ତାଲାବନ୍ଦ ବେଳେ ନିଶାଖିଆ ଲୁଟେରାଙ୍କ ପ୍ରାଦୁର୍ଭାବ: ମାରଣାସ୍ତ୍ରରେ କାର କାଚ ଭାଙ୍ଗି ମଝିରାସ୍ତାରେ ଲୁଟିଲେ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଲୁଟେରା ଗତ କିଛି ମାସ ହେବ ଆତଙ୍କ ସୃଷ୍ଟି କରିଛନ୍ତି। ଆଜି ଏହି ଥାନା ଆଇତଳଙ୍ଗ ତିଆଡ଼ି ସାହି ନିକଟରୁ ଢେଙ୍କାନାଳ ଜିଲ୍ଲାର ସୁଶାନ୍ତ କୁମାର ସାହୁ ଲୁଟେରାଙ୍କ ଶିକାର ହୋଇଛନ୍ତି। ୩ ବାଇକରେ ୬ ଜଣ ଲୁଟେରା ବିଭିନ୍ନ ମାରାଣାସ୍ତ୍ୱ ସହ ତାଙ୍କୁ ମଝି ରାସ୍ତାରେ ଆକ୍ରମଣ କରିଥିଲେ ଓ କାର କାଚ ଭାଙ୍ଗି ଟଙ୍କା , ବ୍ୟାଗ , ମୋବାଇଲ ଲୁଟିନେଇଛନ୍ତି। ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ସଦର ଥାନା ସିମୁଲିଆ ଗାଁର ନେତ୍ରାନନ୍ଦ ସାହୁଙ୍କ ପୁଅ ସୁଶାନ୍ତ କୁମାର ସାହୁ (୩୪ ) ଓ ତାଙ୍କ ସାଙ୍ଗ ପ୍ରମୋଦ କୁମାର ମହାରଣା କୌଣସି ଜରୁରୀ କାମରେ ଆଜି ସକାଳୁ ନିମାପଡା ଆସିଥିଲେ। ଅପରାହ୍ନ ୧୨ଟାରେ ଘରକୁ ଫେରୁଥିବା ସମୟରେ ବାଲିପାଟଣା ଥାନା ଆଇତଳଙ୍ଗ ତିଆଡ଼ି ସାହି ଠାରେ ୩ ଟି ବାଇକରେ ୬ ଜଣ ଯୁବକ ତାଙ୍କ କାରକୁ ମଝି ରାସ୍ତାରେ ଅଟକାଇ ଥିଲେ ଏବଂ ଗାଡି ନମ୍ବର ଓଡି 0୬ ଜେ ୭0୧୧ର ସାମ୍ନାରେ ମାରଣାସ୍ତ୍ରରେ କାର କାଚ ଭାଙ୍ଗି ଦେଇଥିଲେ। ସେମାନେ ବନ୍ଧୁକ , ଭୁଜାଲି , ଛୁରି ଦେଖାଇ ପାଖରେ ଥିବା ସବୁ ଦେଇ ଦେବାକୁ ଧମକ ଦେଇଥିଲେ।

ସୁଶାନ୍ତ ଭୟଭୀତ ହୋଇ ଦାମୀ ମୋବାଇଲ , ମନି ପର୍ସ ଓ ବ୍ୟାଗ ଲୁଟେରାଙ୍କୁ ବଢ଼ାଇ ଦେଇଥିଲେ। ଲୁଟ କରି ଦୁର୍ବୃତ୍ତମାନେ ନିମାପଡା , ଅଠାନ୍ତର ଦିଗରେ ଅଲଗା ଅଲଗା ହୋଇ ଚାଲି ଯାଇଥିଲେ। ସୂଚନା ପାଇ ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଁଚି ସୁଶାନ୍ତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲା । ଘଟଣାସ୍ଥଳରୁ ବନ୍ଧୁକରେ ବ୍ୟବହୃତ ଗୋଟିଏ ମାଗାଜିନ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର