ଭୁବନେଶ୍ବର : ଅସୁସ୍ଥତାର ଫାଇଦା ଉଠାଇ ଜଣେ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟ୍‌ରୁ ୯୫ ହଜାର ଟଙ୍କା ଲୁଟି ନେଇଛି ଧୂର୍ତ୍ତ। ହସ୍ପିଟାଲ୍‌ରେ ଆଡମିଟ୍ ହୋଇଥିବା ସୁଯୋଗରେ ଏଟିଏମ୍‌ ନେଇ ଆକାଉଣ୍ଟରୁ ୯୫ହଜାର ଟଙ୍କା ଚଳୁ କରି ନେଇଛି। ଏନେଇ ଭରତପୁର ଥାନାରେ ଏକ ଚୋରି ଅଭିଯୋଗ ହୋଇଛି।

Advertisment

ସୂଚନାନୁଯାୟୀ, ଅଭିଯୋଗକାରୀ ବିଷ୍ଣୁପ୍ରସାଦ ନନ୍ଦ(୮୫) ପୁରୀ ବେଲେଶ୍ବରପାଟଣାସ୍ଥିତ ଶ୍ରୀରାମକୃଷ୍ଣ ସେବା ଆଶ୍ରମରେ ରୁହନ୍ତି। ଗତ ଜାନୁଆରି ୨୬ରେ ସେ ଅସୁସ୍ଥ ହେବାରୁ ଆଶ୍ରମ ଆଚାର୍ଯ୍ୟଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ। ଆଚାର୍ଯ୍ୟ ନିତ୍ୟବୋଧାନନ୍ଦ ଅବଧୂତ ତାଙ୍କ ଚିକିତ୍ସାରେ ସହଯୋଗ କରିବା ପାଇଁ ବରଗଡ଼ର ଯୁଗଳ କିଶୋର ସାହୁଙ୍କୁ ସାଙ୍ଗରେ ପଠାଇଥିଲେ। ବିଷ୍ଣୁଙ୍କୁ ନେଇ ଯୁଗଳ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଵାର୍ଡକୁ ନେବା ପୂର୍ବରୁ ପାଖରେ ଥିବା ସମସ୍ତ ଜିନିଷ ପରିବାରଲୋକଙ୍କୁ ଦେବାକୁ କହିଥିଲେ। ବିଷ୍ଣୁ ତାଙ୍କ ପାଖରେ ରଖିଥିବା ୫ ହଜାର ଟଙ୍କା ଓ ୩ଟି ଏଟିଏମ୍ ଯୁଗଳଙ୍କୁ ଦେଇ ଶ୍ୟାମପୁରସ୍ଥିତ ପରିବାରଲୋକଙ୍କୁ ଦେଇ ଦେବାକୁ କହିଥିଲେ। ଯୁଗଳ ତାଙ୍କ ପରିବାରଲୋକଙ୍କୁ ଟଙ୍କା ଓ ୨ଟି ଏଟିଏମ୍ ଦେବା ପରେ ଆଉ ଏକ ଏଟିଏମ୍ ପାଖରେ ରଖିଥିଲା। ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ହେବ କହି ପରିବାରଲୋକଙ୍କ ପାଖରୁ ଏଟିଏମ୍‌ର ପାସଵାର୍ଡ ମଧ୍ୟ ଆଣିଥିଲା। ଏହି ସୁଯୋଗରେ ସେ ବିଷ୍ଣୁଙ୍କ ଆକାଉଣ୍ଟରୁ ପ୍ରାୟ ୧୦ଟି ପର୍ଯ୍ୟାୟରେ ୯୫ହଜାର ଟଙ୍କା ଉଠାଇ ନେଇଥିଲା। ବିଷ୍ଣୁ ସୁସ୍ଥ ହୋଇ ଘରକୁ ଆସିବା ପରେ ବ୍ୟାଙ୍କ୍ ପାସବୁକ୍ ଅପଡେଟ୍ କରାଇବାକୁ ନେଇଥିଲେ। ତାଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଗାଏବ ହୋଇଯାଇଥିବା ଦେଖିଥିଲେ। ଏନେଇ ଯୁଗଳଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ନମ୍ବର ଆଉ ଲାଗି ନଥିଲା। ତେଣୁ ସେ ବାଧ୍ୟ ହୋଇ ଭରତପୁର ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

କଳାକନା ବୁଲାଇଲା ଘରୋଇ ସହାୟିକା, ୧୦ଲକ୍ଷ ଟଙ୍କାର ଗହଣା ନେଇଗଲା

ଚନ୍ଦ୍ରଶେଖରପୁର : ଘରଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ କଳାକନା ବୁଲାଇଛି ଘରୋଇ ସହାୟିକା। ଆଲମାରି ଖୋଲି ୧୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ ଅଭିଯୁକ୍ତ ସହାୟିକା ନିରୁପମା ପାଲ୍‌କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ରବିବାର  ଗୋଟିଏ ଦିନରେ ତା’ ନିକଟରୁ ପ୍ରାୟ ୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଜବତ ହୋଇଛି। ନିରୁପମା ଆଉ କିଛି ଗହଣା ବ୍ୟାଙ୍କରେ ବନ୍ଧା ରଖି ଟଙ୍କା ଆଣିଥିବା ଜଣାପଡ଼ିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବା ବୋଲି ପୁଲିସ କହିଛି।

ସୂଚନାନୁଯାୟୀ, ଗାୟତ୍ରୀ ମୁରବାହାଲ ନାମକ ଜଣେ ମହିଳା ଶ୍ରୀବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ପରିବାର ସହ ରୁହନ୍ତି। ଅରବିନ୍ଦନଗର ବସ୍ତିର ନିରୁପମା ତାଙ୍କ ଘରେ କାମ କରୁଥିଲା। ଘରେ କେହି ନଥିବା ସୁଯୋଗରେ ନିରୁପମା ଆଲମାରି ଚାବି ଖୋଲି କିଛି କିଛି ଗହଣା ‌ଚୋରି କରୁଥିଲା। ଆଲମାରି ଲକର୍‌ରୁ କିଛି ଗହଣା ଗାୟବ୍‌ ହୋଇଯାଇଥିବା କିଛି ଦିନ ପୂର୍ବେ ଗାୟତ୍ରୀ ଦେଖିଥିଲେ। କିଏ ଗହଣା ନେଉଛି ଜାଣିବା ପାଇଁ ସେ ଏକ ଗୁପ୍ତ କ୍ୟାମେରା ଲଗାଇଥିଲେ। ସେଥିରେ ନିରୁପମାର କାରସାଦି ଧରା ପଡ଼ିଯାଇଥିଲା। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ ନିରୁପମାକୁ ଗତରାତିରେ ଗିରଫ କରି ଘଟଣା ବିଷୟରେ ପଚରାଉଚରା କରିଥିଲା।