ଭୁବନେଶ୍ବର : ମଞ୍ଚେଶ୍ବର ଥାନା କିଷନନଗର ଅଞ୍ଚଳରେ ରହୁଥିବା ଅଧ୍ୟାପକ ଗୌତମ ମଲ୍ଲଙ୍କ ଘରୁ ହୋଇଥିବା ଚୋରିକୁ ସପ୍ତାହେ ବିତିଥିଲେ ବି ପୁଲିସ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ। ସ୍କୁଟିରେ ଆସିଥିବା ଦୁଇ ଦୁର୍ବୃତ୍ତଙ୍କ ଫଟୋ ସିସିଟିଭି ଫୁଟେଜ୍ରେ କଏଦ ହୋଇଥିଲେ ବି ପୁଲିସ ସେମାନଙ୍କୁ ଠାବ କରିପାରିନାହିଁ। ଦୁର୍ବୃତ୍ତଦ୍ବୟ ବାଲ୍କୋନି ଡେଇଁ ଘରେ ପଶିବା ପରେ ଆଲ୍ମିରାରୁ ସବୁ ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି।
ଅଧ୍ୟାପକ ଗୌତମଙ୍କ ଅଭିଯୋଗ ଅନୁସାରେ ଗତବର୍ଷ ଡିସେମ୍ବର ମାସରେ ଲିପ୍ସାଙ୍କ ସହ ତାଙ୍କର ବାହାଘର ହୋଇଥିଲା। ଦୁର୍ବୃତ୍ତଦ୍ବୟ ଲିପ୍ସାଙ୍କର ସବୁ ଅଳଙ୍କାର ଚୋରି କରି ନେଇଛନ୍ତି। ସବୁଦିନ ଭଳି ଗତ ୧୭ ତାରିଖ ଦିନ ରାତିରେ ଗୌତମଙ୍କ ପରିବାର ଦୁଇ ମହଲା ବିଶିଷ୍ଟ ଘରର ଉପର ମହଲାରେ ଶୋଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାଲ୍କୋନି ଡେଇଁ ସେମାନେ ଶୋଇଥିବା ପାଖ ରୁମ୍ରେ ପଶିଥିଲେ। ଉକ୍ତ ରୁମ୍ରେ ଆଲ୍ମିରା ଥିଲା ଏବଂ ଚାବି ମଧ୍ୟ ସେହି ରୁମ୍ର ଟେବୁଲ୍ ଉପରେ ଥିଲା। ତେଣୁ ଚୋରମାନେ ସହଜରେ ଆଲ୍ମିରା ଖୋଲି ନଗଦ ୪ ହଜାର ଟଙ୍କା, ୨ଟି ହାର, ମଙ୍ଗଳସୂତ୍ର, ୧୨ଟି ମୁଦି, ଗୋଟିଏ ସୁନାଚେନ୍, କାନଫୁଲ ଆଦି ଗହଣା ନେଇଯାଇଥିଲେ।
ସେମାନେ ଗହଣା ବ୍ୟାଗ୍ ନେବା ପରେ ଶିଡ଼ି ବାଟ ଦେଇ ଛାତ ଉପରକୁ ଯାଇଥିଲେ ଏବଂ ବ୍ୟାଗ୍ରୁ ଗହଣାତକ ବାହାର କରି ବ୍ୟାଗ୍କୁ ସେଠାରେ ପକାଇ ଚାଲି ଯାଇଥିଲେ। ସକାଳେ ଗୌତମ ଉଠିବା ପରେ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଛାତ ଉପରେ ଖାଲି ବ୍ୟାଗ୍ ଓ ଅନ୍ୟାନ୍ୟ ଜିନିଷ ପଡ଼ିଥିବା ଦେଖିଥିଲେ। ସିସିଟିଭି ଫୁଟେଜ୍ ଦେଖିବା ପରେ ଜାଣିବାକୁ ପାଇଥିଲେ ଯେ ଦୁଇ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଏଭଳି କାଣ୍ଡ କରି ଚାଲି ଯାଇଛନ୍ତି। ଏନେଇ ଗୌତମ ତୁରନ୍ତ ମଞ୍ଚେଶ୍ବର ଥାନାକୁ ଜଣାଇଥିଲେ।