ବାରଙ୍ଗ : ଗତକାଲି ମଞ୍ଚେଶ୍ବର ଥାନା ଟାଙ୍ଗିବନ୍ତ ଅଞ୍ଚଳରେ ଏକ ବଡ଼ଧରଣର ଡକାୟତି ଯୋଜନା ଫସର ଫାଟିଯାଇଛି। ସୂଚନାଦାତାଙ୍କ ତ୍ରୁଟି ପାଇଁ ଡକାୟତ ଗ୍ୟାଙ୍ଗ୍ ଭୁଲ୍ ଠିକଣାରେ ପହଞ୍ଚି ମାତ୍ର ୨୫ ହଜାର ଟଙ୍କା ଓ ହଳେ କାନଫୁଲ ପାଇ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି। ଏତେ ବଡ଼ ଯୋଜନା ଫସର ଫାଟି ଯାଇଥିବାରୁ ଡକାୟତମାନେ ସୂଚନାଦାତାକୁ ଗାଳି କରି ଫେରିଯାଇଛନ୍ତି। ଅପରପକ୍ଷେ ଡକାୟତ ଗ୍ୟାଙ୍ଗ୍କୁ ଭୁଲ୍ ସୂଚନା ମିଳିଥିଲେ ବି ବିଚରା ବୃଦ୍ଧ ଦମ୍ପତି ସେମାନଙ୍କ ଶିକାର ହୋଇ ଟଙ୍କା ଓ ଗହଣା ହରାଇଛନ୍ତି। ତେବେ ଘଟଣା ଜଣାପଡ଼ିବା ପରେ ପୁଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି। ରାଜଧାନୀରେ ଏଭଳି ଗ୍ୟାଙ୍ଗ୍ ସକ୍ରିୟ ଥିବାରୁ ପୁଲିସ ତୁରନ୍ତ ଉକ୍ତ ଗ୍ୟାଙ୍ଗ୍କୁ ଠାବ କରିବାକୁ ଲାଗିପଡ଼ିଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ରୁ ସେମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି।
ସୂଚନାନୁସାରେ ଟାଙ୍ଗିବନ୍ତ ଗାଁରେ ଅବସରପ୍ରାପ୍ତ ପରିସଂଖ୍ୟାନ ବିଭାଗ କର୍ମଚାରୀ ବିଜୟ କୁମାର ମିଶ୍ର ରହୁଛନ୍ତି। ଗାଁର ସୁନାଦେଇ ମନ୍ଦିର ପାଖ ପୋଖରୀ ନିକଟରେ ବିଜୟ ବାବୁ ଓ ତାଙ୍କ ସ୍ତ୍ରୀ ରହୁଛନ୍ତି। ଗତକାଲି ରାତି ୨ଟା ବେଳେ ତାଙ୍କ ଘର ଫାଟକ ତାଲା ଭାଙ୍ଗି ୪ ଜଣ ଡକାୟତ ଶୋଇବା ଘରେ ପଶିଯାଇଥିଲେ। ଅନ୍ୟ ୪ ଜଣ ଘର ବାହାରେ ଛକି ରହିଥିଲେ। ସେମାନଙ୍କ ପାଟି ଶୁଣିବା ପରେ ଯାଇ ସ୍ବାମୀ-ସ୍ତ୍ରୀଙ୍କ ନିଦ ଭାଙ୍ଗିଥିଲା ଓ ସେମାନେ ବିକଳରେ ଉଠିପଡ଼ିଥିଲେ। କିନ୍ତୁ ସେତେବେଳକୁ ସେମାନଙ୍କ ମୁଣ୍ଡରେ ଦୁଇ ଦୁଇଟି ବନ୍ଧୁକ ଲାଗି ସାରିଥିଲା। ତେଣୁ ସେମାନେ ପାଟି କରିବାକୁ ସୁଯୋଗ ପାଇନଥିଲେ। ସେମାନେ ଭୟରେ ଥରୁଥିବା ବେଳେ ଜଣେ ଦୁର୍ବୃତ୍ତ ଚାବି ମାଗିଥିଲା। ବିଜୟବାବୁଙ୍କ ସ୍ତ୍ରୀ କିଛି ନକହି ଚୁପ୍ଚାପ ଚାବି ବଢ଼ାଇ ଦେଇଥିଲେ। ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କ ମୁଣ୍ଡରେ ସେମିତି ବନ୍ଧୁକ ଲଗାଇ ରଖିଥିବା ବେଳେ ଅନ୍ୟ ଦୁଇ ଜଣ ଆଲ୍ମିରା ଓ ପାଖରେ ଥିବା ଏକ ବାକ୍ସକୁ ଖୋଲି ପକାଇଥିଲେ। ଭିତରେ ଖୋଜାଖୋଜି କରି ନଗଦ ୨୫ ହଜାର ଟଙ୍କା ଓ ହଳେ କାନଫୁଲ ପାଇଥିଲେ। ଆଲ୍ମିରା ଓ ବାକ୍ସରୁ ଆଉ କିଛି ନପାଇ ସେମାନେ ପୁଣି ଧମକ ଦେଇଥିଲେ। ଆଉ କେଉଁଠି କ’ଣ ସବୁ ଲୁଚାଇ ରଖିଛନ୍ତି, ଦେଇଦେବାକୁ କହିଥିଲେ ଓ ନହେଲେ ଜୀବନରୁ ମାରିଦେବେ ବୋଲି ଚେତାବନୀ ଦେଇଥିଲେ। ବଡ଼ କାକୁତିମିନତି ହୋଇ ବିଜୟ ବାବୁ ଓ ତାଙ୍କ ସ୍ତ୍ରୀ ଆଉ କିଛି ନାହିଁ ବୋଲି ସେମାନଙ୍କୁ ବୁଝାଇଥିଲେ। ଏମିତିକି ଘର ସାରା ଖୋଜିଲେ ଓ ସେମାନଙ୍କୁ ମାରି ଦେଲେ ବି ପାହୁଲାଟିଏ ଅଧିକ ମିଳିବ ନାହିଁ ବୋଲି ନେହୁରା ହୋଇ କହିଥିଲେ। ଶେଷରେ ସେମାନଙ୍କ କଥାକୁ ଡକାୟତମାନେ ବିଶ୍ବାସ କରିଥିଲେ।
ବିଜୟବାବୁଙ୍କ ସୂଚନାନୁସାରେ ସେମାନେ ବହୁ ଖୋଜାଖୋଜି କରି ଆଉ କିଛି ନପାଇ ବଡ଼ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଜଣେ ଡକାୟତ ଫୋନ୍ କରି କାହାକୁ ଗାଳି କରିଥିଲା। ବୋଧହୁଏ ସେ ମୁଖିଆ ଥିଲା ବୋଲି ବିଜୟବାବୁ କହିଛନ୍ତି। ଭୁଲ୍ ଠିକଣା ଦେଇ ପଠାଇଥିବାରୁ ସେ ଫୋନ୍ କରି କାହାକୁ ଗାଳି କରିଥିଲା। ବୁଢ଼ାବୁଢ଼ୀଙ୍କ ପାଖରେ କିଛି ନାହିଁ, ଅଯଥାରେ ଏତେ ପରିଶ୍ରମ କରିବାକୁ ପଡ଼ିଲା ବୋଲି ସେ କହୁଥିଲା। ଏତିକିବେଳେ ବାହାରେ ଅପେକ୍ଷା କରିଥିବା ଅନ୍ୟ ଚାରି ଜଣ ଘର ଭିତରକୁ ପଶି ଆସିଥିଲେ ଓ ଡକାଡକି ହୋଇ ସେମାନେ ଘରୁ ବାହାରି ଯାଇଥିଲେ। ଆଜି ସକାଳୁ ମଞ୍ଚେଶ୍ବର ଥାନା ପୁଲିସ ବିଜୟବାବୁଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତମାନଙ୍କ କଥାବାର୍ତ୍ତାରୁ ଅନୁମାନ କରାଯାଉଛି ଯେ ଏହି ଗ୍ୟାଙ୍ଗ୍ କୌଣସି ବଡ଼ ଯୋଜନାରେ ଆସିଥିଲେ। ସେମାନଙ୍କ ସୂଚନାଦାତା ବିଜୟବାବୁଙ୍କ ପାଖରେ ବହୁ ଟଙ୍କା ଓ ଗହଣା ଥିବା ଅନୁମାନ କରି ସେମାନଙ୍କୁ କହିଥିବା ସନ୍ଦେହ କରାଯାଉଛି। କିମ୍ବା ସୂଚନାଦାତା ଦେଇଥିବା ଠିକଣା ଭୁଲ୍ ହୋଇଯିବାରୁ ଡକାୟତମାନେ ସେମାନଙ୍କ ଲକ୍ଷ୍ୟସ୍ଥଳରେ ନପହଞ୍ଚି ବିଜୟବାବୁଙ୍କ ଘରେ ପଶିଥିଲେ।