ପୁରୁଣା ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପ୍ରବାସୀ ଭାରତୀୟ ନିରଜ ଚନ୍ଦନଙ୍କ ପତ୍ନୀ ଆଲଫା ଚନ୍ଦନଙ୍କ ଭ୍ୟାନିଟି ବ୍ୟାଗ୍ ଚୋରି ଘଟଣାକୁ କମିସନ୍ରେଟ୍ ପୁଲିସ ଗୁରୁତ୍ୱର ସହ ନେଇଛି। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିର୍ଦେଶକ୍ରମେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ବିମାନବନ୍ଦରରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଠାବ କରିବାକୁ ଚେଷ୍ଟା ଚଳାଇଛି। ତେବେ ଏହି ଘଟଣାରେ ପୁଲିସକୁ ଏକ ସୁରାକ୍ ମିଳିଥିବା ଜଣାଯାଇଛି। ବିମାନବନ୍ଦର ପରିସରରେ ଜଣେ ସଂଦିଗ୍ଧ ମହିଳା ଆଲଫାଙ୍କ ନିକଟରେ ଚକ୍କର୍ କାଟୁଥିବା ପୁଲିସ ଫୁଟେଜ୍ରୁ ଦେଖିବାକୁ ପାଇଛି। ତେଣୁ ମହିଳାଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ କରୁଛି। ଅପରପକ୍ଷେ ଚୋରି ହୋଇଥିବା ଭ୍ୟାନିଟି ବ୍ୟାଗ୍ ମଧ୍ୟରେ ଚନ୍ଦନ ଓ ତାଙ୍କ ପତ୍ନୀ ଆଲଫାଙ୍କ ସମେତ ପୁଅ, ଝିଅଙ୍କ ପାସପୋର୍ଟ ଥିବାରୁ ତାଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଏପରିକି ନିଜ ଜନ୍ମସ୍ଥାନ ପଞ୍ଜାବକୁ ଯିବାରେ ବାଧକ ସୃଷ୍ଟି ହୋଇଥିଲା। ତେବେ ପୁଲିସର ହାତଲେଖା ସହାୟତାରେ ସେ ଓ ତାଙ୍କ ପରିବାର ପଞ୍ଜାବ ଯାଇଥିବା ଜଣାଯାଇଛି। ଅପରପକ୍ଷେ ଏହି ଘଟଣା ସଂପର୍କରେ ସେ ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସହାୟତା ମାଗିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂଚନା ଅନୁଯାୟୀ, ଘାନାରେ ରହୁଥିବା ଏହି ପ୍ରବାସୀ ଭାରତୀୟଜଣଙ୍କ ପରିବାର ସହ ଓଡ଼ିଶା ବୁଲି ଆସିଥିଲେ। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସେ ଗତ ରାତି ପ୍ରାୟ ୮ଟାରେ ଓହ୍ଲାଇଥିଲେ। ତେବେ ଟର୍ମିନାଲ ନିକଟରେ କେହି ଦୁର୍ବୃତ୍ତ ତାଙ୍କ ପତ୍ନୀଙ୍କ ଭ୍ୟାନିଟି ବ୍ୟାଗ୍ଟିକୁ ଚୋରି କରି ନେଇଥିଲା। ନିରଜ ଏ ସଂପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ତଦନ୍ତକାରୀ ଅଧିକାରୀ ପ୍ରାଥମିକ ସନ୍ଧାନ କରିଥିଲେ ମଧ୍ୟ ବ୍ୟାଗ୍ କିମ୍ବା ଲୁଟେରାଙ୍କ ପତ୍ତା ମିଳିନଥିଲା। ସେଠାରୁ ନିରାଶ ହେବା ପରେ ନିରଜ ଏୟାରଫିଲ୍ଡ୍ ଥାନାରେ ଅଭିଯୋଗ କରିଥିଲେ। ଚୋରି ସାମଗ୍ରୀ ଭିତରେ ୩ ହଜାର ଡଲାର ନଗଦ କ୍ୟାସ୍, ୩ଟି ମୋବାଇଲ୍, ପରିବାରର ସମସ୍ତଙ୍କ ଭିସା ଓ ପାସପୋର୍ଟ ରହିଥିଲା। ଏ ସଂପର୍କରେ ଖବର ପାଇ ପୁଲିସ ଡିଜି ଡା. ଶର୍ମା ଏହାର ତୁରନ୍ତ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।
ରାତିରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ରାତିରେ ଫେରିବା ନେଇ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ରାତି ୧୧ଟା ପରେ ପ୍ରାଇଭେଟ କାର୍, ଓଲା, ଉବର ଭଳି ଗାଡ଼ି ମିଳୁ ନଥିବା ବେଳେ ଟ୍ୟାକ୍ସି ମାଲିକମାନେ ଅଧିକ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି। ପୁନାମା ଗେଟ୍ ଅଞ୍ଚଳରେ ରହୁଥିବା ଆଇନଜୀବୀ ଅରୁଣ ମହାପାତ୍ର କହନ୍ତି, ସେଠାକାର ଟ୍ୟାକ୍ସି ମାଲିକମାନେ ରସୁଲଗଡ଼ ୧୦ କିଲୋମିଟର ପାଇଁ ଯେତିକି ଭଡ଼ା କହନ୍ତି ପୁନମା ଗେଟ୍ ଛକକୁ ମଧ୍ୟ ସେତିକି ଭଡ଼ା ଦାବି କରନ୍ତି। ଅନ୍ୟ କୌଣସି ଉପାୟ ନ ଥିବାରୁ ଅଧରାତିରେ ଅଧିକ ଟଙ୍କା ଦେଇ ଯାତ୍ରୀମାନେ ଯିବାକୁ ବାଧ୍ୟ ହେଉଛନ୍ତି। ଏନେଇ କର୍ତୃପକ୍ଷଙ୍କ ଲଗାମ ନଥିବାରୁ ସେମାନେ ମନଇଚ୍ଛା ଭଡ଼ା ନେଉଛନ୍ତି। ତେବେ ମାସିକିଆ ବଟି ଯୋଗୁଁ କର୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ସେ ପ୍ରକାଶ କରିଛନ୍ତି।
ବାରମ୍ବାର ହେଉଛି ଚୋରି
ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଏହି ଚୋରି ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ବହୁବାର ଚୋରି ହୋଇଛି। ତା’ ଭିତରୁ ଅଳ୍ପ କିଛି ମାମଲା ହୋଇଛି। ନିଜ କାର୍ଯ୍ୟବ୍ୟସ୍ତତା ଯୋଗୁଁ ବହୁ ଲୋକ ଅଭିଯୋଗ କରୁ ନଥିବା ବେଳେ ଅଭିଯୋଗ ହେଲେ ମଧ୍ୟ କିଛି ଘଟଣା ପଦାକୁ ଆସୁନାହିଁ। ଗତ ୨୦୧୭ ମସିହା ମାର୍ଚ ୫ ତାରିଖରେ ଖୋର୍ଧା ଜିଲ୍ଲା ବାଲୁଗାଁର ଅମର ଦାସ ନାମକ ଜଣେ ଯୁବକ ଓମାନରୁ ଆସି ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇଥିଲେ। ସେଠାରୁ ତାଙ୍କ ଲଗେଜ୍ ଚୋରି ହୋଇଯାଇଥିଲା ଯାହା ୧୦ ଦିନ ପରେ ମିଳିଥିଲା। କିନ୍ତୁ ସେଥିରୁ ୩ଟି ଦାମୀ ଫୋନ୍ ଚୋରି ହୋଇଥିବା ନେଇ ଅମର ଅଭିଯୋଗ କରିଥିଲେ। ସେହିପରି ଗତବର୍ଷ ଡିସେମ୍ବର ୭ ତାରିଖରେ ରାଉରକେଲାର ନେହା ପନ୍ସାରୀ ନାମକ ଜଣେ ମହିଳାଙ୍କ ୩ଲକ୍ଷ ଟଙ୍କାର ଡାଇମଣ୍ଡ୍ ନେକ୍ଲେସ୍ ସମେତ ୧୦ହଜାର ଟଙ୍କା ଓ ଏଟିଏମ୍ କାର୍ଡ ଚୋରି ହୋଇଥିଲା। ଏନେଇ ପୁଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ ଚୋର କିମ୍ବା ଚୋରି ଜିନିଷ ମିଳିନଥିଲା। ତେବେ ବିମାନବନ୍ଦରରେ ଖଚାଖଚ୍ ଲାଇଟ୍ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ବିଭିନ୍ନ ସମୟରେ ଭ୍ୟାନିଟି ବ୍ୟାଗ୍ ଚୋରି ହେବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।