ଭୁବନେଶ୍ୱର : ଶୁକ୍ରବାର ରାତିରେ ଖଣ୍ଡଗିରି ଥାନା ଅଞ୍ଚଳରେ ପୁଣି ଗ୍ୟାସ୍‌ କଟର୍‌ ଗ୍ୟାଙ୍ଗ୍‌ର କାରନାମା ଦେଖିବାକୁ ମିଳିଛି। ଗୋଟିଏ କମ୍ପ୍ଲେକ୍ସରେ ଥିବା ୪ଟି ମେଡିସିନି ଷ୍ଟୋରର ତାଲାକୁ ଗ୍ୟାସ୍‌ କଟର୍‌ରେ କାଟି ଲୁଟ୍‌ କରିଛନ୍ତି। ଅଭିଯୋଗ ଅନୁସାରେ ୪ଟା ଯାକ ଦୋକାନରୁ ପ୍ରାୟ ୪ ଲକ୍ଷ ଟଙ୍କା ଓ ବହୁ ଦାମୀ ଔଷଧ ଚୋରି ହୋଇଛି। ନଗଦ ଟଙ୍କାକୁ ବାଦ୍‌ ଦେଲେ ଚୋରି ହୋଇଥିବା ଔଷଧ ଓ ଶିଶୁ ଖାଦ୍ୟର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି।

Advertisment

ଅଭିଯୋଗ ଅନୁସାରେ ଏମ୍‌ସ ରାସ୍ତାରେ ଏମ୍‌ସନଗରସ୍ଥିତ ଏକ କମ୍ପ୍ଲେକ୍‌ସରେ ପ୍ରତାପ କୁମାର ପଟ୍ଟନାୟକ ସୁପ୍ରଭା ମେଡିସିନ ଷ୍ଟୋର୍ ରହିଛି। ସେହିଭଳି ସେଠାରେ ପିତାମ୍ବର ମିଶ୍ରଙ୍କ ରାଧାମାଧବ ମେଡିସିନ ଷ୍ଟୋର୍‌, ଦିଲ୍ଲୀପ ପରିଡ଼ାଙ୍କ ପିପି ମେଡିସିନ୍ ଷ୍ଟୋର୍‌ ଓ ଲିପ୍ସା ମହାରଥୀଙ୍କ ଡିବିଆର୍ ମେଡିସିନ୍ ଷ୍ଟୋର୍‌ ରହିଛି। ସବୁଦିନ ଭଳି ସେମାନେ ପ୍ରାୟ ରାତି ୧୦ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଶନିବାର ସକାଳୁ ସେମାନେ ଦୋକାନ ଖୋଲିବାକୁ ଆସିବା ବେଳକୁ ସବୁ ଦୋକାନ ସଟର୍‌ର ତାଲା ଗ୍ୟାସ କଟର୍‌ରେ କଟାଯାଇଥିଲା। ପ୍ରଥମ‌େ ପ୍ରତାପ ଘଟଣା ସମ୍ପର୍କରେ ଦେଖି ଅନ୍ୟମାନଙ୍କୁ ଡକାଇଥିଲେ। ପ୍ରତାପଙ୍କ କ୍ୟାସ ବାକ୍ସରେ ଥିବା ପ୍ରାୟ ଲକ୍ଷେ ୨୦ହଜାର ଟଙ୍କା, ପ୍ରୋଟିନ୍ ପାଉଡର୍ ସମେତ କିଛି ଔଷଧ ଚୋରି ହୋଇଥିବା ସେ ଦେଖିଥିଲେ। ସେହିଭଳି ରାଧାମାଧବ ମେଡିସିନ ଷ୍ଟୋର୍‌ରୁ ପାଖାପାଖି ୬୦ହଜାର ଟଙ୍କା, କିଛି ମୂଲ୍ୟବାନ ଇଂଜେକ୍ସନ, ବେବି ଫୁ଼ଡ୍ ଚୋରି ହୋଇଥିଲା। ପିପି ମେଡିସିନ୍ ଷ୍ଟୋର୍‌ରୁ ୯୦ହଜାର ଟଙ୍କାରୁ ଅଧିକ ଓ ଡିବିଆର୍ ମେଡିସିନ୍ ଷ୍ଟୋର୍‌ରୁ ୪୫ହଜାର ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ସମେତ ବହୁ ଦାମୀ ଔଷଧ ଚୋରି ହୋଇଥିଲା।

publive-image

ସକାଳୁ ସକାଳୁ ଏହି ସିରିଜ୍‌ ଲୁଟ୍‌ ଖଣ୍ଡଗିରି ଥାନା ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ନିକଟରେ ବରମୁଣ୍ଡା ଡେଲ୍‌ଟା ଛକ ନୀଳିମା କମ୍ପ୍ଲେକ୍ସସ୍ଥିତ ଲକ୍ଷ୍ମୀନାରାୟଣ ଜୁଏଲର୍ସର ସଟର୍‌ କାଟି ଦୁର୍ବୃତ୍ତମାନେ ୭୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟିଥିଲେ। ଗ୍ୟାସ୍‌ କଟର୍‌ ଗ୍ୟ‌ାଙ୍ଗ୍‌ର ଏହି ଲୁଟ୍‌ ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା। ମାତ୍ର ଏହି ଲୁଟ୍‌କୁ ଦୁଇ ସପ୍ତାହ ବିତିବା ପରେ ବି ପୁଲିସ ସେହି ଗ୍ୟାଙ୍ଗ୍‌ର ପତ୍ତା ପାଇନାହିଁ। ତେଣୁ ଗତକାଲି ରାତିର ସିରିଜ୍‌ ଲୁଟ୍‌ ପୁଣି ଗ୍ୟାସ୍‌ କଟର୍‌ରେ ତାଲା କାଟି ଲୁଟ୍‌ ଘଟଣା ପୁଲିସ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଜୁଏଲର୍ସ ଲୁଟେରା ଗ୍ୟାଙ୍ଗ୍‌କୁ ଖୋଜୁଥିବା ବେଳେ ଏହି ସିରିଜ୍‌ ଲୁଟ୍‌ ପୁଲିସ ପାଇଁ ଗ୍ୟାଙ୍ଗ୍‌ର ଏକ ଖୋଲା ଚ୍ୟାଲେଞ୍ଜ୍‌ ବୋଲି ଚର୍ଚ୍ଚା ହେଉଛି।

ପିସିଆର୍ କର୍ମଚାରୀଙ୍କ ଉପରେ ବର୍ଷିଲେ ଥାନାଧିକାରୀ
ଖଣ୍ଡଗିରି ଅଞ୍ଚଳରେ ଘନଘନ ସିନ୍ଧିଚୋରି ହେଉଥିବାରୁ ସ୍ଥାନୀୟ ଲୋକେ ପୁଲିସ ପାଟ୍ରୋଲିଂକୁ ଦାୟୀ କରିଆସୁଛନ୍ତି। ତେଣୁ ଶନିବାର ଦିନ ପିସିଆର୍‌ କର୍ମଚାରୀଙ୍କ ଉପରେ ଥାନା ଅଧିକାରୀ ବିରକ୍ତ ହୋଇଛନ୍ତି। ପାଟ୍ରୋଲିଂ କରୁଛ, ଅଥଚ ଗୋଟିଏ ମାମଲା ନଜରକୁ ଆସୁନାହିଁ କି ଚୋରି ଥମୁନାହିଁ ବୋଲି ପିସିଆର୍‌ କର୍ମଚାରୀଙ୍କୁ ଦୋଷାରୋପ କରି ବର୍ଷିଛନ୍ତି। ଏଣିକି ପିସିଆର୍‌ କର୍ମଚାରୀଙ୍କ ପାଟ୍ରୋଲିଂ ଉପରେ କଡ଼ା ନଜର ରଖାଯିବ ବୋଲି ଚେତାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଜାଗମରା ନୂଆ ରୋଡ୍‌ସ୍ଥିତ ୪ଟା ଦୋକାନରୁ ସିରିଜ୍ ଲୁଟ୍ ହୋଇଥିଲା। ସେହି ମାସରେ ଡେଲ୍‌ଟା ଭି-୩ରେ ରହୁଥିବା ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ଘରୁ ଲଗାତର ଦୁଇ ଥର ଲୁଟ୍‌ ହୋଇଥିଲା। ଖଣ୍ଡଗିରିସ୍ଥିତ ଏକ କମ୍ପ୍ଲେକ୍ସରୁ ସାନିଟାରୀ ଦୋକାନ, ଚଷମା ଦୋକାନ ଓ ଅନ୍ୟ କିଛି ଦୋକାନରୁ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଲୁଟ୍ ହୋଇଥିଲା। ଏହା ପରେ ଲକ୍ଷ୍ମୀନାରାୟଣ ଜୁଏଲର୍ସ ଓ ଗତ ବୁଧବାର ଅର୍ଚ୍ଚନା ଏନକ୍ଲେଭ୍‌ରୁ ଚୋରି ହୋଇଥିଲା। ଏହି ଲମ୍ବା ତାଲିକା ଖଣ୍ଡଗିରି ଥାନା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।