ଟାଟା ପାଓ୍ୱାର ଅଧିକାରୀଙ୍କୁ ସାଇବର ଠକ ଲୁଟିବା ଘଟଣା: ଫେରିଲା ୨୫ ହଜାର

ଭୁବନେଶ୍ବର : ଟାଟା ପାଵାର ଅଧିକାରୀଙ୍କୁ ସାଇବର ଠକ ୧.୩୬ ଲକ୍ଷ ଟଙ୍କା ଲୁଟିବା ମାମଲାରେ ୨୫ ହଜାର ଟଙ୍କା ଫେରିଛି। ଠକେଇର ଶିକାର ହୋଇଥିବା ପ୍ରଶାନ୍ତ କୁମାର ପତିଙ୍କ ଆକାଉଣ୍ଟକୁ ଏହି ଟଙ୍କା ଫେରିଛି। ବାକି ଟଙ୍କା ଫେରିବାକୁ ପୁଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି। ପ୍ରଶାନ୍ତ ତାଙ୍କ କ୍ରେଡିଟ୍ କାର୍ଡ ବିଲ୍ ବାବଦରେ ଯାଞ୍ଚ କରୁଥିବା ସମୟରେ ସାଇବର ଠକଙ୍କ ଶିକାର ହୋଇଥିଲେ। ତାଙ୍କ ଆକାଉଣ୍ଟରୁ ୧.୩୬ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା।

ପୂର୍ବ ବିବାଦରୁ ଆକ୍ରମଣ
ବାଲିପାଟଣା : ପୂର୍ବ ବିବାଦକୁ କେନ୍ଦ୍ର କରି ଭାକରସାହି ହଳଦୀ ବସନ୍ତ ଗ୍ରାମର ଅର୍ଜୁନ ବେହେରା ଓରଫ୍‌ ଧନୁଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସେ ଏବେ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ସୂଚନାନୁସାରେ ଅଭିରାମ ବେହେରା ଏବଂ ରମେଶ ବେହେରାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଅଭିରାମଙ୍କ ପୁଅ ଅର୍ଜୁନ ଗାଁ ପାଖ କେନାଲକୁ ଶୌଚ ନିମନ୍ତେ ଯାଇଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ବିପିନ୍‌ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଏକ ଧାରୁଆ ଅସ୍ତ୍ରରେ ଅର୍ଜୁନଙ୍କ ହାତ ଏବଂ ଗୋଡ଼କୁ ହାଣି ଦେଇଥିଲା। ଏନେଇ ଅର୍ଜୁନଙ୍କ ପରିବାର ଥାନାରେ ଏତଲା ଦେଇଥିବା ବେଳେ ବିପିନ୍‌ଙ୍କ ପରିବାର ପକ୍ଷରୁ ମଧ୍ୟ ପାଲଟା ଏତଲା ଦିଆଯାଇଛି। ପୁଲିସ୍‌ ୨ଟି ପୃଥକ୍‌ ମାମଲା ରୁଜୁ କରିଛି।

ପୂର୍ବ ଶତ୍ରୁତାରୁ ଜଣକୁ ଆକ୍ରମଣ
ବାଲିଅନ୍ତା, : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଲାଗି ରହିଥିବା ବିବାଦରୁ ପୁଣି ଆଜି ଜଣେ ଯୁବକ ବିପକ୍ଷ ଗୋଷ୍ଠୀର ଆକ୍ରମଣରେ ଗୁରୁତର ହୋଇଛନ୍ତି। ବୁଢ଼ାଲୋ ଗ୍ରାମର କିଛି ଯୁବକଙ୍କ ଆକ୍ରମଣରେ ସାନ ବଇଁଚୁଆ ଗ୍ରାମର ପ୍ରସନ୍ନ ସାହୁ(୪୬) ଆହତ ହୋଇଛନ୍ତି। ପ୍ରସନ୍ନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଘରକୁ ଫେରାଇ ଦିଆଯାଇଛି। ସୂଚନାନୁସାରେ ବୁଢ଼ାଲୋ ଓ ସାନ ବଇଁଚୁଆ ଗାଁ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଘଟିଛି। ଆଜି ରାତି ପ୍ରାୟ ୮ଟା ସମୟରେ ବୁଢ଼ାଲୋ ଗ୍ରାମର ୪ ଜଣ ଯୁବକ ଭିଙ୍ଗାରପୁର ବଜାରରେ ସାନବଇଁଚୁଆ ଗ୍ରାମର ପ୍ରସନ୍ନଙ୍କୁ ଅଟକାଇ ମାଡ଼ ମାରିଥିଲେ।

ଲୁଟେରା ଗିରଫ, ୪ ମୋବାଇଲ୍‌ ଜବତ
ଭୁବନେଶ୍ବର : ରେଳବାଇ ଥାନା ପୁଲିସ ପୁରୀର ରଂଜିତ ବେହେରା(୩୬)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ଠାରୁ ୪ଟି ମୋବାଇଲ୍‌ ଜବତ ହୋଇଛି। ଆଜି ଟ୍ରେନ୍‌ ଯାତ୍ରୀ ଦୁଷ୍ମନ୍ତ ରାଉତ ଅନୁଗୁଳୁ ଯିବା ପାଇଁ ୪ନମ୍ବର ପ୍ଲାଟଫର୍ମରେ ବଲାଙ୍ଗୀର ଇଣ୍ଟରସିଟିକୁ ଅପେକ୍ଷା କରିଥିଲେ। ଏହି ସମୟରେ ରଂଜିତ ତାଙ୍କ ବ୍ୟାଗ୍‌ ଓ ମୋବାଇଲ୍‌ ଛଡ଼ାଇନେଇଥିଲା। ତେବେ ଜିଆର୍‌ପି ଓ ଆର୍‌ପିଏଫ୍‌ କର୍ମଚାରୀ ତାକୁ କାବୁ କରିଥିଲେ। ଥାନାକୁ ଆଣି ପଚରାଉଚରା ବେଳେ ତାଠାରୁ ଅଧିକ ୩ ଟି ମୋବାଇଲ୍‌ ମିଳିଥିଲା।

ସମ୍ବନ୍ଧିତ ଖବର