ରାଜଧାନୀ ଓ ଉପକଣ୍ଠ‌ରେ ବୃଦ୍ଧି ପ‌ାଉଛି ଲୁଟେରାଙ୍କ ଉତ୍ପାତ

ଚେନ୍‌ ଝାମ୍ପି ପଳାଉଥିଲେ, ହମ୍ପସ୍‌ରେ ଛିଟିକି ପଡ଼ିଲେ, ୨ କୁଖ୍ୟାତ ଲୁଟେରା ଗୁରୁତର

ଭୁବନେଶ୍ବର : ହୁସିଆର୍‌! ମାତିଛନ୍ତି ଲୁଟେରା। ଟିକିଏ ଅସାବଧାନ ହେଲେ ସୁନା, ଅଳଙ୍କାର, ମୋବାଇଲ ଭଳି ଦାମୀ ଜିନିଷ ଲୁଟି ନେଇ ନିମିଷକ ମଧ୍ୟରେ ଫେରାର୍‌ ହୋଇଯାଉଛନ୍ତି। ଖାଲି ସେତିକି ନୁହେଁ, ୧୨ଘଣ୍ଟିଆ କର୍ଫ୍ୟୁର ସୁଯୋଗ ନେଇ ଲୋକଙ୍କ ଘରେ ପଶି ବି ଲୁଟ୍‌ପାଟ୍‌ କରିବା ଆରମ୍ଭ କଲେଣି। ଗତ କିଛି ଦିନ ହେବ, ରାଜଧାନୀ ଓ ଉପକଣ୍ଠ‌ରେ ଏମିତି ଉତ୍ପାତ କରୁଛନ୍ତି ଲୁଟେରା। କୋଭିଡ୍‌ ମୁକାବିଲାରେ ପୁଲିସ୍‌ ବ୍ୟସ୍ତ ଥିବା ବେଳେ ଅପରାଧୀମାନେ ପୂରା ବେଲଗାମ ହୋଇଗଲେଣି। ବଡ଼ କଥା ହେଲା, ଅମାନିଆଙ୍କୁ ଧରିବା ପାଇଁ ରାଜଧାନୀର ସବୁ ଛକରେ ପୁଲିସ୍‌ କ୍ୟାମ୍ପ ପଡ଼ିଥିବା ବେଳେ ଲୁଟେରାମାନେ କେମିତି ଖସି ଯାଉଛନ୍ତି, ସେନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଲାଣି। ସେହିପରି ଗତ କିଛି ଦିନ ମଧ୍ୟରେ ଘଟିଥିବା ଚୋରି ଓ ଲୁଟ୍‌ ଘଟଣାରେ ଅପରାଧୀଙ୍କୁ ଧରିବାରେ ବିଶେଷ ସଫଳତା ମିଳୁ ନଥିବାରୁ ପୁଲିସର କାର୍ଯ୍ୟଦକ୍ଷତା ଉପରେ ବି ଅଙ୍ଗଳୁ ଉଠିଲାଣି।

ଚେନ୍‌ ଝାମ୍ପି ପଳାଉଥିଲେ, ହମ୍ପସ୍‌ରେ ଛିଟିକି ପଡ଼ିଲେ, ୨ କୁଖ୍ୟାତ ଲୁଟେରା ଗୁରୁତର
ଧଉଳି : କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାରରେ ନ ଥାଏ। ଦିନେ ନା ଦିନେ ଅପରାଧୀ ଧରାପଡ଼ିଯାଏ। ଠିକ୍‌ ସେମିତି ଆଜି ଧଉଳି ପାହାଡ଼ ନିକଟରେ ଦୁଇ କୁଖ୍ୟାତ ଲୁଟେରାଙ୍କ ଭାଗ୍ୟରେ ଦଇବ ଦାଉ ସାଧିଛି। ସାନ୍ଧ୍ୟ ଭ୍ରମଣରେ ବାହାରିଥିବା ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ଫେରାର୍ ହେବାକୁ ବସିଥିବା ଦୁଇ କୁଖ୍ୟାତ ଲୁଟେରା ଦୁର୍ଘଟଣାଗ୍ରସ୍ତ ହୋଇ ଧରା ପଡ଼ିଯାଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଇଛି। ସେମାନେ ହେଲେ, ଧଉଳି ଥାନା ନୂଆଗାଁ ଅଞ୍ଚଳର କାର୍ତ୍ତିକ ସେଠୀ ଓ ଶ୍ରୀନିବାସ ଭୋଇ। ପୁଲିସ୍‌ ସେମାନଙ୍କଠାରୁ ଏକ ଭୁଜାଲି ଜବତ କରିଥିବା ବେଳେ ମହିଳାଙ୍କ ସୁନାଚେନ୍‌ ଉଦ୍ଧାର କରିପାରିନାହିଁ।

ସୂଚନାନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଧଉଳି ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ଲୁଟ୍‌ ଉଦ୍ୟମ ଘଟଣା ଘଟିଥିଲା। ସ୍ଥାନୀୟ ଗୋପିନାଥପୁର ଗ୍ରାମର ରାନୁ ପଟ୍ଟନାୟକ ତାଙ୍କ ଦୁଇ ଭଉଣୀଙ୍କ ସହିତ ସାନ୍ଧ୍ୟ ଭ୍ରମଣରେ ଧଉଳି ପାହାଡ଼ ଅଞ୍ଚଳକୁ ଯାଇଥିଲେ। ସେମାନେ ଘରକୁ ଫେରୁଥିବା ବେଳେ ବାଟରେ ଛକି ରହିଥିବା ଦୁଇ ଲୁଟେରା ସେମାନଙ୍କୁ ପିଛା କରି ଏକ ନିଛାଟିଆ ସ୍ଥାନରେ ରାନୁଙ୍କ ବେକରୁ ଦେଢ଼ଭରି ଓଜନର ସୁନାଚେନ୍‌ ଝାମ୍ପି ନେଇଥିଲେ। ରାନୁ ଚୋର ଚୋର ବୋଲି ଚିତ୍କାର କରିବାରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ବାଇକ୍‌ ଯୋଗେ ଲୁଟେରାଦ୍ବୟଙ୍କ ପିଛା କରିଥିଲେ। ‌ତେଣୁ ଲୁଟେରାଦ୍ବୟ ବାଇକ୍‌‌ର ବେଗ ବଢ଼ାଇ ଦେଇଥିଲେ। ଏକ ହମ୍ପସ୍‌ ଡେଉଁ ଡେଉଁ ସେମାନେ ଭାରସାମ୍ୟ ହରାଇଥିଲେ ଓ ବାଇକ୍‌ ସହ ପ୍ରାୟ ୧୦/୧୨ ଫୁଟ୍ ଉପରକୁ ଛିଟିକି ପଡ଼ିଥିଲେ। ଜଣେ ଦୁର୍ବୃତ୍ତ ଛଟିକି ଯାଇ ନିକଟସ୍ଥ ବିଦ୍ୟୁତ୍ ଖମ୍ବରେ ପିଟି ହୋଇଯାଇଥିଲା। ପ୍ରଚୁର ରକ୍ତସ୍ରାବ ହେବାରୁ ଲୁଟେରାଦ୍ବୟ ସଂଜ୍ଞାହୀନ ହୋଇପଡ଼ିଥିଲେ। ଖବର ପାଇ ଧଉଳି ଥାନା ପୁଲିସ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲା। ସୂଚନାଯୋଗ୍ୟ ଯେ ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ କିଛି ଦିନ ହେଲା ଏକ ଲୁଟେରାଯୋଡ଼ି ଘନଘନ ଛିନ୍‌ତାଇ କରି ଆତଙ୍କ ଖେଳାଇ ଚାଲିଛନ୍ତି। ହୁଏତ ସେମାନେ ଏହି ଯୋଡ଼ି ହୋଇଥିବେ ବୋଲି ସନ୍ଦେହ କରି ଦୁଇ ଥାନା ପୁଲିସ ଲୁଟେରାଦ୍ବୟଙ୍କ ବାବଦରେ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।

ସିସିଟିଭି ଫୁଟେଜ୍ ଧରି ବୁଲୁଛି ପୁଲିସ୍, ସ୍ପିଡ୍‌ ବାଇକ୍‌ରେ ମୋଟୁ-ପତଲୁ
ଗତ ୮ ତାରିଖରେ ବାଲିପାଟଣା ଥାନା ଅଠାନ୍ତର ଗିରିଙ୍ଗ ମହାନ୍ତି ସାହିର ବାସନ୍ତୀ ମଞ୍ଜରି ମହାନ୍ତିଙ୍କ ବେକରୁ ସୁନା ଚେନ୍ ଲୁଟ୍, ୧୨ ତାରିଖରେ ଖଣ୍ଡଗିରି ଥାନା ଡେଲଟା ଛକ-କ୍ରିଷ୍ଣା ଗାର୍ଡେନ୍‌ ରାସ୍ତାରେ ମର୍ଣ୍ଣିଂଵାକ୍ କରିବା ସମୟରେ ଦିବ୍ୟରାଜ ମହାନ୍ତିଙ୍କଠାରୁ ଲୁଟ୍ ଓ ବାଲିଅନ୍ତାର ଏକ ଲୁଟ୍ ଘଟଣାର ସିସିଟିଭି ଦୃଶ୍ୟ ପୁଲିସ୍‌ ପାଖରେ ରହିଛି। ଏହି ଫୁଟେଜ୍‌ରୁ ଲୁଟ୍‌ର ତରିକା ଓ ଲୁଟ୍‌ରେ ବ୍ୟବହୃତ ବାଇକ୍‌ ସମାନ ବୋଲି ଜଣାପଡ଼ୁଛି। ତେଣୁ ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍‌ ଏହା ପଛରେ ଥିବା ପୁଲିସ୍‌ ଅନୁମାନ କରୁଛି। ସେହିପରି ବାଇକ୍‌ ଚଳାଉଥିବା ଦୁର୍ବୃତ୍ତ ପତଳା ହୋଇଥିବା ବେଳେ ପଛରେ ବସିଥିବା ଲୁଟେରା ମୋଟା ବୋଲି ଫୁଟେଜ୍‌ରୁ ଜଣାପଡ଼ୁଛି। ତେଣୁ ଏହି ଗ୍ୟାଙ୍ଗର ନାମ ମୋଟୁ-ପତଲୁ ବୋଲି ସାଧାରଣରେ କୁହାଗଲାଣି। ତେବେ ଲୁଟେରାଦ୍ବୟ ମୁହଁରେ ମାସ୍କ ପିନ୍ଧିଥିବାରୁ ଫୁଟେଜ୍‌ରୁ ସେମାନଙ୍କୁ ଚିହ୍ନଟ କରାଯାଇପାରିନାହିଁ।

ଲୁଟେରାଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି
ରାଜଧାନୀରେ ହାତଗଣତି ଚୋରି, ଲୁଟ୍ ହେଉଛି। ଦିନକୁ ପ୍ରାୟ ୪ଟିରୁ ୫ଟି ହେଉଛି। ପୂର୍ବରୁ ଏହି ସଂଖ୍ୟା ପ୍ରାୟ ୫ ଗୁଣ ଥିଲା। ପୂର୍ବ ତୁଳନାରେ ଏବେ ଯଥେଷ୍ଟ କମ୍‌ ରହିଛି। ଲୁଟେରାଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ଚଳିତ ମାସର କିଛି ପ୍ରମୁଖ ଲୁଟ୍‌ ଘଟଣା
୭/୬: ରାଜଧାନୀ ଉପକଣ୍ଠ ସୁନ୍ଦରପଦାସ୍ଥିତ ହାଇଟେକ୍ ପ୍ଲାଜା ସିକ୍ୟୁରିଟି ସୁପରଭାଇଜର୍‌ କୈବଲ୍ୟରାଜ ପଟ୍ଟନାୟକଙ୍କୁ ଅପହରଣ।
୮/୬: ବାଲିପାଟଣା ଥାନା ଅଠାନ୍ତର ଗିରିଙ୍ଗ ମହାନ୍ତି ସାହିର ବାସନ୍ତୀ ମଞ୍ଜରି ମହାନ୍ତିଙ୍କ ବେକରୁ ସୁନା‌ଚେନ୍‌ ଲୁଟ୍‌। ସେହିଦିନ ବାଲିଅନ୍ତା ଥାନା ଭିଙ୍ଗାରପୁରରେ ବାସନ୍ତୀ ସାହୁଙ୍କଠାରୁ ୧୨ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟ୍।
୯/୬: ବଡ଼ଗଡ଼ ଥାନା ରତ୍ନାକରବାଗରେ ଜଣେ ବ୍ୟକ୍ତିଙ୍କ ଘର ଗ୍ରିଲ୍ ତାଡ଼ି ଦୁର୍ବୃତ୍ତ ନଗଦ ୩୬ ହଜାର ଟଙ୍କା, ସୁନା ଅଳଙ୍କାର ଲୁଟି ନେଇଥିଲେ। ସେହିଦିନ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର କଲୋନିରୁ ଡି.ଏସ୍‌ କୁମାରଙ୍କ ଘର ଭାଙ୍ଗି ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଥିଲେ।
୧୧/୬: ଲକ୍ଷ୍ମୀସାଗର ଥାନା ମହାଦେବନଗର ରୋଡ୍ ନଂ-୫, ଲେନ୍ ନଂ-୨ରେ ଦୁର୍ବୃତ୍ତ ରାଜକିଶୋର ନାୟକଙ୍କ ଘରେ ପଶି ଟଙ୍କା, ସୁନା ଅଳଙ୍କାର ଲୁଟି ନେଇଥିଲେ। ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ପଶି ମହିଳାଙ୍କୁ ମାରଣାସ୍ତ୍ର ଦେଖାଇ ସୁନାଚେନ୍ ଲୁଟିଥିଲେ।
୧୨/୬: ଖଣ୍ଡଗିରି ଥାନା ଡେଲଟା-କ୍ରିଷ୍ଣା ଗାର୍ଡେନ୍‌ ରାସ୍ତାରେ ମର୍ଣ୍ଣିଂଵାକ୍ କରିବା ସମୟରେ ଦିବ୍ୟରାଜ ମହାନ୍ତି ନାମକ ଯୁବକଙ୍କଠାରୁ ଦୁଇ ଦୁର୍ବୃତ୍ତ ସୁନାଚେନ୍ ଲୁଟି ନେଇଥି‌ଲେ।
୧୩/୬: ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ସେକ୍ଟରେ-୨ ପ୍ଲଟ୍ ନଂ-୧୫୨ରେ ରହୁଥିବା ଲିପ୍ସା ମହାପାତ୍ରଙ୍କ ଘରେ ଜଣେ ଯୁବତୀ ଓ ଯୁବକ ପଶି ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା, ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା।
୧୩/୬: ଖାରବେଳନଗର ପ୍ରେସ୍‌ କଲୋନିରେ କାଶୀନାଥ ବାରିକଙ୍କ ଗ୍ରୋସରି ଦୋକାନରୁ ଚୋରି। ସେହିପରି ମଞ୍ଚେଶ୍ବର ଇଞ୍ଜଣା ଗାଁରେ ବ୍ରଜବନ୍ଧୁ ପରିଡ଼ାଙ୍କ ଜୋତା ଦୋକାନରୁ ୭୦ ହଜାର ଟଙ୍କା, ଜୋତା ଲୁଟ୍।

ଅଧ୍ୟାପକଙ୍କଠାରୁ ଝାମ୍ପିନେଲେ ମୋବାଇଲ୍‌
ଭୁବନେଶ୍ବର : ପୁଲିସ୍‌ ନିଷ୍କ୍ରିୟତାର ସୁଯୋଗ ନେଇ ଉପରମୁହାଁ ହୋଇଗଲେଣି ଲୁଟେରା। କି’ ଦିନ, କି’ ରାତି, ଶୂନ୍‌ଶାନ୍‌ ହେଉ କି ଜନଗହଳି, କିଛି ମାନୁନାହାନ୍ତି କି କାହାରିକୁ ଭୟ ବି ନାହିଁ। ଯୋଉଠି ପାରିଲେ, ଯାହାକୁ ପାରିଲେ ଲୁଟିଲେ। ଗତ କିଛି ଦିନ ତଳେ ୟୁନିଟ୍‌-୨ ଅଞ୍ଚଳରୁ ଦିନ ଦି’ପହରେ ଜଣେ ଯୁବତୀଙ୍କଠାରୁ ଚେନ୍‌ ଲୁଟ୍‌ କରିଥିଲେ। ଲୁଟ୍‌ ବେଳେ ସେମାନେ ଯୁବତୀଙ୍କୁ ରାସ୍ତାରେ ୨୦ ମିଟର୍‌ ଘୋଷାଡ଼ି ନେଇଥିଲେ। ତେବ‌େ ଏଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ଏଥରକ ଜଣେ ଅଧ୍ୟାପକ ଲୁଟ୍‌ର ଶିକାର ହୋଇଛନ୍ତି। ସେ ହେଲେ, ବିଜେବି କଲେଜ ଅଧ୍ୟାପକ ଆଶିଷ ସିଂହ। ସୂଚନା ଅନୁଯାୟୀ, ପତ୍ନୀଙ୍କ ସହ ଶ୍ରୀ ସିଂହ ଗତକାଲି ସକାଳ ପ୍ରାୟ ୮ଟା ବେଳେ ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ଇଡିକଲ୍‌ ଅଟୋରିୟମ୍‌ ସାମ୍ନା‌ରେ ଦୁଇଜଣ ଯୁବକ ତାଙ୍କର ଏକ ଦାମୀ ମୋବାଇଲ୍‌ ଝାମ୍ପି ନେଇଛନ୍ତି। ଶ୍ରୀ ସିଂହ ହାତରେ ମୋବାଇଲ୍‌ ଧରି ଚାଲି ଚାଲି ଯାଉଥିବା ବେଳେ ଏକ ପଲସର୍‌ରେ ଦୁଇଜଣ ଯୁବକ ପଛପଟୁ ଆସି ଝାମ୍ପି ନେଇଥିଲେ। ଏ ସଂପର୍କରେ ଶ୍ରୀ ସିଂହ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ହେଁ ପୁଲିସ ଲୁଟେରାଙ୍କୁ ଧରି ପାରିନାହିଁ।

ସମ୍ବନ୍ଧିତ ଖବର