ବନ୍ଧୁ ଧାର ଦେଲେନି ବୋଲି ଘରେ କଳାକନା ବୁଲାଇଦେଲା

ଭୁବନେଶ୍ୱର : ଅସୁବିଧାରେ ପଡ଼ି ବନ୍ଧୁଙ୍କୁ କିଛି ଟଙ୍କା ଧାର ମାଗିଲା। ଦୁଇ ଦୁଇ ଥର ଧାର ମାଗି ବିଫଳ ହେବା ପରେ ବନ୍ଧୁ ମୁଣ୍ଡରେ ଭୂତ ପଶିଲା। ଘରେ ପଶି କଳାକନା ବୁଲାଇଲା। ଆଲ୍‌ମିରା ଭାଙ୍ଗି ନଗଦ ୭୦ ହଜାର ଟଙ୍କା ଓ ସୁନାଗହଣା ଲୁଟିନେଲା। କିନ୍ତୁ ପୁଲିସ ତଦନ୍ତରେ ଧରାପଡ଼ିଗଲା। ଆଜି ଖାରବେଳନଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ୟୁନିଟ୍-୩ କାଞ୍ଜିଆହୁଦା ବସ୍ତିରେ ରହୁଥିବା ନୟାଗଡ଼ ରଣପୁର ଅଞ୍ଚଳର ଗଣେଶ ସାହୁ। ତା’ ନିକଟରୁ ୧୭ ହଜାର ଟଙ୍କା, ସୁନାଚେନ୍, ମଙ୍ଗଳସୂତ୍ର ଓ ମୁଦି ଜବତ କରାଯାଇଛି।

ପୁଲିସ ସୂଚନାନୁସାରେ ଗଣେଶ ତମାଣ୍ଡୋ ଥାନା କଳିଙ୍ଗବିହାରରେ ଏକ ଫାଷ୍ଟଫୁଡ୍ ଦୋକାନ କରିଛି। ଲିଜ୍‌ ସୂତ୍ରରେ ଦୋକାନ ନେଇ ଚଳାଉଛି। ଲିଜ୍‌ ବାବଦରେ ୧୫ ହଜାର ଟଙ୍କା ଦେବାକୁ ତା ନିକଟରେ ଅର୍ଥ ନଥିଲା। ସେହିଭଳି ବେପାର ପାଇଁ ବାଇକ୍‌ଟିଏ ନିହାତି ଦରକାର ହେଉଥିଲା। ଏଥିପାଇଁ ସେ ତା’ର ପୁରୁଣା ବନ୍ଧୁ ଚିତ୍ତରଞ୍ଜନ ସାହୁଙ୍କୁ କିଛି ଟଙ୍କା ଧାର ମାଗିଥିଲା। ମାତ୍ର ବିଭିନ୍ନ ବାହାନା କରି ଚିତ୍ତ ଟଙ୍କା ଧାର ଦେଇନଥିଲେ। ଟଙ୍କା ଥିବା ସତ୍ତ୍ବେ ଚିତ୍ତ ଧାର ନଦେବାରୁ ଗଣେଶର ରାଗ ବଢ଼ିଯାଇଥିଲା। ତେଣୁ ଗତ ୨୦ ତାରିଖରେ ସେ ଚିତ୍ତରଞ୍ଜନଙ୍କ ଘରେ ପଶିବା ସହ ଆଲ୍‌ମିରା ଭାଙ୍ଗି ୭୦ ହଜାର ଟଙ୍କା, ସୁନା ଅଳଙ୍କାର ଚୋରି କରି ନେଇଥିଲା। ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ କରି ଗଣେଶକୁ ଠାବ କରିଥିଲା। ଚୋରି ଟଙ୍କାରୁ ୩୦ ହଜାର ଦେଇ ଗଣେଶ ଏକ ବାଇକ୍ କିଣିଥିଲା ଓ ଦୋକାନ ଲିଜ୍‌ ବାବଦରେ ୧୫ ହଜାର ଟଙ୍କା ସୁଝି ଦେଇଥିଲା।

ସମ୍ବନ୍ଧିତ ଖବର