ରାଜଧାନୀର ୫ ରାସ୍ତା ଏବେ ଲୁଟେରାଙ୍କ ଟାର୍ଗେଟ୍‌ରେ

ସପ୍ତାହକରେ ୮ଟି ଲୁଟ, ବିଦେଶିନୀଙ୍କୁ ବି ଛାଡ଼ି ନାହାନ୍ତି, ପାଟ୍ରୋଲିଂ ପାଇଁ କଡ଼ା ନି‌ଦେର୍ଶ, ଗ୍ୟାଙ୍ଗର ପର୍ଦାଫାସ କରିବାକୁ ସ୍ପେସାଲ ସ୍କ୍ବାଡକୁ ଦାୟିତ୍ବ

ଭୁବନେଶ୍ବର : ହକି ବିଶ୍ବକପ ଆଉ ମାତ୍ର ୧୦ ଦିନ ବାକି ଅଛି। ଏବେଠାରୁ ଅନେକ ଦେଶ ଓ ବିଦେଶର ପର୍ଯ୍ୟଟକ, ବିଦେଶୀ ଖେଳାଳିଙ୍କ ଫ୍ୟାନ ଓ ସମ୍ପର୍କୀୟମାନେ ଆସି ପହଞ୍ଚିବାରେ ଲାଗିଲେଣି। ବିଦେଶୀମାନଙ୍କ ସୁରକ୍ଷା ଏବେ କମିସନରେଟ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ଗତକାଲି ଖଣ୍ଡଗିରି ଅଞ୍ଚଳରୁ ନରେୱେର ଜଣେ ଯୁବତୀ ସର୍ଲିନା ରନ୍ ହର୍ଷ୍ଟେନଙ୍କଠାରୁ ଲୁଟ ହେବା ପରେ ପୁଲିସର ଚିନ୍ତା ବଢ଼ିଯାଇଛି। ବିଦେଶୀଙ୍କଠାରୁ ଲୁଟପାଟ ହେଲେ ସାରା ବିଶ୍ବ ଓ ଦେଶରେ ରାଜଧାନୀ ଭୁବନେଶ୍ବର ଛବି ନଷ୍ଟ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ କେମିତି ରାଜଧାନୀରେ ଲୁଟପାଟ ଭଳି ଅଘଟଣ ନ ଘଟିବ, କମିସନରେଟ ପୁଲିସ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି। ବିଶେଷକରି ଚେନ୍ ଲୁଟ, ମୋବାଇଲ୍ ଓ ଭ୍ୟାନିଟି ଲୁଟ ଉପରେ ଏବେ ପୁଲିସ ଫୋକସ କରିଛି। ଏଥିପାଇଁ କମିସନରେଟ ପୁଲିସ ରାଜଧାନୀରେ ଲୁଟପାଟ ହେଉଥିବା ୫ଟି ପ୍ରମୁଖ ରାସ୍ତା ଚିହ୍ନଟ କରାଯାଇଛି। ସେହି ରାସ୍ତାରେ ଅଧିକାଂଶ ସମୟରେ ଲୁଟପାଟ ଘଟୁଛି। ଏଭଳି ରାସ୍ତାକୁ ଚିହ୍ନଟ କରାଯିବା ପରେ ସେହି ରାସ୍ତାରେ ପୁଲିସ ପାଟ୍ରୋଲିଂକୁ ବଢ଼ାଇ ଦିଆଯିବା ସହ ସାଦା ପୋଷାକରେ ପୁଲିସ ମୁତୟନ ହେବେ। ଏହାଛଡ଼ା ଲୁଟେରା ଗ୍ୟାଙ୍ଗକୁ ସଦସ୍ୟମାନଙ୍କୁ ଗିରଫ କରିବାକୁ ସ୍ପେସାଲ ସ୍କ୍ବାଡ ଓ କ୍ୟୁଏଟିକୁ ମଧ୍ୟ ନିର୍ଦେଶ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗତ ଏକ ସପ୍ତାହ ହେବ ରାଜଧାନୀରେ ୮ଜଣ ମହିଳା ଲୁଟପାଟର ଶିକାର ହେଲେଣି। ଏପରିକି ଲୁଟେରାମାନେ ଲୁଟ କରିବା ବେଳେ ଚଳନ୍ତା ଗାଡ଼ିରୁ ଠେଲି ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି। ଫଳରେ ଅନେକ ଗୁରୁତର ଭାବେ ଆହତ ମଧ୍ୟ ହେଉଛନ୍ତି। ଯେଉଁ ସବୁ ରାସ୍ତାରେ ଲୁଟପାଟ ହୋଇଛି, ପୁଲିସ ସେ ସବୁ ରାସ୍ତାକୁ ଚିହ୍ନଟ କରି ସାରିଛି। ବିଶେଷ କରି ଯାଁଳାରୁ ଖଣ୍ଡଗିରି, ଜୟଦେବବାଟିକା ରାସ୍ତା, ଖଣ୍ଡଗିରି-ପୋଖରୀଫୁଟ ରାସ୍ତା, ଏଜିରୁ ରାଜଭବନ ଛକ, ନୂଆ ବାଇପାସ ରାସ୍ତା ଏବେ ଲୁଟେରାମାନେ ସକ୍ରିୟ ଅଛନ୍ତି। ଏହି ୫ଟି ରାସ୍ତା ମଧ୍ୟରୁ ଅଧିକାଂଶ ରାସ୍ତାରେ ଅନ୍ଧାର ଓ ନିଛାଟିଆ। ଫଳରେ ଦିନ ବେଳେ ମଧ୍ୟ ଏହି ରାସ୍ତାରେ ଲୁଟପାଟ ହେଉଛି। ଏହି ରାସ୍ତା ଛଡ଼ା ରାଜଧାନୀର ଅନ୍ୟ ରାସ୍ତାରେ ଲୁଟପାଟ ହେଉଥିଲେ ମଧ୍ୟ ଉପରୋକ୍ତ ୫ଟି ରାସ୍ତାରେ ଗତ ଏକ ସପ୍ତାହ ମଧ୍ୟରେ ଅଧିକାଂଶ ଲୁଟପାଟ ଘଟଣା ଘଟିଛି। ଯେଉଁଥିରେ ଲୁ‌ଟେରାମାନେ କେବଳ ଯୁବତୀ ଓ ମହିଳାମାନଙ୍କୁ ଲକ୍ଷ୍ୟ କରି ଲୁଟପାଟ କରିଛନ୍ତି। ଅଧିକାଂଶ ଲୁଟ ମାମଲା ଗଣମାଧ୍ୟମର ନଜରକୁ ମଧ୍ୟ ଆସି ପାରୁନାହିଁ।

ଏଥିପାଇଁ ଜୋନାଲ ଏସିପି ଓ ସ୍ଥାନୀୟ ଥାନା ଇନ୍ସପେକ୍ଟରମାନଙ୍କୁ କୁହାଯାଇଛି ସଂପୃକ୍ତ ରାସ୍ତାରେ କଡ଼ା ପାଟ୍ରୋଲିଂ କରିବାକୁ। ଏହା ଛଡ଼ା ଯେମିତି କୌଣସି ସ୍ଥାନରେ ପିସିଆର ଭ୍ୟାନ ଠିଆ ନ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି।

ସପ୍ତାହକ ମଧ୍ୟରେ ଘଟିଥିବା କେତେକ ଲୁଟପାଟ

୧୧ ତାରିଖ: କ୍ୟାପିଟାଲ ଥାନା ଅଧୀନ ରାଜଭବନ ଛକରେ ମିନତି ଜେନା ନାମକ ଜଣେ ମହିଳାଙ୍କ ଚେନ୍ ଲୁଟ।
୧୨ ତାରିଖ: ଶ୍ରୀଲିଙ୍ଗରାଜ ଥାନା ଅଧୀନ ପୁରୁଣା ଭୁବନେଶ୍ବରର ନାଗେଶ୍ବରଟାଙ୍ଗୀ ଅଞ୍ଚଳରେ ରହୁଥିବା ଦେବାଶିଷ ଭୂୟାଁ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀବେକରୁ ଚେନ ଲୁଟ
୧୩ ତାରିଖ: ଖଣ୍ଡଗିରି ଥାନା ଅଧୀନ ପାତ୍ରପଡ଼ା ନିକଟରେ ସ୍ମିତା ମିଶ୍ର ନାମକ ଜଣେ ଅଧ୍ୟାପିକା ହୋଇଥିଲେ ଲୁଟର ଶିକାର। ଲୁଟବେଳେ ସେ ଗାଡିରୁ ଖସି ପଡ଼ି ଗୁରୁତର ଭାବେ ଆହତ ହୋଇଛନ୍ତି
୧୪ ତାରିଖ: ଖଣ୍ଡଗିରି ଥାନା ଅଧୀନ ଘାଟିକିଆ ରାସ୍ତା ଜଗତସିଂହପୁର ତିର୍ତୋଲ ଅଞ୍ଚଳର ରଶ୍ମୀରେଖା ନାମକ ଜଣେ ଯୁବତୀଙ୍କ ଚେନ ଲୁଟ
୧୫ ତାରିଖ: ଜୟଦେବବାଟିକା ରାସ୍ତାରେ ଯାଉଥିବାବେଳେ ସ୍ନିଗ୍ଧାରାଣୀ ମହାନ୍ତି ନାମକ ଜଣେ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ଲୁଟ
୧୭ ତାରିଖ:-ଖଣ୍ଡଗିରି ଅଞ୍ଚଳରୁ ନରେୱେର ଜଣେ ଯୁବତୀ ସର୍ଲିନା ରନ୍ ହର୍ଷ୍ଟେନଙ୍କଠାରୁ ମୋବାଇଲ ଓ ଲାପଟପ ଲୁଟ

ସମ୍ବନ୍ଧିତ ଖବର