ନୀଳାଦ୍ରିବିହାରରେ ଲୁଟେରାଙ୍କ ଆତଙ୍କରାଜ୍‌: ୧୫ ମିନିଟ୍‌ରେ ୨ ଲୁଟ୍‌, ୩ ଜଣଙ୍କୁ ଭୁଜାଲି ଚୋଟ

ଚନ୍ଦ୍ରଶେଖରପୁର : ଗୁରୁବାର ଦିନ ଏକ କଳା ପଲ୍‌ସରରେ ଥିବା ଦୁଇ ଜଣ ଲୁଟେରା ନୀଳାଦ୍ରିବିହାର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛନ୍ତି। ମାତ୍ର ୧୫ ମିନିଟ୍‌ ଭିତରେ ୨ ଜଣ ମହିଳାଙ୍କଠାରୁ ଚେନ୍‌ ଲୁଟି ନେଇଛନ୍ତି। ସେମାନଙ୍କୁ କାବୁ କରିବାକୁ ଯାଇ ୩ ଜଣ ଯୁବକ ଦୁର୍ବୃତ୍ତମାନଙ୍କ ଭୁଜାଲି ଚୋଟ ମଧ୍ୟ ଖାଇଛନ୍ତି। ଖବର ପାଇ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ବି ଦୁଇ ଦୁର୍ବୃତ୍ତଙ୍କ ଟେର୍ ପାଇନାହିଁ।

ଗୁରୁବାର ଦିନ ପ୍ରଥମ ଲୁଟ୍‌ ଘଟିଥିଲା ନୀଳାଦ୍ରିବିହାର ପେଟ୍ରୋଲ୍‌ ପମ୍ପ ନିକଟରେ। ଅପରାହଣ୍ ପ୍ରାୟ ସାଢ଼େ ୪ଟା ବେଳେ ଦୁର୍ବୃତ୍ତମାନେ ରେଣୁବାଳା ବେହେରାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ଫେରାର୍ ହୋଇଯାଇଥିଲେ। ଏହା ପରେ ମାତ୍ର ୧୫ ମିନିଟ୍‌ ବ୍ୟବଧାନରେ ସେମାନେ ମଙ୍ଗଳା ଛକରେ ଗଙ୍ଗୋତ୍ରୀ ମହାନ୍ତିଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଥିଲେ। ଫଳରେ ଗଙ୍ଗୋତ୍ରୀ ତଳେ ପଡ଼ି ଆହତ ହୋଇଥିଲେ। ଏହା ଦେଖି ମଙ୍ଗଳା ଛକରେ କିଛି ଯୁବକ ଦୁର୍ବୃତ୍ତଦ୍ବୟଙ୍କୁ ପିଛା କରି କାବୁ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ବାଇକ୍‌ ପଛରେ ବସିଥିବା ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିବାରୁ ୩ ଜଣ ଯୁବକ ଆହତ ହୋଇଥିଲେ। ତେଣୁ ଭୟରେ ଆଉ କେହି ସେମାନଙ୍କୁ ପିଛା କରିନଥିଲେ। ଫଳରେ ଦୁର୍ବୃତ୍ତଦ୍ବୟ ରଘୁନାଥପୁର ଦିଗରେ ପଳାଇଥିଲେ। ଖବର ପାଇ ପୁଲିସ ଟିମ୍‌ ପହଞ୍ଚିଥିଲେ ବି ସେତେବେଳକୁ ଦୁର୍ବୃତ୍ତମାନେ ଫେରାର୍ ହୋଇ ସାରିଥିଲେ। ଦୁର୍ବୃତ୍ତଦ୍ବୟ ହେଲ୍‌ମେଟ ଓ ମାସ୍କ ପିନ୍ଧି ଥିବାରୁ ସେମାନଙ୍କୁ କେହି ଚିହ୍ନି ପାରିନଥିବା କହିଛନ୍ତି। ଏମିତିକି ବାଇକ୍‌ର ନମ୍ବର ମଧ୍ୟ କେହି ଟିପି ପାରିନଥିବା ଜଣାପଡ଼ିଛି। ତେଣୁ ପୁଲିସ ସ୍ଥାନୀୟ ଅଞ୍ଚଳରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଲୁଟେରା ଦ୍ବୟଙ୍କୁ ଠାବ କରିବାକୁ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର