ମହିଳାଙ୍କ ସ୍କୁଟିରୁ ଲୁଟିଲା ନିଶାଡ଼ି, ନାଟକୀୟ ଢଙ୍ଗରେ ଛୁ’ ମାରିଲା

ବାରଙ୍ଗ : ବୁଧବାର ଜଣେ ନିଶାଡ଼ିର ନିଆରା ଲୁଟ୍‌ ବାରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ନିଶାଡ଼ି ଜଣକ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସ୍କୁଟି ଡିକିରୁ ମନିପର୍ସ ଓ ଅନ୍ୟାନ୍ୟ କା‌ଗଜପତ୍ର ଲୁଟିଲା। ପୁଣି ତାଙ୍କୁ ଡାକିହାକି ଲୁଟ୍‌ ବାବଦରେ କହିଲା ଓ ଆଖି ପିଛୁଳାକେ ଫେରାର୍ ହୋଇଗଲା। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ରାଜଧାନୀ ଉପକଣ୍ଠ ଟାଙ୍ଗୀବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ବନ୍ଦିତା ଜେନା ପାଟ୍ଟସାହାଣୀ। ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୁଲିସ ଛାନ୍‌ଭିନ୍ କରି ନିଶାଡ଼ିକୁ ଚିହ୍ନଟ କରିଥିଲେ ବି ତାକୁ ଧରିପାରିନାହିଁ।

ବନ୍ଦିତାଙ୍କ ଅଭିଯୋଗ ଅନୁସାରେ ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା‌ ବେଳେ ସେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍କୁଟି ରଖି ସେଠାରେ ଚାଲିଥିବା ଉଦ୍ୟାନ କାର୍ଯ୍ୟ ଦେଖୁଥିଲେ। ସ୍କୁଟିରୁ ଚାବି ବାହାର କରି ନେବାକୁ ସେ ଭୁଲି ଯାଇଥିଲେ। କିଛି ସମୟ ପରେ ଏକ କଳା ରଙ୍ଗର ବାଇକ୍‌ ଧରି ଜଣେ ଯୁବକ ସେଠାକୁ ଆସିଥିଲା। ସେ ବନ୍ଦିତାଙ୍କୁ ଡାକି ତାଙ୍କ ଗାଡ଼ିର ଡିକି ଖୋଲା ଅଛି ବୋଲି କହିଲା। ତରବର ହୋଇ ସେ ସ୍କୁଟି ପାଖକୁ ଆସିବା ବେଳକୁ ଯୁବକଜଣକ ଦ୍ରୁତବେଗରେ ବାଇକ୍‌ ନେଇ ପଳାଇଥିଲା। ଡିକିରେ ଥିବା ମନିପର୍ସ, ଏଟିଏମ୍‌ କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ନଥିବା ଦେଖି ବନ୍ଦିତା ବୁଝିଗଲେ ଯେ ଯୁବକଜଣକ ହିଁ ଚୋରି କରିଛି। ତେଣୁ ସେ ତୁରନ୍ତ ତାକୁ ପିଛା କରି ଗଣ୍ଡରପୁର ଗାଁ ପର୍ଯ୍ୟନ୍ତ ଯାଇଥିଲେ। ମାତ୍ର ସେତେବେଳକୁ ଦୁର୍ବୃତ୍ତ ଫେରାର୍ ହୋଇ ସାରିଥିଲା। ଗଣ୍ଡରପୁର ପରେ ଦୁର୍ବୃତ୍ତ ଜଣକ ବରିମୁଣ୍ଡ ଓ ରୋକଟ ଗାଁ ଦେଇ ପଳାଇଥିବା କିଛି ସ୍ଥାନୀୟ ଲୋକ ଦେଖିଥିବା କହିଛନ୍ତି। ଏମିତିକି ଦୁର୍ବୃତ୍ତ ଜଣକ ବ୍ରାଉନ୍‌ସୁାଗର କାରବାର କରୁଥିବା ଅଭିଯୋଗରେ ଜେଲ୍‌ ଯାଇ ନିକଟରେ ଜାମିନ୍‌ରେ ଫେରିଥିବା ସ୍ଥାନୀୟ ଲୋ‌କେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର