ଝରକା ତାଡ଼ି ଘରେ କଳାକନା ବୁଲାଇଲେ

୧୦୦ ଗ୍ରାମ୍‌ ସୁନା, ୨୦ ହଜାର ଟଙ୍କା ଲୁଟିନେଲେ, ନିଶା ସ୍ପ୍ରେ କରିଥିବା ସନ୍ଦେହ

ଭୁବନେଶ୍ବର : କିଛି ଦିନର ନିରବତା ପରେ ପୁଣି ରାଜଧାନୀରେ ସିନ୍ଧିଚୋରଙ୍କ କାରନାମା ଦେଖିବାକୁ ମିଳିଛି। ବୁଧବାର ରାତିରେ ଦୁର୍ବୃତ୍ତମାନେ ଜଣକ ଘରର ଝରକା ତାଡ଼ି ଘର ଭିତରେ କଳାକନା ବୁଲାଇଛନ୍ତି। ଆଲ୍‌ମିରା ଭାଙ୍ଗି ଶହେ ଗ୍ରାମ୍‌ ସୁନା ଗହଣା, ନଗଦ ୨୦ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଛନ୍ତି। ଭିଏସ୍‌ଏସ୍‌ନଗର ଅଞ୍ଚଳରେ ଘଟିଥିବା ଏହି ସିନ୍ଧିଚୋରି ବାବଦରେ ତନ୍ମୟ ଚୌଧୁରୀ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ସିନ୍ଧିଚୋରମା‌ନେ ତାଙ୍କ ଘର ଭିତରକୁ ପଶିବା ପରେ କୌଣସି ନିଶା ସ୍ପ୍ରେ କରି ପରିବାର ଲୋକଙ୍କୁ ସଂଜ୍ଞାହୀନ କରିଥିବା ସେ ସନ୍ଦେହ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ତନ୍ମୟଙ୍କ ଘରେ ତଦନ୍ତ କରିଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ପୁଲିସ ସିନ୍ଧିଚୋରଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛି।

ତନ୍ମୟଙ୍କ ଅଭିଯୋଗ ଅନୁସାରେ ବୁଧବାର ରାତିରେ ତାଙ୍କ ପରିବାର ଲୋକେ ସ୍ବାଭାବିକ ଭାବେ ଶୋଇଥିଲେ। ସକାଳୁ ଉଠିବା ବେଳକୁ ଘରର ଝରକା ତଡ଼ା ହୋଇ ତଳେ ପଡ଼ିଥିଲା ଓ ଘର ଭିତରେ ଆଲ୍‌ମିରା ଭଙ୍ଗା ଅବସ୍ଥାରେ ଖୋଲା ଥିବା ଦେଖିବାକୁ ମିଳିଥିଲା। ପରେ ଜଣାପଡ଼ିଥିଲା ଯେ ଦୁର୍ବୃତ୍ତମାନେ ଆଲ୍‌ମିରାରୁ ପ୍ରାୟ ୧୦ ଭରି(ଶହେ ଗ୍ରାମ) ଓଜନର ସୁନା ଅଳଙ୍କାର ଓ ନଗଦ ୨୦ ହଜାର ଟଙ୍କା ନେଇଯାଇଥିଲେ। ସେହିଭଳି ତାଙ୍କ ଦାମୀ ମୋବାଇଲ୍‌ ଫୋନ୍‌ ଅନ୍ୟାନ୍ୟ ଜିନିଷ ବି ନଥିଲା। ତେଣୁ ସେ ତୁରନ୍ତ ସହିଦନଗର ଥାନାକୁ ଜଣାଇଥିଲେ। ଖବର ପାଇ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ତନ୍ମୟଙ୍କ ଘରେ ପହଞ୍ଚିଥିଲା। ଦୁର୍ବୃତ୍ତମାନେ ଝରକା ତାଡ଼ି ଘର ଭିତରକୁ ପଶିବା ଓ ଆଲ୍‌ମିରା ଭାଙ୍ଗିବା ପରେ ବି ପରିବାରର କାହାର ନିଦ ଭାଙ୍ଗିନଥିଲା। ତେଣୁ ସିନ୍ଧିଚୋରମାନେ କୌଣସି ନିଶା ସ୍ପ୍ରେ କରି ସମସ୍ତଙ୍କୁ ସଂଜ୍ଞାହୀନ କରିଥିଲେ ବୋଲି ତନ୍ମୟ ସନ୍ଦେହ କରିଛନ୍ତି।

ସମ୍ବନ୍ଧିତ ଖବର