ମାତିଲେ ବଞ୍ଜାରା : ଗୋଟିଏ ଦିନରେ ୪ ଜଣଙ୍କୁ ଲୁଟ୍

ବିଭୂତି ଦେବା ଆଳରେ ନିଶା ଶୁଙ୍ଘାଇଲେ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ମାତିଛନ୍ତି ବଞ୍ଜାରା। ସେମାନେ ବିଭିନ୍ନ ଉପାୟରେ ଲୋକଙ୍କଠାରୁ ଲୁଟ୍‌ପାଟ ଚଳାଇଛନ୍ତି। ମାତ୍ର ଦୁଇ ଦିନର ବ୍ୟବଧାନ ପରେ ଆଜି ପୁଣି ଥରେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନି ଓ ପଟିଆ ଷ୍ଟେସନ୍ ନିକଟରେ ରହୁଥିବା ୪ଟି ପରିବାର ଲୋକଙ୍କୁ ଚକ୍‌ମା ଦେଇ ବିଭୂତି ଦେବା ଆଳରେ ନିଶା ଶୁଙ୍ଘାଇ ଲୁଟ୍ କରିଛନ୍ତି। ଆଜି ସକାଳେ ହାଉସିଂବୋର୍ଡ କଲୋନିରେ ବଞ୍ଜାରାମାନେ ପହଞ୍ଚିଥିଲେ। ସେମାନେ ୩ଟି ପରିବାରର ମହିଳାଙ୍କ ଭବିଷ୍ୟତ କହିବା ପାଇଁ ହାତ ଦେଖିଥିଲେ। ‌ତାବିଜ୍ ଦେବାକୁ କହି ସେମାନଙ୍କ ମୁଣ୍ଡରେ ବିଭୂତି ଲଗାଇବା ଆଳରେ ନିଶା ଶୁଙ୍ଘାଇ ଅଚେତ କରି ଦେଇଥିଲେ। ପରେ ସେମାନଙ୍କ ଘରୁ ଦାମୀ ଜିନିଷପତ୍ର ଲୁଟି ନେଇଥିଲେ। ସେହିପରି ମଧ୍ୟାହ୍ନରେ ପଟିଆ ରେଲୱେ ଷ୍ଟେସନ୍‌ ନିକଟରେ ଜଣେ ବ୍ୟବସାୟୀଙ୍କୁ ଭଲ ବ୍ୟବସାୟ ହେବା ପାଇଁ ବିଭୂତି‌ରେ ନିଶା ଦେଇ ଅଚେତ କରି ଟଙ୍କା ବାକ୍ସରୁ ଦେଢ଼ ହଜାର ଟଙ୍କା ଓ କିଛି ଜିନିଷ ନେଇ ଫେରାର୍‌ ହୋଇଯାଇଥିଲେ। ଏମାନେ ଟ୍ରେନ୍‌ରେ ବସି କଟକ ଦିଗକୁ ଚାଲି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆଜି ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିମାନେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ବିଭିନ୍ନ ସ୍ଥାନରେ ରହୁଥିବା ବଞ୍ଜାରା ଟୋଲିରେ ପଶି ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି। ସୂଚନା ଥାଉକି ଗତ ଦୁଇ ଦିନ ପୂର୍ବେ ଚନ୍ଦ୍ରଶେଖରପୁରର ସମରେନ୍ଦ୍ର ସାହୁ, ମୋନାଲିସା ବିନ୍ଧାଣୀ ଓ ଦେବ ସାହୁ ବଞ୍ଜାରାଙ୍କ ଦ୍ବାରା ଲୁଟ୍‌ର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର