ଲୁଟେରାଙ୍କ ଟାର୍ଗେଟ୍‌‌‌ରେ ବନ୍ଦ ଦୋକାନ: ବସ୍ତ୍ରାଳୟ ଗୋଦାମରୁ ଲୁଟିନେଲେ କାର୍, ୩ଲକ୍ଷ ଟଙ୍କା ଓ ଲାପଟପ୍

ଭୁବନେଶ୍ବର : ଭିଆଇପି କଲୋନିସ୍ଥିତ ଏନ୍-୧୨୦‌‌ରେ ଥିବା ଏକ ବସ୍ତ୍ରାଳୟ ଗୋଦାମ ଘରୁ ଗତରାତିରେ ଲୁଟ୍ ହୋଇଛି। ୩ରୁ ୪ଜଣ ଦୁର୍ବୃତ୍ତ ଗୋଦାମ ଘର ପରିସରରେ ଥିବା ଏକ କାର୍ ସମେତ ୩ଲକ୍ଷ ଟଙ୍କା ଓ ଲାପ୍‌ଟପ୍‌ ଲୁଟି ନେଇଛନ୍ତି। ଏ ସଂପର୍କରେ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଫରେନସିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଉକ୍ତ ଗୋଦାମ ଘରୁ ଫୋରେନ୍‌ସିକ୍ ଟିମ୍‌କୁ ଦୁଇରୁ ତିନିଜଣଙ୍କ ଫିଙ୍ଗରପ୍ରିଣ୍ଟ ମିଳିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସେହି ଆଧାରରେ ପୁଲିସ ଲୁଟେରାଙ୍କୁ ଧରିବା ପାଇଁ ଚେଷ୍ଟା କରୁଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୀର୍ଘ ଦିନ ହେବ ଏହି ଘର ବନ୍ଦ ହୋଇପଡ଼ିଥିଲା। ଲକ୍‌ଡାଉନ୍ ଯୋଗୁଁ ବ୍ୟବସାୟ ବନ୍ଦ ଥିବାରୁ ଷ୍ଟୋର୍‌ ରୁମ୍‌କୁ ବିଶେଷ ଯାତାୟାତ ହେଉ ନଥିଲା। ଏହାର ସୁଯୋଗ ନେଇ ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗୋଦାମ ଘରେ ପଶି ଟଙ୍କା, ଲାପଟପ୍ ଏବଂ ଯିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହରୁ ବର୍ତ୍ତିବା ପାଇଁ ପରିସରରେ ଥିବା ଏକ କାର୍ ମଧ୍ୟ ନେଇ ଯାଇଥିଲେ।

ସୂଚନାଯୋଗ୍ୟ, ରାଜଧାନୀର ସବୁଠୁ ହାଇସିକ୍ୟୁରିଟି ଜୋନ୍ ନୂଆପଲ୍ଲୀ ଭିଆଇପି କଲୋନିରେ ଅପରାଧ ବଢ଼ିବାରେ ଲାଗିଛି। କେତେବେଳେ ଦିନ ଦି’ପହରରେ ରାସ୍ତା ଉପରେ ହତ୍ୟାକାଣ୍ଡ ତ କେତେବେଳେ ଲୁଟ୍ ପାଇଁ ମହିଳାଙ୍କ ବେକ କାଟିବା, ଦୋକାନ ତାଡ଼ି ଲକ୍ଷ ଲକ୍ଷ ଟଙ୍କା ଲୁଟିନେବା ଭଳି ଘଟଣା ଦେଖିବାକୁ ମିଳୁଛି। ଆଉ ଏବେ କରୋନା ଜନିତ ଲକ୍‌ଡାଉନ୍‌ ଅପରାଧୀମାନଙ୍କୁ ବେଶି ସୁହାଇଛି। ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ଦୋକାନ ଓ ଘରଗୁଡ଼ିକୁ ଟାର୍ଗେଟ୍ କରି ଲୁଟ୍‌ପାଟ୍‌ କରୁଛନ୍ତି। ଗତ ମେ’ ୨୫ ତାରିଖରେ ନୂଆପଲ୍ଲୀ ରିଚି ହୋଟେଲ୍ ପାଖ ପଣ୍ଡା ମେଡିସିନ୍ ଷ୍ଟୋର୍, ମେଡ୍‌ପ୍ଲସରୁ ଲୁଟ୍ ଉଦ୍ୟମ କରି ବିଫଳ ହେବା ପରେ ମେ’ ୨୮ରେ ଏନ୍‌-୪ ନେଟ୍‌ମେଡ୍ କ୍ୟାସ୍ ଡ୍ର’ ତାଡ଼ି ଲକ୍ଷେ ୭୦ ହଜାର ଟଙ୍କା ଲୁଟ୍ ହୋଇଥିଲା। ଏହା ପରେ ପୁଣି ଏକ ମେଡ୍‌-ପ୍ଲସ୍ ମେଡିସିନ୍ ଷ୍ଟୋର୍‌ରୁ ମଧ୍ୟ ଚୋରି ଉଦ୍ୟମ ହୋଇଥିଲା।

ସମ୍ବନ୍ଧିତ ଖବର