ରାଜଧାନୀରେ ମାତିଲେ ସିନ୍ଧିଚୋର

ଦୁଇ ଘଣ୍ଟା ଭିତରେ ଠିକାଦାରଙ୍କ ଘରେ ବୁଲାଇଲେ କଳାକନା

ପରିବାର ଯାଇଥିଲେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାକୁ
ଘର ତାଡ଼ି ଲୁଟିଲେ ୪ ଭରି ସୁନା, ଅଢ଼େଇ ଲକ୍ଷ ଟଙ୍କା

ଭୁବନେଶ୍ବର : ପରିବାର ଲୋକ ଯାଇଥିଲେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାକୁ। ମାତ୍ର ଦୁଇ ଘଣ୍ଟା ଭିତରେ ଘରକୁ ଫେରିଲେ। କିନ୍ତୁ ଏହି ସମୟ ଭିତରେ ଯାହା ଘଟିଥିଲା ତାହା ଦେଖି ସେମାନଙ୍କ ହୋସ୍ ଉଡ଼ି ଯାଇଥିଲା। ମାତ୍ର ଦୁଇ ଘଣ୍ଟା ଭିତରେ ଚୋର ଘରେ ପଶି କଳାକନା ବୁଲାଇ ଦେଇଥିଲେ। ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଅଢେଇ ଲକ୍ଷ ଟଙ୍କା, ଦୁଇଟି ଦାମୀ ମୋବାଇଲ ଫୋନ୍ ଲୁଟି ନେଇଛନ୍ତି। ଘଟଣା ଘଟିଛି ଝାରପଡ଼ା ମହାଦେବ ନଗରରେ। ଲୁଟର ଶିକାର ହୋଇଛନ୍ତି ସୁଶାନ୍ତ କୁମାର ମଲ୍ଲିକ। ସେ ଜଣେ କନଷ୍ଟ୍ରକସନ୍ ଠିକାଦାର ବୋଲି ଜଣାପଡ଼ିଛି। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଦୁର୍ବୃତ୍ତଙ୍କ ଟେର୍ ମିଳିପାରି ନାହିଁ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ସୁଶାନ୍ତ ପରିବାର ସହ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇଥିଲେ। ସେଠାରୁ ପ୍ରାୟ ୯ଟା ସମୟରେ ଘରକୁ ଫେରିଥିଲେ। ଘରେ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭିତର ପଟୁ ବନ୍ଦ ରହିଥିଲା। ଘରର ସବୁ ଲାଇଟ୍ ଜଳୁ ଥିବାରୁ ମନରେ ସନ୍ଦେହ ହୋଇଥିଲା। କବାଟକୁ ଠେଲି ଭାଙ୍ଗିବା ସହ ଭିତରକୁ ଯାଇଥିଲେ। ଏହା ପରେ ବେଡରୁମରେ ଥିବା ଆଲମିରା ଭଙ୍ଗା ଯାଇଥିବା ବେଳେ ଲୁଗାପଟା ଓ ଆସବାବପତ୍ର ଛିନଛତ୍ର ହୋଇ ପଡ଼ିଥିଲା। ପଛ ଘରର ଗ୍ରିଲ୍ ତଡ଼ା ଯାଇଥିଲା। ଦୁର୍ବୃତ୍ତ ଗ୍ରିଲ୍ ତାଡ଼ିବା ସହ ଭିତରେ ପଶି ଲୁଟପାଟ୍‌ କରିଥିବା ପୁଲିସ ଜାଣିବାକୁ ପାଇଛି। ଘର ନିକଟରେ ରହୁଥିବା ଏକ ପରିବାର ଏହି କାଣ୍ଡ ଘଟାଇଥିବା ସେ ସନ୍ଦେହ କରୁଛନ୍ତି। କାରଣ ସେ ବାହାରକୁ ଯିବା ସମୟରେ ଏହି ଘଟଣା ଘଟିଛି। ତେଣୁ ସେହି ପରିବାର ଲୋକ ତାଙ୍କ ଯିବା ଆସିବା ଉପରେ ନଜର ରଖିବା ସହ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘର ଆଖପାଖରେ ଥିବା ୩ଟି ସିସିଟିଭି କ୍ୟାମେରାକୁ ଯାଞ୍ଚ କରିଛି। ଦୁର୍ବୃତ୍ତ ଧରାପଡ଼ିବେ ବୋଲି ଆଶା ରଖିଛି ପୁଲିସ।

ଗ୍ରିଲ୍ ତାଡ଼ି ନେଇଗଲେ ମୋବାଇଲ ଫୋନ୍, ସିଲେଇ ମେସିନ୍
ଗୋଟିଏ ରାତିରେ ଦୁଇଟି ସିନ୍ଧିଚୋରି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଝାରପଡ଼ା ପରେ ବଡ଼ଗଡ଼ ପାଣ୍ଡବନଗରରେ ମଧ୍ୟ ଦୁର୍ବୃତ୍ତ ଏକ ଘର ଗ୍ରିଲ ତାଡ଼ି ଲୁଟପାଟ୍ କରିଛନ୍ତି। ଲୁଟର ଶିକାର ହୋଇଥିବା ପ୍ରଭାକର ସୂତାର ଏ ନେଇ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଦୁର୍ବୃତ୍ତମାନେ ଗ୍ରିଲ ତାଡ଼ି ଘରେ ପଶିବା ସହ ୩ଟି ମୋବାଇଲ ଫୋନ୍ ଓ ତାଙ୍କ ପତ୍ନୀଙ୍କର ସିଲେଇ ମେସିନ୍ ଓ ଅନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି। ପତ୍ନୀ ସିଲେଇ ମେସିନରୁ ରୋଜଗାର କରନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ରାଜଧାନୀରେ ସିନ୍ଧିଚୋର ମାତିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପୁଲିସ ପାଟ୍ରୋଲିଂ ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ଘର ଆଗରୁ ବୁଲେଟ୍ ଚୋରି
ଭୁବନେଶ୍ବର : ବଡ଼ଗଡ଼ ମହିଷାଖାଲରେ ଗତକାଲି ରାତିରେ ଘର ଆଗରୁ ଜଣେ ବ୍ୟକ୍ତିଙ୍କ ବୁଲେଟ୍ ଚୋରି ହୋଇଯାଇଛି। ଲୁଟର ଶିକାର ବ୍ୟକ୍ତି ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସନ୍ଦେହରେ ଜଣଙ୍କୁ ପଚରାଉଚରା କରୁଛି। ରାଜଧାନୀରେ ଗତ କିଛିମାସ ହେଲା ଗାଡ଼ି ଚୋରି ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର