ବାଲିଅନ୍ତା : ଗତ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଲୁଟେରାମାନେ ମାତିଛନ୍ତି। ରାସ୍ତାଘାଟରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଲୋକଙ୍କୁ ହାଣି ଲୁଟ୍ କରୁଛନ୍ତି। ଏଭଳି ଆତଙ୍କ ଲୋକଙ୍କ ମନରୁ ନ ଲିଭୁଣୁ ବାଲିଅନ୍ତାରେ ପୁଣି ଘଟିଛି ଏକ ବଡ଼ ଅଭାବନୀୟ ଚୋରି। ୩ ଶହ ବର୍ଷର ଏକ ପ୍ରାଚୀନ ମନ୍ଦିରରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି।ଭିଙ୍ଗାରପୁର ଚୌଧୁରୀ ବଂଶ ପ୍ରତିଷ୍ଠିତ ସ୍ଥାନୀୟ ଅଞ୍ଚଳର ଆରାଧ୍ୟ ଦେବତା ଗୋପୀନାଥ ଦେବଙ୍କ ମନ୍ଦିରରୁ ପଥର ମୂର୍ତ୍ତିକୁ ଛାଡ଼ି ବାକି ୧୨ଟି ବହୁମୂଲ୍ୟ ଅଷ୍ଟଧାତୁ ମୂର୍ତ୍ତି ସମେତ ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ରୂପା ଗହଣା ଲୁଟି ନେଇଛନ୍ତି। ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମନ୍ଦିରକୁ ଆସି ତଦନ୍ତ କରିଛି। କିନ୍ତୁ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ।
ଚୌଧୁରୀ ଦ୍ବାରିକାନାଥ ଦାଶଙ୍କ ଅଭିଯୋଗ ଅନୁସାରେ ଗୋପୀନାଥ ମନ୍ଦିର ୩ ଶହ ବର୍ଷର ପୁରୁଣା। ତେଣୁ ଏଠାରେ ବହୁ ପ୍ରାଚୀନ ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ପୂଜା ପାଉଥିଲେ। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଲୁଟ୍ କରିଛନ୍ତି। ଲୁଟ୍ ହୋଇଥିବା ମୂର୍ତ୍ତିମାନଙ୍କ ମଧ୍ୟରେ ରହିଛି ସ୍ବୟଂ ଗୋପୀନାଥ ଦେବଙ୍କ ଚଳନ୍ତି ବିଗ୍ରହ, ଶ୍ରୀରାଧାଙ୍କ ମୂର୍ତ୍ତି, ମା’ ରୁଚିକା ମୂର୍ତ୍ତି, କନକ ଦୁର୍ଗାଙ୍କ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ଗୋପାଳଦେବଙ୍କ ଦୁଇ ମୂର୍ତ୍ତି, ୩ଟି ଗଣେଶ ମୂର୍ତ୍ତି, ଲକ୍ଷ୍ମୀ ଓ ସରସ୍ବତୀଙ୍କର ଦୁଇ ମୂର୍ତ୍ତି। ଏହି ସବୁ ମୂର୍ତ୍ତି ଅଷ୍ଟଧାତୁରେ ନିର୍ମିତ ହୋଇଥିବାରୁ ବହୁ ମୂଲ୍ୟବାନ। ସେହିପରି ଚୋରି ହୋଇଥିବା ଗହଣା ବା ଅଳଙ୍କାର ମଧ୍ୟରେ ରହିଛି ଗୋପୀନାଥ ଦେବଙ୍କର ୩ଟି ସୁନା ଓ ରୂପା ମୁକୁଟ, ରୂପା ବଂଶୀ, ରୂପା କଠଉ, ରୂପା ବାହୁଟି, ରୂପା ଖଡ଼ୁ ଓ ବାଡ଼ି। ସେହିଭଳି ରାଧାଙ୍କର ୩ଟି ସୁନା ଓ ରୂପା ମୁକୁଟ, ୨ଟି ରୂପା ଖଡ଼ୁ, ୨ଟି ରୂପା ବାଲା, ୬ଟି ପାଉଁଜି ଓ ଦୁଇଟି ରୂପା ଲକେଟ ଖଚିତ ହାର। ଏହାଛଡ଼ା ଗୋପାଳ ଜୀଉଙ୍କର ରୂପା ବାଡ଼ି ଓ ରୂପା ମୁକୁଟ ମଧ୍ୟ ଚୋରି ହୋଇଛି। ଅଷ୍ଟଧାତୁ ମୂର୍ତ୍ତିଗୁଡ଼ିକର ମୂଲ୍ୟ ଆକଳନ କରିବା ସମ୍ଭବ ହୋଇନଥିବା ବେଳେ ଗହଣାଗାଣ୍ଠିର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଚୌଧୁରୀ ଶ୍ରୀ ଦାଶ କହିଛନ୍ତି। ତେବେ ଦୁର୍ବୃତ୍ତମାନେ ଆସ୍ଥାନରେ ପୂଜା ପାଉଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଛାଡ଼ି ଯାଇଛନ୍ତି। କଳା ମୁଗୁନି ପଥରରେ ନିର୍ମିତ ଏହି ଯୁଗଳ ମୂର୍ତ୍ତିର ଉଚ୍ଚତା ସାଢ଼େ ୩ ଫୁଟ୍। ଏହା ପଥରରେ ତିଆରି ବୋଲି ଦୁର୍ବୃତ୍ତମାନେ ନେଇନାହାନ୍ତି।
ଅଭିଯୋଗ ପାଇ ଏସିପି ରଜତ ରାୟଙ୍କ ସହ ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସାଇଣ୍ଟିଫିକ ଟିମ୍ ସହ ମନ୍ଦିରରେ ପହଞ୍ଚି ଛାନ୍ଭିନ ଆରମ୍ଭ କରିଥିଲେ। ପୁଲିସ ଟିମ୍ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରିଛି। ଏମିତିକି ସନ୍ଦେହରେ ଦୁଇ ଜଣଙ୍କୁ ପଚରାଉଚରା କରିଛି। ସନ୍ଦିଗ୍ଧ ଏହି ଦୁଇ ଯୁବକଙ୍କ ମଧ୍ୟରୁ ଜଣକର ଘର ଭିଙ୍ଗାରପୁରଶାସନ ହୋଇଥିବା ବେଳେ ଅନ୍ୟ ଜଣକର ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଲୁଟ୍ ଘଟଣାରେ ପେସାଦାର ମନ୍ଦିର ଲୁଟେରାଙ୍କ ସଂପୃକ୍ତି ରହିଛି ବୋଲି ଅନୁମାନ କରାଯାଉଛି। ତେଣୁ ଜଟଣୀ ଓ ଅନ୍ୟ ଥାନାକୁ ଜଣାଇ ଦିଆଯାଇଛି ଓ ସେସବୁ ଅଞ୍ଚଳର ମନ୍ଦିର ଲୁଟେରାଙ୍କ ସବିଶେଷ ତଥ୍ୟ ମଗାଯାଇଛି। ଖୁବ୍ ଶୀଘ୍ର ଏହି ଚୋରିର ପର୍ଦ୍ଦାଫାସ୍ ହେବ ବୋଲି ପୁଲିସ ଆଶାବାଦୀ ଅଛି।