ମେଣ୍ଢାଶାଳ : ଗୁରୁବାର ରାତିରେ ଚନ୍ଦକା ଥାନା କାଟେଣୀ ଗାଁରେ ଡକାୟତମାନେ ମୁରଲୀଧର ପ୍ରଧାନଙ୍କ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି। ଝରକା ତାଡ଼ି ତାଙ୍କ ଘରୁ ପ୍ରାୟ ୧୫୦ ଗ୍ରାମ୍ ଓଜନର ସୁନା ଅଳଙ୍କାର ଓ ନଗଦ ୮ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ତାଙ୍କ ଶୋଇବା ଘରକୁ ବାହାରୁ କବାଟ କିଳି ବନ୍ଦ କରିବା ପରେ ଆଲ୍ମିରା ଭାଙ୍ଗି ଦୁର୍ବୃତ୍ତମାନେ ସବୁ ଲୁଟି ନେଇଛନ୍ତି। ଚନ୍ଦକା ଥାନା ପୁଲିସ ଘଟଣାର ଛାନ୍ଭିନ୍ କରିଥିଲେ ବି ଡକାୟତମାନଙ୍କ ପତ୍ତା ପାଇନାହିଁ। ତେବେ ପ୍ରଥମ ଥର ପାଇଁ ଗାଁରେ ଏଭଳି ଲୁଟ୍ ହୋଇଥିବାରୁ ଭୟର ବାତାବରଣ ଖେଳି ଯାଇଛି।
ମୁରଲୀଧରଙ୍କ ଅଭିଯୋଗ ଅନୁସାରେ ସେ ତାଙ୍କ ଝିଅ ବାହାଘର ପାଇଁ ଜମି ବିକି ନଗଦ ୮ ଲକ୍ଷ ଟଙ୍କା ଆଲ୍ମିରାରେ ରଖିଥିଲେ। ସେହିଭଳି ଝିଅକୁ ଦେବା ପାଇଁ ୫୦ ଗ୍ରାମ ଓଜନର ୨ଟି ହାର, ୪୦ ଗ୍ରାମ୍ ଓଜନର ୨ଟି ଚେନ୍, ୩୦ ଗ୍ରାମ୍ ଓଜନର ୫ ହଳ କାନଫୁଲ, ୫ ଟି ମୁଦି, ୨ ହଳ ବାଉଟି ଓ ୨ ହଳ ରୁପା ପାଉଁଜି କିଣି ରଖିଥିଲେ। ଏସବୁ ଗହଣାର ମୂଲ୍ୟ ସାଢ଼େ ୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଆଜି ସକାଳୁ ଅଭିଯୋଗ ପାଇବା ପରେ ଚନ୍ଦକା ଥାନା ଆଇଆଇସି ଦେବେନ୍ଦ୍ର ନାଥ ବିଶ୍ୱାଳ ସାଇଣ୍ଟିଫିକ୍ ଟିମ୍ ସହ କାଟେଣୀରେ ପହଞ୍ଚି ତଦନ୍ତ କରିଥିଲେ। ଡକାୟତମାନେ ଘରର ଝରକା ତାଡ଼ି ଭିତରେ ପଶିଥିଲେ ଏବଂ ଚୋରି ପରେ ଗାଁ ପାଖ ଗହୀରରେ ଅମରି ବୁଦାମୂଳେ ଗହଣା ବାକ୍ସ ପକାଇ ପଳାଇଛନ୍ତି।
ସୂଚନାନୁସାରେ ଆଜି ସକାଳେ ମୁରଲୀଙ୍କ ପୁତୁରା କାହ୍ନୁ କୌଣସି କାମରେ ତାଙ୍କ ଘରକୁ ଆସିଥିଲେ। ମାତ୍ର କବାଟ ବନ୍ଦ ଥିବାରୁ ସେ ବଡ଼ ପାଟିରେ ଡାକ ପକାଇଥିଲେ। ନିଦରୁ ଉଠି ମୁରଲୀ ଦେଖିଲେ ସେ ଶୋଇଥିବା ଘରର କବାଟ ବାହାରୁ ବନ୍ଦ ଥିଲା। ତେଣୁ ସେ ଝରକା ବାଟେ ପୁତୁରା କାହ୍ନୁଙ୍କୁ ଜଣାଇଥିଲେ। ପାଖ ପଡ଼ୋଶୀଙ୍କ ସହଯୋଗରେ କାହ୍ନୁ ଘରର ମୁଖ୍ୟ କବାଟ ଭାଙ୍ଗି ଭିତରେ ପଶିବା ପରେ ମୁରଲୀଙ୍କୁ ବାହାର କରିଥିଲେ। ପରେ ଜଣାପଡ଼ିଥିଲା ଯେ ପଛ ଝରକା ତଡ଼ା ହୋଇଛି ଓ ଆଲ୍ମିରା ଥିବା ଘରର କବାଟ ଖୋଲା ଅଛି। ଘର ଭିତରକୁ ଯାଇ ସେମାନେ ଆଲ୍ମିରା ଭଙ୍ଗା ଯାଇଥିବା ଓ ସବୁ ଜିନିଷପତ୍ର ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ମୁରଲୀ ଚନ୍ଦକା ଥାନାକୁ ଫୋନ୍ କରି ଜଣାଇଥିଲେ।
ସୂଚନାଯୋଗ୍ୟ, ମୁରଲୀ ଓ ତାଙ୍କ ସ୍ତ୍ରୀଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ ନିକଟରେ ଏକ ଘରୋଇ ହସ୍ପିଟାଲରୁ ଫେରିଛନ୍ତି। ସେମାନେ ଔଷଧ ଖାଉଥିବାରୁ ଘୋର୍ ନିଦରେ ଶୋଇ ପଡ଼ିଥିଲେ। ତେଣୁ ଗତକାଲି ରାତିରେ ହୋଇଥିବା ଲୁଟ୍ପାଟ୍ ବାବଦରେ କିଛି ଜାଣିପାରିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/mendhasala-1.jpg)