ବେକରେ କଟୁରି ଥୋଇ ଲକ୍ଷେ ଟଙ୍କା ଛଡ଼ାଇନେଲେ

ବାଲିପାଟଣା : କିଛି ଦିନର ନିରବତା ପରେ ପୁଣି ସ୍ଥାନୀୟ ଅଞ୍ଚଳରେ ମାତିଛନ୍ତି ଲୁଟେରା। ସୋମବାର ଦିନ ଜଣେ ଘରୋଇ ଫାଇନାନ୍‌ସ ସଂସ୍ଥାର କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ତାଙ୍କ ବେକରେ କଟୁରି ରଖି ତାଙ୍କଠାରୁ ଏକ ଲକ୍ଷ ଟଙ୍କା ଛଡ଼ାଇ ନେଇଛନ୍ତି। ଲୁଟ୍‌ର ଶିକାର କର୍ମଚାରୀ ହେଉଛନ୍ତି ଭାରତ ଫା‌ଇନାନ୍‌ସର କର୍ମଚାରୀ ଚିନ୍ମୟ ମହାପାତ୍ର।

ସୂଚନାନୁସାରେ ଆଜି ଚିନ୍ମୟ ଗିରିଙ୍ଗ ଭୋଳସାହିରୁ କିସ୍ତି ଟଙ୍କା ଆଦାୟ କରି ଗିରିଙ୍ଗଶ୍ଵରୀ ରାସ୍ତା ଦେଇ ଚଣାହଟ୍ଟା ଛକକୁ ଆସୁଥିଲେ। ଏକ ପଲ୍‌ସର ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ଏକ ନିଛାଟିଆ ଜାଗାରେ ଅଟକାଇଥିଲେ। ଚିନ୍ମୟ ତାଙ୍କ ବାଇକ୍‌ ଅଟକାଇବା ମାତ୍ରେ ଜଣେ ଦୁର୍ବୃତ୍ତ ଏକ କଟୁରି ବାହାର କରି ତାଙ୍କ ବେକରେ ଥୋଇଦେଲା। ଭୟରେ ଚିନ୍ମୟ ଥରୁଥିବା ବେଳେ ଅନ୍ୟ ଦୁର୍ବୃତ୍ତ ତାଙ୍କ ବ୍ୟାଗ୍‌କୁ ଛଡ଼ାଇ ନେଇଥିଲା। ଉକ୍ତ ବ୍ୟାଗ୍‌ରେ ଏକ ଲକ୍ଷ ଟଙ୍କା ଥିଲା ବୋଲି ସେ କହିଛନ୍ତି। ଦୁର୍ବୃତ୍ତମାନେ ଚିନ୍ମୟଙ୍କ ବାଇକ୍‌ ଚାବି ବାହାର କରି କିଛି ଦୂରକୁ ଫୋପାଡ଼ି ଦେଇ ପଳାଇଥିଲେ। ଦୁର୍ବୃତ୍ତମାନେ ଫେରାର୍ ହେବା ପରେ ଚିନ୍ମୟ ୧୧୨ ନମ୍ବରକୁ ଫୋନ୍‌ କରିଥିଲେ। ଖବର ପାଇ ବାଲିପାଟଣା ଥାନା ପିସିଆର ଘଟଣାସ୍ଥଳରେ ପହଞ୍ଚିଥିଲା। ଚିନ୍ମୟଙ୍କ ଅଭିଯୋଗକୁ ଆଧାର କରି ପୁଲିସ ସ୍ଥାନୀୟ ଅଞ୍ଚଳର କିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର