ଭୁବନେଶ୍ବର: ଆଜି ଅପରାହ୍‌ଣରେ ଖାରବେଳନଗର ଥାନା ଅଧୀନ ସତ୍ୟନଗର ଆକ୍ସିସ ବ୍ୟାଙ୍କ ସମ୍ମୁଖରୁ ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟର ଶିକାର ହୋଇଥିବା ନିରୋଜ ଦାସ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି। ପ୍ରଥମେ ଆଖପାଖରେ ଲାଗିଥିବା ସିସି କ୍ୟା‌ମେରାକୁ ପୁଲିସ ଯାଞ୍ଚ ଆରମ୍ଭ କରିଛି। ତେବେ ଲୁଟେରାମାନଙ୍କ ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ନାହିଁ। ମିଳିଥିବା ସୂଚନା ମୁତାବକ, ନିରୋଜ ଏକ ବ୍ୟାବସାୟିକ କାମରେ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ବାଇକ୍‌ ନିକଟକୁ ଆସୁଥିଲେ। ଏହି ସମୟରେ ଦୁଇଜଣ ଲୁଟେରା ଏକ କଳା ରଙ୍ଗର ପଲସର୍‌ରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ଏହାପରେ ଲୁଟେରାମାନେ ଆଖି ପିଛୁଳାକେ ଘଟଣାସ୍ଥଳରୁ ଗାଏବ ହୋଇ ଯାଇଥିଲେ। ପ୍ରକାଶ ଥାଉକି, କିଛି ଦିନ ତଳେ ସେହି ସ୍ଥାନରୁ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ୪୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ସେହିପରି ୟୁନିଟ୍‌-୪‌ରେ ଥିବା ଏକ ମିଠା ଦୋକାନ ସମ୍ମୁଖରୁ ମଧ୍ୟ ଅଭିନବ ଢଙ୍ଗରେ ୧.୬୫ ଲକ୍ଷ ଟଙ୍କା ଚୋରି ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ କଡ଼ା ପୁଲିସ ପାଟ୍ରୋଲିଂ ପାଇଁ ଦାବି ହେଉଛି।