ସଟର୍‌ କାଟି ନେଇଗଲେ ୭ ଲକ୍ଷ ଟଙ୍କାର ଡ୍ରେସ୍‌

ବାଲିଅନ୍ତା : ହଂସପାଳ-ଅଭୟମୁଖୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ସ୍ଥାନୀୟ କୁଳସାହି ଗ୍ରାମ ନିକଟ‌ରେ ଥିବା ଏକ ଡ୍ରେସ୍‌ ଦୋକାନରୁ ଦୁର୍ବୃତ୍ତମାନେ ୭ ଲକ୍ଷ ଟଙ୍କାର ଡ୍ରେସ୍‌ ଓ ଲୁଗାପଟା ଚୋରି କରି ନେଇଛନ୍ତି। ଏହାସହ କ୍ୟାସ୍‌ ଡ୍ର’ ତାଲା ଭାଙ୍ଗି ସେଥିରେ ଥିବା ୩ ହଜାର ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଏ ସଂପର୍କରେ ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀ ସୁକାନ୍ତ କୁମାର ପଣ୍ଡା ଆଜି ବାଲିଅନ୍ତା ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। କିନ୍ତୁ ରିପୋର୍ଟ ଲେଖା ହେବା ବେଳେକୁ ଲୁଟ୍‌ ସାମଗ୍ରୀ କିମ୍ବା ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ୍‌ ପାଇ ପାରିନାହିଁ। ଦୋକାନରେ କିମ୍ବା ଆଖପାଖ ରାସ୍ତାରେ ସିସି କ୍ୟାମେରା ଲାଗି ନଥିବାରୁ ପୁଲିସକୁ ଲୁଟେରାଙ୍କ ଗତିବିଧି ସଂପର୍କରେ ଜାଣିବା କଷ୍ଟକର ହୋଇପଡ଼ିଛି। ପୁଲିସ ପତୁରିଆ ବଜାରରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଛି। ହେଲେ ଫୁଟେଜ୍‌ରୁ ଦୁର୍ବୃତ୍ତଙ୍କ ସଂପର୍କରେ କୌଣସି ସୁରାକ୍‌ ମିଳି ନଥିବା ଜଣେ ଅଧିକାରୀ କହିଛନ୍ତି।

ସୂଚନାନୁଯାୟୀ, କୁଳସାହି ଗ୍ରାମର ସୁକାନ୍ତଙ୍କ ସ୍ଥାନୀୟ ବଜାରରେ ‘ପୂଜା ଲିଜା’ ନାମରେ ଏକ ମ୍ୟାଚିଂ ସେଣ୍ଟର୍‌, ଲୁଗା ଓ ପୋଷାକ ଦୋକାନ ରହିଛି। ଚୋରି ହେବା ଭୟରେ ସେ ସବୁ ରାତିରେ ଦୋକାନ‌ରେ ଶୁଅନ୍ତି। ହେଲେ ଗତକାଲି ସେ ଦୋକାନରେ ଶୋଇ ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ସଟର୍‌ କାଟି କଳାକନା ବୁଲାଇ ଦେଇଥିଲେ।

ସୁକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୦ଟା‌‌ରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ‌ସଟର୍‌ ତାଡ଼ି ଭିତରେ ପଶି ସବୁ ରୢାକ୍‌ରୁ ଦାମୀ ଜିନ୍ସ ପ୍ୟାଣ୍ଟ, ଟି ସାର୍ଟ, ପାଟବସ୍ତ୍ର, ମଠା ଆଦି ଚୋରି କରି ନେଇଥିଲେ। ରୢାକ୍‌‌‌ରେ ଥିବା ମୂଲ୍ୟବାନ ଲୁଗା ଓ ପୋଷାକ ସବୁକୁ ବାଛିବାଛି ନେଇଯାଇଥିଲେ।

ସମ୍ବନ୍ଧିତ ଖବର