ଠିକାଦାରଙ୍କ ଘରେ କଳାକନା ବୁଲାଇଲେ: ଦେଢ଼ଶ’ଗ୍ରାମ୍ ସୁନା, ୫୦୦ ଗ୍ରାମ ରୁପା ଅଳଙ୍କାର ସମେତ ଲକ୍ଷେ ଟଙ୍କା ନେଇଗଲେ

ଧଉଳି: ଗାୟତ୍ରୀ ବିହାର ବାସିନ୍ଦା ସିଭିଲ କଣ୍ଟ୍ରାକ୍ଟର କିଶୋରଙ୍କ ଘରେ ଗତ ରାତିରେ ଲୁଟେରାମାନେ କଳାକନା ବୁଲାଇଛନ୍ତି। ତଳମହଲା ରୋଷେଇ ଘରର ଗ୍ରିଲ ତାଲା କାଟି ଭିତରେ ପଶିବା ପରେ ତଳ ଏବଂ ଉପର ମହଲାର ସବୁ ରୁମ୍‌ରୁ ଲୁଟ୍‌ପାଟ୍‌ କରିଛନ୍ତି। ୧୫୦ ଗ୍ରାମ୍‌ର ସୁନା ଅଳଙ୍କାର, ୫୦୦ ଗ୍ରାମର ରୁପା ଅଳଙ୍କାର ସମେତ ନଗଦ ୧ଲକ୍ଷ ୨୦ ହଜାର ଟଙ୍କା, ଏଲ୍‌ଇଡି ଟିଭି ଆଦି ଅନ୍ୟାନ୍ୟ ଦାମୀ ଜିନିଷ ଲୁଟି ନେଇଛନ୍ତି। ଲୁଟ୍‌ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି କିଶୋର ଅଭିଯୋଗରେ ଦର୍ଶାଇଛନ୍ତି।

ସୂଚନାନୁସାରେ, କିଶୋର ଗତକାଲି ସପରିବାର ନିଜ ଭାଣିଜୀ ବାହାଘରରେ ଯୋଗଦେବା ପାଇଁ କେନ୍ଦ୍ରାପଡ଼ା ଯାଇଥିଲେ। ଏହି ସୁଯୋଗରେ ସିନ୍ଧି ଚୋର ଗ୍ୟାଙ୍ଗ୍‌ ଗତ ରାତିରେ ତାଙ୍କ ଘରର ତଳ ମହଲା ଗ୍ରିଲ ତାଲା କାଟି ଲୁଟ୍‌ପାଟ୍‌ କରିଥିଲେ। ଆଜି ସକାଳେ ପଡ଼ୋଶୀ ଲୋକଙ୍କଠାରୁ ଖବର ପାଇ କିଶୋର ରାଜନଗରରୁ ଫେରି ଆସିଥିଲେ ଓ ତୁରନ୍ତ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଥିଲା।

ସମ୍ବନ୍ଧିତ ଖବର