ଭୁବନେଶ୍ବର: ଅସୁବିଧା ସମୟରେ ଯେଉଁ ଶଳା ସହଯୋଗ କରୁଥିଲା, ତାକୁ ବି ଚୂନ ଲଗାଇବାକୁ ପଛାଇଲାନି ଭିଣୋଇ। ସହଯୋଗୀଙ୍କ ସହ ମିଶି ଶଳାଘରେ କଳାକନା ବୁଲାଇଲା। ଚୋରି ଗହଣାକୁ ବନ୍ଧକ ରଖି ଲକ୍ଷାଧିକ ଟଙ୍କା ଋଣ ନେଲା। ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଅଞ୍ଚଳର ଏ ଘଟଣାରେ ପୁଲିସ ଭିଣୋଇ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପୁରୀ ଜିଲ୍ଲା ସଦର ଅଞ୍ଚଳର ଭିଣୋଇ ବଟକୃଷ୍ଣ ସ୍ବାଇଁ ଓରଫ ବାଟୁଆ(୩୨), ସହଯୋଗୀ ବିକାଶ ଚନ୍ଦ୍ର ସ୍ବାଇଁ (୩୨) ଓ ଏୟାରପୋର୍ଟ ଥାନା କାର୍ଗିଲବସ୍ତିର ଶଙ୍କର ମହାରଣା(୩୪)। ପୁଲିସ ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୯୦ହଜାର ଟଙ୍କା, ଗୋଟିଏ ସୁନାଚେନ୍, କାନଫୁଲ, ୨ଟି ଲକେଟ୍, ୬ଟି ଶଙ୍ଖା ଓ ଗୋଟିଏ ଅଟୋରିକ୍ସା ଜବତ କରିଛି।
ସୂଚନା ମୁତାବକ, ବହୁଦିନ ହେବ ବାଟୁଆ ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ଶଳା ପ୍ରମୋଦ ପରିଡ଼ାଙ୍କ ଘର ଉପରେ ନଜର ରଖିଥିଲା। ମଝିରେ ମଝିରେ ଶଳା ଘରକୁ ଯାଇ ଖାଇବା ପିଇବା କରିବା ସହ ଲୁଟ୍ ପାଇଁ ସୁଯୋଗ ଖୋଜୁଥିଲା। ୨-୩ ଥର ପ୍ରୟାସ କରିଥିଲେ ବି ସଫଳ ହୋଇନଥିଲା। ତେବେ ଗତ ୩୧ ତାରିଖରେ ପ୍ରମୋଦ ଘରଲୋକଙ୍କ ସହ ନିଜ ପୈତୃକ ଗ୍ରାମକୁ ଯାଇଥିବା ବାଟୁଆ ଜଣିବାକୁ ପାଇଥିଲା। ସେ ବିକାଶ ଓ ଶଙ୍କରକୁ ଫୋନ୍କରି ଲୁଟ୍ ପାଇଁ ଯୋଜନା କରିଥିଲା। ସେହିଦିନ ରାତିରେ ୩ ଜଣ ଅଟୋରେ ଶାସ୍ତ୍ରୀନଗର ସ୍ଥିତ ପ୍ରମୋଦଙ୍କ ଘରକୁ ଯାଇଥିଲେ। ଘରର ତାଲା ଭାଙ୍ଗି ଭିତରେ ପଶିବା ସହ ଆଲମିରାରୁ ଅଳଙ୍କାର ଓ ନଗଦ ଟଙ୍କା ଚୋରିକରି ନେଇଯାଇଥିଲେ। ଗତ ୨ତାରିଖରେ ପ୍ରମୋଦ ପରିବାରଲୋକଙ୍କ ସହ ଘରକୁ ଫେରିବା ବେଳକୁ କବାଟ ଖୋଲାଥିବା ବେଳେ ଘରେ ଜିନିଷ ଏପଟ ସେପଟ ହୋଇ ପଡ଼ିଥାଏ। ଚୋରି ହୋଇଥିବା ଜାଣିବା ପରେ ସେ ତୁରନ୍ତ ଖାରବେଳନଗର ଥାନାକୁ ଫୋନ୍କରି ଜଣାଇଥିଲେ।
ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିଲା। ପରେ ପୁଲିସ ବାଟୁଆକୁ କାବୁକରି ଜେରା କରିଥିଲା। ସେ ସବୁ ସତ ମାନିଥିଲା। ସେ ଓ ତାର ସହଯୋଗୀମାନେ କିଭଳି ତାଲା ଭାଙ୍ଗି ଲୁଟିଥିଲେ, ଆଉ ଲୁଟ୍ ଗହଣାକୁ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ଆଣିଥିଲା ସବୁ ସତ ଓଗାଳିଥିଲା। ତା’ପରେ ପୁଲିସର ଏକ ଟିମ୍ ଶଙ୍କର ଓ ବିକାଶ ଘରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା। ଆଜି ପୁଲିସ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ବିକାଶ ନାମରେ ପୂର୍ବରୁ ପୁରୀ ଚନ୍ଦନପୁର ଥାନାରେ ଏକ ଚୋରି ମାମଲା ଥିବା ଯାଞ୍ଚବେଳେ ଜଣାପଡିଛି।