‌‌ଷ୍ଟେସନ୍‌ରେ ମାତିଛନ୍ତି ଲୁଟେରା, ଦୁଇ ସପ୍ତାହରେ ୧୭ ମାମଲା, ୧୯ ଗିରଫ, ୧.୯୭ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଭୁବନେଶ୍ବର : ଭୁବନେଶ୍ବର ଷ୍ଟେସନ ଭିତରେ ଲୁଟେରା ମାତିଛନ୍ତି। କେତେବେ‌ଳେ ଯାତ୍ରୀ ବିଶ୍ରାମାଗାର ନିକଟରେ ଯାତ୍ରୀମାନେ ଲୁଟର ଶିକାର ହେଉଛନ୍ତି ତ ଆଉ କେତେବେଳେ ପ୍ଲାଟଫର୍ମରେ। ଗତ ଏକ ମାସ ହେବ ଏଭଳି ଘଟଣା ବଢ଼ିବା ପରେ ରେଳବାଇ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଯେଉଁଥିରେ ରେଳବାଇ ଥାନା ପୁଲିସ ଓ ଆରପିଏଫ ମିଳିତ ଭାବେ ଷ୍ଟେସନ ଭିତରେ ପାଟ୍ରୋଲିଂ ଆରମ୍ଭ କରିଥିଲେ। ମାତ୍ର ଦୁଇ ସପ୍ତାହ ମଧ୍ୟରେ ପୁଲିସ ୧୭ଟି ମାମଲା ରୁଜୁ କରି ୧୯ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ ୧ ଲକ୍ଷ ୯୭ ହଜାର ଟଙ୍କାର ସମ୍ପତ୍ତି ଜବତ ହୋଇଛି।

ରେଳବାଇ ଥାନା ଇନ୍ସପେକ୍ଟର ଭରତ ସାହୁଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଭୁବନେଶ୍ବର ଷ୍ଟେସନ୍‌ ଓ ଷ୍ଟେସନ୍‌ ବାହାରେ ଯାତ୍ରୀମାନଙ୍କଠାରୁ ଲାଗାତାର ଲୁଟ୍‌ପାଟ ହେଲା। ଏନେଇ ଏକାଧିକ ଅଭିଯୋଗକାରୀ ରେଳବାଇ ଥାନାରେ ଅଭିଯୋଗ କରିଥିଲେ। ହଠାତ୍‌ ଷ୍ଟେସନରେ ଏଭଳି ଲୁଟ୍‌ପାଟକୁ ସହଜରେ ଗ୍ରହଣ କରି ପାରି ନଥିଲା ପୁଲିସ। ଏ ନେଇ ରେଳବାଇ ଥାନାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ରେଳବାଇ ଥାନା ପୁଲିସ ଓ ଆରପିଏଫର ବରିଷ୍ଠ ଅଧିକାରୀମାନେ ବସି ଯୋଜନା କରିଥିଲେ। ଯୋଜନା ମୁତାବକ, ସାଦା ପୋଷାକରେ ଆରପିଏଫ ଓ ରେଳବାଇ ଥାନା ପୁଲିସ ବିଭିନ୍ନ ସ୍ଥାନରେ ପଇଁତରା ମାରିବା ଆରମ୍ଭ କରିଥିଲେ। ସେହିପରି ଯାତ୍ରୀ ବିଶ୍ରାମାଗାର ଓ ମୁଖ୍ୟ ଫାଟକ ନିକଟରେ ପୁଲିସ ଲୁଟେରରାମାନଙ୍କ ଉପରେ ନଜର ରଖିଥିଲା। ଏହାଛଡ଼ା ଷ୍ଟେସନରେ ଲାଗିଥିବା ସିସି କ୍ୟାମେରା ମାଧ୍ୟମରେ ମଧ୍ୟ ପୁଲିସ ଷ୍ଟେସନ୍‌ରେ ଘଟୁଥିବା ଘଟଣା ଉପରେ ନଜର ରଖିଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ ଲୁଟେରାମାନେ ଟାର୍ଗେଟ କରୁଥିବା ଯାତ୍ରୀମାନେ ଦୂରଦୂରାନ୍ତ ଅଞ୍ଚଳର। ଏପରିକି ଅନେକ ରାଜ୍ୟ ବାହାରର ମଧ୍ୟ ଥିଲେ। ଫଳରେ ଲୁଟ୍‌ପାଟ ହେଲେ ମଧ୍ୟ ସେମାନେ ଥାନାରେ ଅଭିଯୋଗ କରୁ ନ ଥିଲେ। ପୁଲିସ ଏଥିପାଇଁ ଏକ ନୀଳ ନକ୍ସା ତିଆରି କରିଥିଲା। ସମସ୍ତ ଅଭିଯୋଗକୁ ପୁଲିସ ଗ୍ରହଣ କରି ମାମଲା ରୁଜୁ କରିବା ଆରମ୍ଭ କରିଥିଲା। ଫଳରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏତେ ସଂଖ୍ୟକ ଲୁଟେରା ପୁଲିସ ହାବୁଡ଼ରେ ପଡିଥିଲେ।

ଅନ୍ୟପକ୍ଷରେ ଷ୍ଟେସନରେ କେତେକ ସମସ୍ୟା ପାଇଁ ମଧ୍ୟ ଲୁଟେରା ଖସି ଯିବାକୁ ସକ୍ଷମ ହେଉଛନ୍ତି ବୋଲି ଇନ୍ସପେକ୍ଟର ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଭୁବନେଶ୍ବର ଭଳି ଏକ ବୃହତ ଓ ପ୍ରମୁଖ ଷ୍ଟେସନର ପୁରୁଣା ଟିକେଟ କାଉଣ୍ଟର ଓ ମୁଖ୍ୟ ଗେଟରେ ସିସି କ୍ୟାମେରା କାମ କରୁନାହିଁ। ଦୀର୍ଘ ଦିନ ସମସ୍ୟା ଲାଗି ରହିଥିବାରୁ ଷ୍ଟେସନକୁ କେଉଁ ଯାତ୍ରୀ କିମ୍ବା ସନ୍ଦିଗ୍ଧ ଆସୁଛି ତା’ର ଗତିବିଧି ଉପରେ ପୁଲିସ ନଜର ରଖି ପାରୁନାହିଁ। ରେଳବାଇ ଥାନାରେ ମାତ୍ର ୩୦ ଜଣ କର୍ମଚାରୀ। କିନ୍ତୁ ଥାନା ଅଞ୍ଚଳ ଜଟଣୀ ରେତଙ୍ଗଠାରୁ ଆରମ୍ଭ କରି ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ପର୍ଯ୍ୟନ୍ତ। ଏତେ ବଡ଼ ଅଞ୍ଚଳକୁ ଏତିକି କର୍ମଚାରୀରେ କାମ କରିବା ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ମଧ୍ୟ ହେଉଛି ବୋଲି ଇନ୍ସପେକ୍ଟର୍‌ ଶ୍ରୀ ସାହୁ କହିଛନ୍ତି।

ସେହିପରି ଗତ ତିନି ଦିନ ତଳେ କ୍ରାଇମ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ଜଣେ ଯାତ୍ରୀ ଷ୍ଟେସନ ଅଞ୍ଚଳରେ ଜୁଆ ଖେଳ ହେଉଥିବା ନେଇ ଟୁଇଟ୍‌ କରିଥିଲେ। ଏ ନେଇ ଆଇଜି ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ଅବଗତ କରାଇଥିଲେ। ଏହାପରେ ରେଳବାଇ ଓ ଖାରବେଳନଗର ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ୪ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲେ। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଅଧିକ ହେବ। ଆବଶ୍ୟକ ହେଲେ ଜୁଆଡ଼ିଙ୍କୁ ୧୧୦ ଦଫାରେ ଗିରଫ କରାଯିବ ବୋଲି ଇନ୍ସପେକ୍ଟର୍‌ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର