ବିଶ୍ବକପ ହକି ବେଳେ ରାଜଧାନୀରେ ଲୁଟପାଟ୍‌, ୨୫ରୁ ଅଧିକ ଲୁଟ୍‌ ୫ ସିନ୍ଧିଚୋରି

ଭୁବନେଶ୍ବର: ବିଶ୍ବକପ ହକି ବେଳେ କମିସନରେଟ ପୁଲିସ କଳିଙ୍ଗ ଷ୍ଟାଡିୟମ ଓ ଖେଳାଳିଙ୍କ ସୁରକ୍ଷା ନେଇ ବ୍ୟସ୍ତ ଥିବାବେ‌ଳେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଲୁଟପାଟ, ଚୋରି, ସିନ୍ଧିଚୋରି ଓ ଡକାୟତି ଭଳି ଅଘଟଣ ଘଟିଛି। ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ପାଖାପାଖି ୨୫ରୁ ଅଧିକ ଲୁଟପାଟ, ୫ଟି ବଡ଼ ଧରଣର ସିନ୍ଧିଚୋରି, ଗୋଟିଏ ଡକାୟତି ଘଟିଛି। ଯାହାକୁ ନେଇ କମିସନରେଟ ପୁଲିସ ଏବେ ଚିନ୍ତାରେ। ଏହି ସବୁ ଗ୍ୟାଙ୍ଗର ତୁରନ୍ତ ରହସ୍ୟ ଉନ୍ମୋଚନ କରିବାକୁ ପୁଲିସ କମିସନର ସତ୍ୟଜିତ ମହାନ୍ତି ସମସ୍ତ ଜୋନ୍‌ ଏସିପି ଓ ଇନ୍ସପେକ୍ଟର୍‌ମାନଙ୍କୁ ନିର୍ଦେଶ ଦେଇଛନ୍ତି। ସେହିପରି ସ୍ପେସାଲ ସ୍କ୍ବାଡ୍‌ ଓ କ୍ୟୁଏଟିକୁ ମଧ୍ୟ କୁହଯାଇଛି ଘଟଣାର ତୁରନ୍ତ ତଦନ୍ତ କରିବାକୁ। ବିଶ୍ବକପ ହକି ପାଇଁ ସାରା ରାଜ୍ୟରୁ ବଛାବଛା ପୁଲିସ ଅଫିସରଙ୍କୁ ଭୁବନେଶ୍ବର ଅଣାଯାଇଥିଲା। ପିସିଆର ସଂଖ୍ୟାରେ ମଧ୍ୟ ବୃଦ୍ଧି କରାଯାଇଥିଲା। ଭୁବନେଶ୍ବରର ସମସ୍ତ ଥାନାର ଇନ୍ସପେକ୍ଟରଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ଖେଳ ଓ ଖେଳାଳିଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଲେ। କହିବାକୁ ଗଲେ ଥାନା ଏକଦମ୍ ଫାଙ୍କା ହୋଇ ଯାଇଥିଲା। ଯାହାର ଫାଇଦା ଉଠାଇଥିଲେ ଲୁଟେରା। କେଉଁଠି ସୁନା‌ଚେନ୍‌ ଛିଣ୍ତାଇଥିଲେ ତ ଆଉ କେଉଁଠି ମୋବାଇଲ ଫୋନ୍ ଝାମ୍ପି ନେଇଥିଲେ। କାହାର ଗ୍ରିଲ କାଟି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ ତ କେଉଁଠି ବନ୍ଧୁକ ମୁନରେ ଲୁଟପାଟ। ଏତିକିରେ ଥମି ନ ଥିଲା ଅପରାଧୀଙ୍କ ଆତଙ୍କ। ନିଶାଦିଆ ଲୁଟେରା ମଧ୍ୟ ସେମାନଙ୍କ ଉତ୍ପାତ ବରମୁଣ୍ଡା ବସଷ୍ଟାଣ୍ଡ ଓ ରେଳଷ୍ଟେସନ୍‌ରେ ଜାରି ରଖିଥିଲେ। ଗୋଟିଏ ପଟେ ହକି ବିଶ୍ବକପର ସୁରକ୍ଷା ବ୍ୟବସ୍ଥାକୁ ନେଇ ୯ଟି ଦେଶର ଖେଳାଳି କମିସନେରଟ ପୁଲିସକୁ ପ୍ରଶଂସା କରିଥିବା ବେଳେ ଅନ୍ୟପଟେ ଅପରାଧୀଙ୍କ ଏଭଳି କାଣ୍ଡକାରଖାନା ରାଜଧାନୀବାସୀଙ୍କ ମନରେ ଭୟ ସୃଷ୍ଟି କରିଥିଲା। ହକି ବିଶ୍ବକପ ପୂର୍ବରୁ କମିସନରେଟ ପୁଲିସ ଅପରାଧୀମାନଙ୍କୁ ଯେଉଁଭଳି ଢଙ୍ଗରେ ଦମନ କରିବା କଥା, ତାହା କରି ନ ଥିଲା। ଏପରିକି କେତେକ ସ୍ଥାନରେ ରାଜ୍ୟ ବାହାରର ଅପରାଧୀମାନେ ଭୁବନେଶ୍ବର ଆସି ଲୁଟପାଟ୍‌ କରିଥିଲେ। ଅପରାଧୀମାନଙ୍କ ମନରେ କମିସନରେଟ ପୁଲିସ ଭୟ ସୃଷ୍ଟି କରାଇ ପାରି ନ ଥିଲା। ଫଳରେ ଏଭଳି ସିରିଜ୍‌ ଲୁଟପାଟ୍‌ ହେଲା ବୋଲି ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କହିଛନ୍ତି।
ତେବେ ଏ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସମସ୍ତ ଲୁଟପାଟ୍‌, ଚୋରି, ଛିନତାଇ ଘଟଣା ଉପରେ ପୁଲିସ ନଜର ରଖିଛି। ଖୁବ୍ ଶୀଘ୍ର ସମସ୍ତେ ଗିରଫ ହେବେ। ତେବେ ବିଶ୍ବକପକୁ ସୁରକ୍ଷିତ କରିବା କମିସନରେଟ ପୁଲିସ ପକ୍ଷରୁ ଗତ ନଭେମ୍ବର ମାସ ମାସଠାରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଅପରାଧ ଦମନ ଆରମ୍ଭ ହୋଇଥିଲା। ନଭେମ୍ବର ମାସରେ ୧୭ ଜଣଙ୍କୁ ୧୧୦ ଦଫାରେ ଗିରଫ କରାଯାଇଥିବା ବେଳେ ୨୮ ଜଣଙ୍କୁ ଏନ୍‌ବିଡବ୍ଲ୍ୟୁରେ ଗିରଫ କରାଯାଇଥିଲା। ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୧୩,୯୧୬ ଜଣଙ୍କଠାରୁ ୨୨,୮୮,୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିପରେ ଡି‌ସେମ୍ବର ମାସ ୧୭ ତାରିଖ ପର୍ଯ୍ୟନ୍ତ ୧୧ ଜଣଙ୍କୁ ୧୧୦ ଦଫା‌ରେ ଗିରଫ କରାଯାଇଥିବା ବେଳେ ୬ ଜଣଙ୍କୁ ଏନବିଡବ୍ଲ୍ୟୁରେ ଗିରଫ କରାଯାଇଥିଲା। ୨୨୨୫ଜଣ ଟ୍ରାଫିକ ନିୟମ ଉଲଂଘନକାରୀଙ୍କଠାରୁ ୨,୨୨,୦୦୦ ଜରିମାନା ଆଦାୟ କରାଯାଇଥିଲା। ଫଳରେ ଏହି ସମୟରେ ସଂଗଠିତ ଅପରାଧକୁ ରୋକାଯାଇ ପାରିଥିଲା ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।

କେତେକ ପ୍ରମୁଖ ଅପରାଧ
୪ ତାରିଖ: ଲକ୍ଷ୍ମୀସାଗର ଥାନା ଅଧୀନ କଟକରୋଡ୍‌ରେ ରହୁଥିବା ଡାକ୍ତର ପରେଶ ନାୟକଙ୍କ ଘରୁ ୫ ଲକ୍ଷ ଟଙ୍କାର ସୁନାଗହଣା ଓ ଜିନିଷପତ୍ର ଚୋରି
୬ ତାରିଖ: ଲକ୍ଷ୍ମୀସାଗର ଥାନା ଅଧୀନ କଟକ ରୋଡ୍‌ରେ ଚିନ୍ମୟୀ ରାଉତ ନାମକ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ
୬ ତାରିଖ: ଖଣ୍ଡଗିରି ଥାନା ଅଧୀନ ଆଇଗିଣିଆ ଅଞ୍ଚଳରେ ଭୀମସେନ ସାହୁ ନାମକ ଜଣେ ଦୋକାନୀଙ୍କ ୩ ଲକ୍ଷ ଟଙ୍କାର ଜିନିଷପତ୍ର ଚୋରି
୧୦ ତାରିଖ:: ମଞ୍ଚେଶ୍ବର ଥାନା ଅଧୀନ ସମେଇଗାଡ଼ିଆରେ ରହୁଥିବା ଦୀନବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘର କବାଟ ତାଡ଼ି ୨ ଲକ୍ଷ ଟଙ୍କା ଓ ୧୦ ଭରି ଓଜନର ସୁନାଗହଣା ଚୋରି
୧୦ ତାରିଖ: ନନ୍ଦନକାନନ ଥାନା ଅଧୀନ ରଘୁନାଥନଗର ଅଞ୍ଚଳରରୁ ଶର୍ମିଷ୍ଠା ସୁନ୍ଦରାୟ ନାମକ ଜଣେ ମହିଳାଙ୍କ ୨ ଭରି ଓଜନର ସୁନାଚେନ ଲୁଟ
୧୨ ତାରିଖ: ମାଷ୍ଟରକ୍ୟାଣ୍ଟିନ ଛକରେ ପଶ୍ଚିମବଙ୍ଗର ଅଭି‌ଷେକ ବାନାର୍ଜୀ ନାମକ ଜଣେ ଛା‌ତ୍ରଙ୍କଠାରୁ ମୋବାଇଲ, ୨ ହଜାର ଟଙ୍କା ଲୁଟ
୧୩ ତାରିଖ: ବିମାନବନ୍ଦର ଭିତରୁ ଦୀପ୍ତି ଅଗ୍ରୱାଲ ନାମକ ଜଣେ ମହିଳାଙ୍କ ୩୦ ହଜାର ଟଙ୍କା, ଭିସା, ପାସପୋର୍ଟ, ଏଟିଏମ କାର୍ଡ ଆଦି ଲୁଟ
୧୪ ତାରିଖ: ସହିଦନଗର ଥାନା ଅଧୀନ ଭିଏସଏସ ନଗରରେ ଡକାୟତି। ୩ଜଣ ଡକାୟତ ବନ୍ଧୁକ ମୁନରେ ଜଣେ ବୟସ୍କ ମହିଳାଙ୍କ ଘରେ ପଶି ୨୦ ଭରି ଓଜନର ସୁନାଗହଣା, ୬୩ ହଜାର ଟଙ୍କା ଡକାୟତି କରିଥିଲେ
୧୪ ତାରିଖ: ଖଣ୍ଡଗିରି ଥାନା ଅଧୀନ ଘାଟିକିଆରୁ ପ୍ରଶାନ୍ତ କୁମାର ରଥ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୩ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଫୋନ୍ ଲୁଟ
୧୪ ତାରିଖ: ନୂଆପଲ୍ଲୀ ଥାନା ଅଧୀନ ଇନ୍ଦ୍ରଧନୁ ମାର୍କେଟରୁ ବିଏମସି କର୍ମଚାରୀ ବିଶ୍ବଜିତ ମହାପାତ୍ରଙ୍କ ୩ ଲକ୍ଷ ଟଙ୍କା ଲୁଟ
୧୪ ତାରିଖ: ତମାଣ୍ଡୋ ଥାନା ଅଧୀନ ସାହାଣୀ କାକରୁଦ୍ରପୁରରେ ଫାଙ୍କା ଗୁଳି କରି ରବୀନ୍ଦ୍ର ସ୍ବାଇଁ ନାମକ ବ୍ୟବସାୟୀଙ୍କଠାରୁ ୯ଶହ ଟଙ୍କା ଲୁଟ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।
୧୫ ତାରିଖ: ଖାରବେଳନଗର ଥାନା ଅଧୀନ ନୀଳାଚଳ ହସ୍ପିଟାଲ ସମ୍ମୁଖରେ ଥୁଆ ହୋଇଥିବା ତନଜଦୀପ ମହାନ୍ତିଙ୍କ କାର କାଚ ଭାଙ୍ଗି ୯୮ ହଜାର ଟଙ୍କା ଚୋରି
୧୫ ତାରିଖ: ଚନ୍ଦ୍ରଶେଖରପୁର ଥାନା ଅଧୀନ ନୀଳାଦ୍ରିବିହାରରେ ରହୁଥିବା ଯଶୋବନ୍ତ ସାହୁଙ୍କ ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନଗହଣା ଚୋରି
୧୬ ତାରିଖ: ଖାରବେଳନଗର ଥାନା ଅଧୀନ ରାମନ୍ଦିର ନିକଟରେ ପାର୍କିଂ ହୋଇଥିବା ଅବିନାଶ ମହାନ୍ତିଙ୍କ କାର କାଚ ଭାଙ୍ଗି ୧ ଲକ୍ଷ ଟଙ୍କା ଚୋରି

ସମ୍ବନ୍ଧିତ ଖବର