ଲୁଟ୍‌ର ଶିକାର ଫାଇନାନ୍‌ସ କର୍ମଚାରୀ ପିଛା ଛାଡ଼ିଲେନି: ଟଙ୍କା ବ୍ୟାଗ୍‌ ଓ ବାଇକ୍‌ ଛାଡ଼ି ଜଙ୍ଗଲକୁ ପଳାଇଲେ ଲୁଟେରା

ବାଲିଅନ୍ତା : ଲୁଟେରାଙ୍କ ହାତରେ କଟୁରି ଥିଲେ ବି ଲୁଟ୍‌ର ଶିକାର ହୋଇଥିବା ଫାଇନାନ୍‌ସ କର୍ମଚାରୀ ସେମାନଙ୍କ ପିଛା ଛାଡ଼ିନଥିଲେ। ବାଟରେ ଯାଉଥିବା ଜଣେ ସାହାସୀ ଯୁବକଙ୍କ ସହ ଫାଇନାନ୍‌ସ କର୍ମଚାରୀ ଲୁଟେରାମାନଙ୍କୁ ଗୋଡ଼ାଇଥିଲେ। ଶେଷରେ ଲୁଟେରାମାନେ ଧରାପଡ଼ିଯିବା ଭୟରେ ସେମାନଙ୍କ ବାଇକ୍‌ ଓ ଫାଇନାନ୍‌ସ କର୍ମଚାରୀଙ୍କଠାରୁ ଲୁଟ୍‌ କରିଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛାଡ଼ି ନିକଟସ୍ଥ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରୁ ବାଇକ୍‌ ଜବତ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଛି। ଘଟଣାଟି ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ମୁତାବକ, ବାଳକାଟିସ୍ଥିତ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଭାରତ ଫାଇନାନ୍ସର ଜଣେ କର୍ମଚାରୀଙ୍କୁ ପିଛା କରି ଦୁଇ ଦୁର୍ବୃତ୍ତ ନାଗପୁର ନିକଟରେ ଅଟକାଇଥିଲେ। ତାଙ୍କ ବେକରେ କଟୁରି ଲଗାଇ ଟଙ୍କା‌ ବ୍ୟାଗ ଛଡ଼ାଇ ନେଇଥିଲେ। ଫାଇନାନ୍‌ସ କର୍ମଚାରୀଙ୍କ ବାଇକ୍‌ର ହ୍ୟାଣ୍ଡେଲ୍‌ ଲକ୍‌ କରି ଚାବି ଛଡ଼ାଇ ନେଇଥିଲେ ଓ ପଳାଇଥିଲେ। ବ୍ୟାଗ୍‌ ୧୫ ହଜାର ଟଙ୍କା, ରିସିଦ୍ ମେସିନ୍‌ ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଥିଲା। ଠିକ୍ ଏତିକିବେଳେ ସେହି ରାସ୍ତାରେ ଅନ୍ୟ ଜଣେ ଯୁବକ ବାଇକ୍‌ରେ ଯାଉଥିଲେ। ଫାଇନାନ୍‌ସ କର୍ମଚାରୀଙ୍କଠାରୁ ଲୁଟ୍‌ କଥା ଶୁଣି ଯୁବକ ଜଣକ ତାଙ୍କୁ ବାଇକ୍‌ରେ ବସାଇ ଲୁଟେରାଦ୍ବୟଙ୍କୁ ଗୋଡ଼ାଇଥିଲେ। ସେମାନଙ୍କ ସହ ଆଉ କିଛି ଯୁବକ ମଧ୍ୟ ବାଇକ୍‌ରେ ପିଛା କରିଥିଲେ। ଟଙ୍କପାଣି ବ୍ରିଜ୍‌ର ଅପରପାର୍ଶ୍ବ ବାଙ୍କୁଆଳ ନିକଟରେ ସେମାନେ ଲୁଟେରାଙ୍କ ପାଖାପାଖି ହୋଇ ଯାଇଥିଲେ। ଲୁଟେରାଦ୍ବୟ ଆଉ ଖସିବା ବାଟ ପାଇନଥିଲେ। ତେଣୁ ସେମାନେ ଟଙ୍କା ବ୍ୟାଗ୍‌ ଓ ବାଇକ୍‌ ଛାଡ଼ି ନଦୀ ପଠା ଜଙ୍ଗଲ ଭିତର ଆଡ଼କୁ ଦୌଡ଼ି ପଳାଇଥିଲେ।

ସମ୍ବନ୍ଧିତ ଖବର