାଟଣା ଥାନା ଅଧିନ ଚଣାହାଟ ଛକରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଜଣେ କଲେକ୍ସନ ଏଜେଣ୍ଟଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଜଣେ ଯୁବତୀ ଆଚାର୍ଯ୍ୟ ବିହାର ଛକ ଦେଇ ସ୍କୁଟିରେ ସୈନିକ ସ୍କୁଲ ଆଡ଼କୁ ଯାଉଥିଲେ। ଏହି ସମୟରେ ୨ ଜଣ ଲୁଟେରା ବାଇକ୍ରେ ଯୁବତୀଙ୍କୁ ଅନୁସରଣ କରୁଥିଲେ। ଆପୋଲୋ ହସ୍ପିଟାଲ ନିକଟରେ ରାସ୍ତାରେ ସେମାନେ ସୁନା ଚେନ୍ ଝାମ୍ପି ନେଇ ସେଠାରୁ ଫେରାର ହୋଇଯାଇଥିଲେ। ଏହି ସମୟରେ ଯୁବତୀ ଜଣକ ଭାରସାମ୍ୟ ହରାଇ ସ୍କୁଟିରୁ ପଡ଼ିଯାଇଥିଲେ। ସେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି।
ସେହିପରି ଅନ୍ୟ ଏକ ଘଟଣା ଘଟିଛି ବାଲିପାଟଣା ଥାନା ଅଂଚଳରେ। ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଏକ ଘରୋଇ କଂପାନିର କଲେକ୍ସନ ଏଜେଣ୍ଟ ବାଇକ୍ରେ ଯାଉଥିବା ବେଳେ ୨ ଜଣ ବାଇକ୍ ଆରୋହୀ ଲୁଟେରା ବନ୍ଧୁକ ଦେଖାଇ ୧ ଲକ୍ଷ ୧୨ ହଜାର ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଲୁଟେରାମାନେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ଅଗ୍ରସର ହୋଇଥିବା ଜଣାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମଂଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଦିନ ଦ୍ୱିପ୍ରହରରେ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। କିନ୍ତୁ ଲୁଟ୍ ଘଟଣାର ୫ ଦିନ ପରେ ଅଭିଯୁକ୍ତ ଲୁଟେରା ସୌମ୍ୟରଂଜନ ଜେନା ପୁଲିସ ହାତରେ ଧରାପଡ଼ିଥିଲା।