ଭୁବନେଶ୍ବର : ବେଶପୋଷାକ ସମ୍ଭ୍ରାନ୍ତ ପରିବାରର। କଥାବାର୍ତ୍ତା ବି ଖୁବ୍ ମାର୍ଜିତ। ସହଜରେ କେହି ଠକ ବୋଲି ଠଉରେଇ ପାରିବେ ନାହିଁ। ଘରର ଇଣ୍ଟେରିଅର କାମ ପାଇଁ ସୋ’ ରୁମ୍କୁ ଜିନିଷ ପାଇଁ ଆସିଲା। ଜିନିଷ ବି ଦେଖିଲା। ହେଲେ ଜିନିଷ ନେଲାନି ବଦଳରେ ସୁଯୋଗ ପାଇ ସୋ’ରୁମ୍ରୁ ୧.୨୫ ଲକ୍ଷ ଟଙ୍କା ନେଇ ଚାଲିଗଲା। ଏଭଳି ଜଣେ ଧୂର୍ତ୍ତ ଠକର କାରନାମା ସିସିଟିଭିରେ କଏଦ୍ ହୋଇଛି। ଏନେଇ ଟଙ୍କପାଣି ସାଇମନ୍ଦିର ରୋଡ୍ରେ ଥିବା ଅନ୍ନପୂର୍ଣ୍ଣା ଇଣ୍ଟେରିଅର ସୋ’ରୁମ୍ ମାଲିକ ସ୍ମୃତିରଂଜନ ଭୂୟାଁ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଗୁରୁବାର ସକାଳ ପ୍ରାୟ ୧୦ଟା ବେଳେ ସ୍ମୃତିରଂଜନଙ୍କ ବାପା ବିଚିତ୍ରାନନ୍ଦ ଭୂୟାଁ ସୋ’ ରୁମ୍ ଖୋଲିବା ପରେ ପୂଜା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ଠକ ସୋ’ରୁମ୍କୁ ଆସି ଇଣ୍ଟେରିଅର ଜିନିଷ ଦେଖିଥିଲା। କିଣାକିଣି ପାଇଁ ମୂଲଚାଲ ବି କଲା। ଆଉ ଏହା ଭିତରେ ସୋ’ରୁମ୍ର କ୍ୟାସ୍ କାଉଣ୍ଟରକୁ ଠାବ କରିଥିଲା। ସୋ’ରୁମ୍ ପୂଜା ଥିବାରୁ ବିଚିତ୍ରାନନ୍ଦ ତାଙ୍କୁ ବାହାରେ ବସିବାକୁ କହିବା ସହ ପୁଅ ଆସିଲେ ଜିନିଷ କାଢ଼ିଦେବ ବୋଲି କହିଥିଲେ। ହେଲେ ଠକ ବାହାରକୁ ନଯାଇ କ୍ୟାସ କାଉଣ୍ଟର ସମ୍ମୁଖ ଚେୟାରରେ ବସିଥିଲା। ଗ୍ରାହକ ଯେ, ଜଣେ ପେସାଦାର ଠକ ବିଚିତ୍ରାନନ୍ଦ ଜାଣିପାରି ନଥିଲେ। ସେ ଭିତରେ ବସିଥିଲେ ବି ସେତେଟା ଗୁରୁତ୍ବ ଦେଇନଥିଲେ। କିନ୍ତୁ ଯୋଜନାରେ ଥିବା ଠକ ସୁଯୋଗକୁ ଅପେକ୍ଷା କରିଥିଲା। ବିଚିତ୍ରାନନ୍ଦ ପାଣିପାଇଁ ବାହାରକୁ ଯିବା ବେଳେ ତୁରନ୍ତ ସିଟ୍ରୁ ଉଠି କ୍ୟାସ୍ କାଉଣ୍ଟରରୁ ୧ଲକ୍ଷ ୨୫ ହଜାର ଟଙ୍କା ନେଇ ସୋ’ରୁମ୍ରୁ ବାହାରକୁ ବାହାରିଥିଲା।ଏହି ସମୟରେ ବିଚିତ୍ରାନନ୍ଦ ପହଞ୍ଚି ପୁଅ ଆସୁଛି ଟିକିଏ ଅପେକ୍ଷା କର ବୋଲି କହିଥିଲେ। ଏକ ଜରୁରୀ କଲ୍ ଆସିଲା; ମୁଁ ୧୦ ମିନିଟ୍ରେ ଫେରୁଛି କହି ଠକ ଚମ୍ପଟ ମାରିଥିଲା।
କିଛି ସମୟ ପରେ ସ୍ମୃତିରଂଜନ ସୋ’ରୁମ୍ରେ ପହଞ୍ଚି ବାପାଙ୍କୁ ଟଙ୍କା ମାଗିଥିଲେ। କ୍ୟାସ୍ ବାକ୍ସରୁ ଟଙ୍କା ନେବାକୁ ବିଚିତ୍ରାନନ୍ଦ କହିଥିଲେ। ହେଲେ ଟଙ୍କା ନଥିବା ଦେଖି ସ୍ମୃତିରଂଜନ ଚକିତ ହୋଇପଡ଼ିଥିଲେ। ତୁରନ୍ତ ସିସିଟିଭି ଯାଞ୍ଚ କରିଥିଲେ। ଯେଉଁଥିରେ ଚୋରି ସମୟର ସମସ୍ତ ଦୃଶ୍ୟ କଏଦ୍ ହୋଇଥିଲା। ତୁରନ୍ତ ପୁଲିସକୁ ଫୋନ୍କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ସିସିଟିଭିରୁ ଠକକୁ ଚିହ୍ନଟ ପରେ ଜଣାପଡ଼ିଥିଲା ଯେ, ସେ ପୂର୍ବରୁ ଗତ ୧୯ ତାରିଖରେ ମଧ୍ୟ ପିପିଲିର ଏକ ସିମେଣ୍ଟ ଦୋକାନରୁ ଏମିତି ୨୫ହଜାର ଟଙ୍କା ନେଇଯାଇଥିଲା। ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।