ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

ଜଣେ ଗିରଫ, ୭ ହଜାର ଟଙ୍କା, ମୋବାଇଲ ଫୋନ୍ ଜବତ, ସହଯୋଗୀ ଫେରାର

ବିଭିନ୍ନ ଥାନାରେ ରହିଛି ୪ ମାମଲା
ରୁମମେଟ୍‌ ଘର ଛାଡ଼ିବାରୁ ହୋଇଥିଲା ବିବାଦର ସୂତ୍ରପାତ

ଭୁବନେଶ୍ବର : ସହଯୋଗୀମାନଙ୍କ ସହ ମିଶି ଜଣେ ଯୁବତୀ ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇନେବା ସହ ଲୁଟପାଟ୍‌ କରିବା ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ଅପରାଧ ଘଟାଇଥିବା ଯୁବତୀଙ୍କ ଅପରେସନ୍ ଷ୍ଟାଇଲ କୌଣସି ଗ୍ୟାଙ୍ଗଷ୍ଟର୍‌ ବା ପେସାଦାର ଅପରାଧୀଙ୍କଠାରୁ କମ୍ ନୁହେଁ। ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସହଯୋଗୀମାନେ ଫେରାର୍‌ ହୋଇଯାଇଛନ୍ତି। ଗିରଫ ଯୁବତୀଜଣଙ୍କ ହେଲେ, କଟକ ଜିଲ୍ଲା ନିଆଳି ଅଞ୍ଚଳର ଲୋପାମୁଦ୍ରା ବିଶ୍ବାଳ ଓରଫ୍ ମାମା। ତାଙ୍କ ନିକଟରୁ ପୁଲିସ୍‌ ୭ ହଜାର ଟଙ୍କା ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ଦୁଇ ଦିନ ତଳେ ଘଟିଥିବା ଏହି ଘଟଣା ଶନିବାର ସାମ୍ନାକୁ ଆସିଛି। ପୁଲିସ୍‌ ସୂଚନାନୁଯାୟୀ, ଲୋପାମୁଦ୍ରାଙ୍କ ନାଁରେ ଖଣ୍ଡଗିରି, ବାଲୁଗାଁ, ନିମାପଡ଼ା, ମଞ୍ଚେଶ୍ବର ଥାନାରେ ମାମଲା ରହିଛି। ତେବେ ତାଙ୍କ ସହଯୋଗୀମାନେ ଆପରାଧିକ କାର୍ଯ୍ୟକଳାପରେ ଜଡ଼ିତ ନା ନାହିଁ, ସେ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।

ପୁଲିସ ସୂଚନା ଅନୁସାରେ, ଏହି ମାମଲାର ଅଭିଯୋଗକାରୀ ହେଉଛନ୍ତି ଏମ୍‌ବିଏ ଛାତ୍ରୀ ମଧୁସ୍ମିତା ବେହେରା। ସେ ନୂଆପଲ୍ଲୀ ଅଞ୍ଚଳରେ ଆଉ ଦୁଇ ସାଙ୍ଗଙ୍କ ସହ ଘରଭଡ଼ା ନେଇ ରହୁଥିଲେ। ସେମାନେ ସମସ୍ତେ ପୁଲିସ ଏସ୍ଆଇ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। କିଛି ଦିନ ତଳେ ଜଣେ ରୁମ‌ମେଟ୍‌ ତାଙ୍କ ଗାଁକୁ ଚାଲି ଯାଇଥିଲେ। ଅନ୍ୟ ଜଣେ ରୁମମେଟ୍‌ ଜ୍ୟୋତି ଗତ ମାସରେ ଘର ଛାଡ଼ିଥିଲେ। ଭଡ଼ା ଘରେ ଏକୁଟିଆ ମଧୁସ୍ମିତା ରହିଥିଲେ। ଜ୍ୟୋତି ଘର ଛାଡ଼ିବା ସମୟରେ ମଧୁସ୍ମିତା ତାଙ୍କୁ ବିରୋଧ କରିଥିଲେ। ୭ ହଜାର ଟଙ୍କା ଘରଭଡ଼ା ସେ ଏକା କେମିତି ଦେବେ ବୋଲି ପ୍ରଶ୍ନ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ କେନ୍ଦ୍ର କରି ସେମାନଙ୍କ ଭିତରେ ବିବାଦ ଲାଗି ରହିଥିଲା। ପରେ ମଧୁସ୍ମିତା ସେଠାରୁ ଘର ଛାଡ଼ି ରସୁଲଗଡ଼ରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲି ଆସିଥିଲେ। ଜ୍ୟୋତି ଏ ସଂପର୍କରେ ଲୋପାମୁଦ୍ରାଙ୍କୁ ଜଣାଇଥିଲେ।

ଗତ ୩୦ ତାରିଖରେ ଜ୍ୟୋତି, ଲୋପାମୁଦ୍ରା ଓ ଆଉ କେତେକ ସହଯୋଗୀ କୌଶଳକ୍ରମେ ମଧୁସ୍ମିତାଙ୍କୁ ଘରୁ ଡାକି ନେଇ ପଳାଶୁଣୀ ପ୍ରାଚୀବିହାର ନିକଟକୁ ବୁଲିବା ବାହାନାରେ ଯାଇଥିଲେ। ସେଠାରେ ଜୋରଜବରଦସ୍ତି ତାଙ୍କଠାରୁ ୨୦ ହଜାର ଟଙ୍କା, ମୋବାଇଲ ଫୋନ୍ ଲୁଟି ନେଇଥିବା ମଧୁସ୍ମିତା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ପୁଲିସ ଲୋପାମୁଦ୍ରାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର