‘ସମ୍ବାଦ’ ସାମ୍ବାଦିକଙ୍କ ଗାଡ଼ି ଭାଙ୍ଗି ଚୋରି

ରସୁଲଗଡ଼ ଶିଳ୍ପାଞ୍ଚଳ ନିଶାଖୋର୍‌ଙ୍କ ଆଡ଼ାସ୍ଥଳୀ

ଭୁବନେଶ୍ୱର : ‘ସମ୍ବା‌ଦ’ର ଚିଫ୍‌ ରିପୋର୍ଟର ଚୌଧୁରୀ ଅମିତାଭ ଦାସଙ୍କ କାର୍‌ରୁ ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ସମ୍ବାଦ ଭବନ କଡ଼ରେ ପାର୍କିଂ ହୋଇଥିବା କାର୍‌ର କାଚ ଭାଙ୍ଗି ଦୁର୍ବୃତ୍ତ ୩ ହଜାର ୫ଶହ ନଗଦ ଟଙ୍କା ସମେତ ଏକ ଦାମୀ ହାତ ଘଣ୍ଟା, ପେନ୍‌ ଡ୍ରାଇଭ୍‌, ଜୋତା, ମୋବାଇଲ ଚାର୍ଜର ପ୍ରଭୃତି ଚୋରି କରି ନେଇଛନ୍ତି। କାମ ସାରି ଅଫିସରୁ ପ୍ରାୟ ସାଢ଼େ ୧୨ଟା ବେଳେ ବାହାରିବା ବେଳେ ଶ୍ରୀ ଦାସ ଗାଡ଼ି ଏଭଳି ଭଙ୍ଗା ଯାଇଥିବା ଦେଖିଥିଲେ। ସେ ତୁରନ୍ତ ସହିଦନଗର ଓ ମଞ୍ଚେଶ୍ବର ଥାନାକୁ ଖବର ଦେଇଥିଲେ। ମଞ୍ଚେଶ୍ବର ଥାନା ଭାରପ୍ରାପ୍ତ ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ, ଏସ୍‌ଆଇ ଷ୍ଟାଲିନ ବିଶ୍ବାଳ, ସହିଦନଗର ଥାନା ଇନ୍‌ସ୍‌ପେକ୍ଟର ବିରଞ୍ଚି ପତି ପ୍ରମୁଖ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲେ। ଆଜି ସକାଳେ ସହିଦନଗର ଥାନା ପୁଲିସ ରସୁଲଗଡ଼ ଶିଳ୍ପାଞ୍ଚଳ ପରିସରରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଘରୋଇ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ହେଲେ ଲୁଟେରାଙ୍କ ଟେର୍‌ ମିଳି ପାରି ନାହିଁ। ଶ୍ରୀ ଦାସଙ୍କ ଅଭିଯୋଗକ୍ରମେ ସହିଦନଗର ଥାନାରେ ଏକ ଚୋରି ମାମଲା ରୁଜୁ ହୋଇଛି।

ରସୁଲଗଡ଼ ଶିଳ୍ପାଞ୍ଚଳ ଭିତରେ ଥିବା ‘ସମ୍ବାଦ ଭବନ’ ସହ ଅନ୍ୟ ଗୋଟିଏ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟ ରହିଛି। ଏହାସହ ୫୦ରୁ ଊର୍ଦ୍ଧ୍ବ ଶିଳ୍ପାନୁଷ୍ଠାନ ରହିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ସବୁ ଅନୁଷ୍ଠାନ ଚଳଚଞ୍ଚଳ ରହିବା ସହ ସୁରକ୍ଷା କର୍ମୀ ସଜାଗ ରହିଥ‌ାନ୍ତି। ବାଣୀବିହାର ଷ୍ଟେସନ୍‌ ରହୁଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଯାତ୍ରୀଙ୍କର ଏଠାରେ ଗହଳି ଚହଳି ଲାଗି ରହିଥାଏ। ଏ ସବୁ ସତ୍ତ୍ବେ ଦୁର୍ବୃତ୍ତ ଏଭଳି କାଚ ଭାଙ୍ଗି ଚୋରି କରିବା କମିସନରେଟ୍‌ ପୁଲିସ ପାଇଁ ଏକ ଆହ୍ବାନ ହୋଇଛି।

ଏହି ଶିଳ୍ପାଞ୍ଚଳ ନିଶାଖୋରଙ୍କ ଆଡ଼ାସ୍ଥଳ ପାଲଟିଛି। ଶିଳ୍ପାଞ୍ଚଳ ପରିସରରେ ଅନେକ ଜାଗାରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନାହିଁ। ଫନି ପରେ କେତେକ ଦୋକାନ ଭାଙ୍ଗିବା ପରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଅନ୍ଧାରୁଆ ଜାଗା ହୋଇଥିବାରୁ ବିଭିନ୍ନ ଜାଗାରେ ମଦ୍ୟପଙ୍କ ଆଡ଼ା ଜମୁଛି। ସନ୍ଧ୍ୟା ହେଲେ ସହରର ବିଭିନ୍ନ ଜାଗାରୁ ନିଶାଖୋରମାନେ ଏଠାରେ ଏକାଠି ହେଉଛନ୍ତି। କେହି ନ ଥିବାର ସୁଯୋଗ‌ ନେଇ ଲୁଟ୍‌ପାଟ୍‌ କରୁଛନ୍ତି। ଏନେଇ ସହିଦନଗର ଆଇଆଇସି ବିରଞ୍ଚି ନାରାୟଣ ପତି କହିଛନ୍ତି, ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ଧରାଯିବ। ଏହି ଅଞ୍ଚଳରେ କଡ଼ା ପାଟ୍ରୋଲିଂ ମଧ୍ୟ ଆମେ ନିଶ୍ଚିତ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର