ପୁରୁଣା ଭୁବନେଶ୍ୱର : ଲକ୍ଡାଉନ୍ କଟକଣା ସାମାନ୍ୟ କୋହଳ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଲାଣି। ସୁଯୋଗ ନେଇ ଲୁଟେରାମାନେ ଲୋକଙ୍କୁ ଲୁଟ୍ କରିବା ଆରମ୍ଭ କଲେଣି ବୋଲି ଅଭିଯୋଗ ହେଉଛି। ଗତ ଦୁଇ ଦିନ ମଧ୍ୟରେ ଜଣେ ସାମ୍ବାଦିକ ଲୁଟ୍ରୁ ବର୍ତ୍ତିଯିବା ଓ ଜଣେ ବିଜେପି ନେତା ଲୁଟ୍ର ଶିକାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଲୁଟେରା ମାତିବା କଥାର ପ୍ରମାଣ ଦେଉଛି।
ସୂଚନାନୁସାରେ, ଶୁକ୍ରବାର ରାତିରେ ରଥରୋଡ୍ରେ ଜଣେ ସାମ୍ବାଦିକ ଲୁଟ୍ରୁ ବର୍ତ୍ତି ଯାଇଥିଲେ। ଲୁଟେରାମାନେ ତାଙ୍କ ମୋବାଇଲ୍ ଲୁଟ୍ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଦୁଇ ଜଣ ଲୁଟେରା ଗୋସାଗରେଶ୍ବର ଆଡ଼ୁ ଆସି ମାଉସୀ ମା’ ଛକ ନିକଟରେ ତାଙ୍କ ମୋବାଇଲ୍କୁ ଝାମ୍ପି ନେବାକୁ ବସିଥିଲେ। ମାତ୍ର ମୋବାଇଲଟି ତଳେ ଖସି ପଡ଼ିବାରୁ ସେମାନେ ନେଇ ପାରିନଥିଲେ। ସେହିପରି କେଉଟ ସାହି ଛକଠାରେ ବିଜେପି ନେତା ବାବୁ ସିଂଙ୍କୁ ଲୁଟିବାରେ ସଫଳ ହୋଇଥିଲେ। ବାଇକ୍ରେ ଥିବା ଦୁଇ ଲୁଟେରା ତାଙ୍କ ହାତରୁ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପୁଲିସର କଡ଼ା ପହରା ହେଉନାହିଁ। ଫଳରେ ଲକଡାଉନ୍ ଚୋରଙ୍କୁ ପୂରା ମଉକା ଦେଉଛି। ସେହିଭଳି ଏହି ଅଞ୍ଚଳରେ ରୋଡ ରୋମିଓଙ୍କ ଉତ୍ପାତ ମଧ୍ୟ ଅସମ୍ଭାଳ ହେଲାଣି। ବାଇକ୍ ଧରି ରାସ୍ତାରେ ଘେରା ମାରୁଛନ୍ତି। କୌଣସି ନିୟମ ମାନୁ ନାହାନ୍ତି।