ଚନ୍ଦ୍ରଶେଖରପୁର : ଚୋର ଓ ଲୁଟେରାଙ୍କ କବ୍ଜାରେ ରାଜଧାନୀ। ଦୁର୍ବଳ ପୁଲିସ ପାଟ୍ରୋଲିଂର ସୁଯୋଗ ସେମାନଙ୍କୁ ସୁଯୋଗ ଦେଉଛି। ଦିନକୁ ଦିନ ରାସ୍ତାରେ ରାହାଜାନି ଓ ଛିନ୍ତାଇ ବଢ଼ି ଚାଲିଥିବା ବେଳେ ସିନ୍ଧିଚୋରମାନେ ଘର ତାଡ଼ି ବେଧଡ଼କ ଲୁଟ୍ପାଟ୍ କରୁଛନ୍ତି। ବିଶେଷକରି ପଟିଆ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଚୋରି ବଢ଼ିଛି। ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ନୀଳାଦ୍ରିବିହାର ସେକ୍ଟର-୨ ପ୍ଲଟ୍-୧୧ସ୍ଥିତ ବେବି କେୟାର୍ କ୍ଲିନିକ୍ର ଝରକା ଗ୍ରିଲ୍ ତାଡ଼ି କ୍ୟାସ୍ ବକ୍ସରୁ ପ୍ରାୟ ୨ଲକ୍ଷ ଟଙ୍କା ଚୋରି କରିନେଇଛି। ଏନେଇ କ୍ଲିନିକ୍ ମାଲିକ ଡାକ୍ତର ତାପସ ମହାପାତ୍ର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ମାତ୍ର ପୁଲିସ ସିସିଟିଭି ଫୁଟେଜ୍ରୁ ସମସ୍ତ ତଥ୍ୟ ପାଇଥିଲେ ବି ଦୁର୍ବୃତ୍ତକୁ ଧରିପାରିନାହିଁ।
ଡାକ୍ତର ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଜଣେ ଦୁର୍ବୃତ୍ତ କ୍ଲିନିକ୍ ଝରକାର ଲୁହା ଗ୍ରିଲ୍କୁ ତାଡ଼ି ଭିତରକୁ ପଶିଥିଲା। ସେ ସିଧାସଳଖ କ୍ୟାସ୍ ବକ୍ସ୍ ନିକଟକୁ ଯାଇ ଲକ୍ ତାଡ଼ିଥିଲା ଓ ସେଥିରେ ଥିବା ପାଖାପାଖି ଦୁଇ ଲକ୍ଷ ଟଙ୍କା ନେଇଯାଇଥିଲା। ଏସବୁ ଦୃଶ୍ୟ କ୍ଲିନିକ୍ର ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଛି। କ୍ୟାସ୍ ବକ୍ସ ଭାଙ୍ଗିବା ପରେ ଅନ୍ୟାନ୍ୟ ଦାମୀ ଉପକରଣ ଓ ଯନ୍ତ୍ରପାତି ନେବାକୁ ଚେଷ୍ଟା କରି ଦୁର୍ବୃତ୍ତ ବ୍ୟାପକ ଭଙ୍ଗାରୁଜା କରିଛି। ଦୁର୍ବୃତ୍ତଜଣକ ଏକ ନୀଳ ରଙ୍ଗର ସାର୍ଟ, କଳା ପ୍ୟାଣ୍ଟ ପିନ୍ଧିଥିବା ବେଳେ ମୁଣ୍ଡରେ ଧଳା ଟୋପି ଓ ମୁହଁରେ ମାକ୍ସ୍ ପିନ୍ଧିଥିବା ସିସିଟିଭି ଫୁଟେଜ୍ରେ ଦେଖାଯାଉଛି। ତଦନ୍ତ ଅଧିକାରୀ ଏସ୍ଆଇ ଅଶ୍ବିନୀ କୁମାର ଜେନାଙ୍କ ସୂଚନା ମୁତାବକ, ପୁଲିସ ମାମଲାକୁ ଗୁରୁତ୍ବର ସହ ନେଇଛି। ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରାଯାଇଛି। ସିସିଟିଭି ଫୁଟେଜ୍କୁ ତନ୍ନତନ୍ନ କରି ଦେଖାଯାଉଛି। ଖୁବ୍ଶୀଘ୍ର ଦୁର୍ବୃତ୍ତକୁ ଠାବ କରାଯିବ। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ନୀଳାଦ୍ରିବିହାର ଅଞ୍ଚଳରେ ଆଉ ଏକ କ୍ଲିନିକ୍ରୁ ମଧ୍ୟ ଲୁଟ୍ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ମାତ୍ର କ୍ଲିନିକ୍ରୁ କିଛି ନେଇ ନପାରି ବିଭିନ୍ନ ଯନ୍ତ୍ରପାତିକୁ ନଷ୍ଟ କରିଦେଇଛି।